ମରଣଯନ୍ତା ଏନଏଚ-୪୯ : ୩ ବର୍ଷ ବିତିଲା, ପ୍ରକଳ୍ପ ରିପୋର୍ଟ ଅସମ୍ପୂର୍ଣ୍ଣ

ଝାରସୁଗୁଡ଼ା : ଝାରସୁଗୁଡ଼ାରୁ କନକତୋରା ପର୍ଯ୍ୟନ୍ତ ଜାତୀୟ ରାଜପଥ -୪୯ର ୬୮ କିଲୋମିଟର ରାସ୍ତାରେ ୨୦୧୮ରୁ ୨୦୨୨ ମଧ୍ୟରେ ୩୫୭ଟି ଦୁର୍ଘଟଣା ଘଟି ପ୍ରାୟ ୩୦୦ଜଣଙ୍କର ମୃତ୍ୟୁ ଘଟିଲାଣି। ତ୍ରୁଟିପୂର୍ଣ୍ଣ ନିର୍ମାଣ, ସଂକୁଚିତ ରାସ୍ତା, ବେଆଇନ ଭାରିଯାନ ପାର୍କିଂ, ଗାଁ ମଝିରେ ରାଜପଥ ଏବଂ ଅନେକ ସ୍ଥାନରେ ଭଙ୍ଗାରାସ୍ତା ହେତୁ ପ୍ରାୟ ଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟୁଛି। ଗତ ୩ବର୍ଷ ହେଲା ଯେବେ ପଚାରିଲେ ରାସ୍ତାର ସବିଶେଷ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ ଚାଲିଛି ବୋଲି ଏନଏଚଏଆଇ କର୍ତ୍ତୃପକ୍ଷ ସହଜ ଉତ୍ତର ଦେଉଛନ୍ତି। ହେଲେ କେବେ ଯାଏ ତାହାର ଉତ୍ତର କାହାରି ପାଖରେ ନାହିଁ।
ଝାରସୁଗୁଡ଼ା ଜିଲାରୁ ଛତିଶଗଡ଼ର ରାୟଗଡ଼ ଜିଲାକୁ ସଂଯୋଗ କରୁଥିବା ଏହି ରାସ୍ତା ୨୦୦୦ ମସିହା ପୂର୍ବରୁ ଅତ୍ୟନ୍ତ କଦର୍ଯ୍ୟ ଥିବା ବେଳେ ତତ୍କାଳୀନ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ତଥା ଦେବଗଡ଼ ବିଧାୟକ ଡ. ଦେବେନ୍ଦ୍ର ପ୍ରଧାନ ଏହି ରାସ୍ତାକୁ
ଜାତୀୟ ରାଜପଥରେ ଅନ୍ତର୍ଭୁକ୍ତ କରି ୨ ଟିକିଆ ରାସ୍ତା କରିଥିଲେ। ୨୦୧୮ ସେପ୍ଟେମ୍ବର ୧୯ ତାରିଖ ଏହି ରାସ୍ତା ଏନଏଚଏଆଇ ଅଧୀନକୁ ଆସିଲା। ୨୦୧୯ ଅଗଷ୍ଟ ୨୨ ତାରିଖରେ ମେକାନିକାଲ ଯାନବାହନରୁ ଟୋଲ ଟିକସ ଆଦାୟ ପାଇଁ ଭାରତ ସରକାର ଏନଏଚଏଆଇକୁ ଅଧିକୃତ କରିଥିଲେ। ସେବେଠାରୁ ରାସ୍ତାରେ କ୍ରମାଗତ ଭାବେ ଟୋଲଟିକସ ଆଦାୟ ଜାରି ରହିଛି। ଜାତୀୟ ରାଜପଥ-୪୯ ଚାରିଥାକିଆ କରିବାର ସ୍ଥିତିକୁ ନେଇ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଗତ ମାର୍ଚ୍ଚ ୨୦ ତାରିଖରେ ବିଧାନସଭାରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ ଯେ, ଉକ୍ତ ରାସ୍ତାର ସବିଶେଷ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ପାଇଁ ଜାତୀୟ ରାଜପଥ ପ୍ରାଧୀକରଣ କର୍ତ୍ତୃପକ୍ଷ (ଏନଏଚଏଆଇ) ପକ୍ଷରୁ ମାର୍କ ଟେକ୍‌ନୋଲଜି ଓ ଆଲମଣ୍ଡ୍‌ଜ ଗ୍ଲୋବାଲ ଇଡ଼୍‌ଫ୍ରା କନସଲେଟାଣ୍ଟ କମ୍ପାନୀ ଯୁଗ୍ମ ଭାବେ କାର୍ଯ୍ୟ କରୁଛନ୍ତି। ଏହି ପ୍ରକଳ୍ପ ଅଧୀନରେ କନକତୋରାଠାରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ରାସ୍ତାକୁ ଚାରିଥାକିଆ କରିିବା ସହିତ ଇବ୍ ନଦୀ ଉପରେ ଦ୍ବିତୀୟ ପୋଲ ନିର୍ମାଣ କରିବା ପ୍ରସ୍ତାବ ରହିଛି। ଅନ୍ୟପକ୍ଷରେ ବ୍ରଜରାଜନଗରର ରବିକୁମାର ସୋନୀ ମାଗିଥିବା ଏକ ଆରଟିଆଇର ଉତ୍ତରରେ ଏନଏଚଏଆଇ ପକ୍ଷରୁ ଉପରୋକ୍ତ ସଂସ୍ଥା ଡିପିଆର ପ୍ରସ୍ତୁତ କରୁଥିବା ଉଲ୍ଲେଖ କରିବା ସହିତ ଉକ୍ତ ଉତ୍ତର ପ୍ରଦାନ ତାରିଖ ଗତ ଅକ୍ଟୋବର ୧୭ତାରିଖ ସୁଦ୍ଧା ଫିଜିବିଲିଟି ରିପୋର୍ଟର ଡ୍ରାଫ୍ଟ କାମ ଚାଲିଛି ବୋଲି କୁହାଯାଇଛି। ସ୍ଥାନୀୟ ସାଂସଦ ସୁରେଶ ପୂଜାରୀ ୨୦୨୦ ଜାନୁଆରୀ ୧ ତାରିଖରେ ଏହି ରାସ୍ତାର ପ୍ରଶସ୍ତୀକରଣ ଓ ଇବ୍ ସେତୁର ସମ୍ପ୍ରସାରଣ ପ୍ରସ୍ତାବ ଆଧାରରେ ବ୍ରଜରାଜନଗର ଇବ୍ ସେତୁ ସମ୍ପ୍ରସାରଣ କରିବା ପ୍ରସ୍ତାବ ରହିଛି ବୋଲି କୁହାଯାଇଛି। ଏହି ଆରଟିଆଇର ଉତ୍ତରରେ ଦର୍ଶାଯାଇଛି ଯେ, ଗତ ଅଗଷ୍ଟ ୨୫ ତାରିଖ ଏଥି ସକାଶେ ବ୍ୟୟ ଆକଳନ ପ୍ରସ୍ତୁତ କରି ଏନଏଚଏଆଇର ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟକୁ ପ୍ରେରଣ କରାଯାଇଥିବା ପ୍ରକଳ୍ପ ନିର୍ଦେଶକଙ୍କ ପକ୍ଷରୁ ବୈଷୟିକ ପରିଚାଳକ ନୀତିନ କୁମାର ଗୁପ୍ତା ଉଲ୍ଲେଖ କରିଛନ୍ତି। ଏହି ରାସ୍ତାରେ ବ୍ରଜରାଜନଗର ନିକଟସ୍ଥ ବରଘାଟଠାରେ ଇବ୍ ସେତୁ ସବୁ ଠାରୁ ବେଶି ବିପଜ୍ଜନକ ପାଲଟିଛି। କାରଣ ମାଠିଆର ଗଳା ପରି ସଂକୁଚିତ ଏହି ସେତୁ ୧୯୭୦ ଦଶକରେ ସେ ସମୟର ଟ୍ରାଫିକକୁ ନଜରରେ ରଖି ନିର୍ମାଣ କରାଯାଇଥିବା ବେଳେ ଏବେ ୬ ଥାକିଆ କରାଯିବାର ଆବଶ୍ୟକତା ରହିଛି। ତେବେ ରାଜପଥ କର୍ତ୍ତୃପକ୍ଷ ଏଥି ସକାଶେ ୧୦୫ କୋଟି ଟଙ୍କାର ବ୍ୟୟ ଆକଳନ କରିଥିବା ସୂଚନା ମିଳିଛି।
ଏହି ରାସ୍ତା ସମ୍ପ୍ରସାରଣର ସ୍ଥିତି ବିଷୟରେ ସମ୍ବଲପୁର ଏନଏଚଏଆଇ ପ୍ରଳକ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରାଯିବାରୁ ଜଣାଯାଇଛି ଯେ, ଡିପିଆର କାମ ଏବେ ଜାରି ରହିଛି। ଏବେ ଚାରି ଥାକିଆ ରାସ୍ତା ସକାଶେ କେତେ ଜମି ଅଧିଗ୍ରହଣ କରାଯିବ ସେଥିରୁ କେତେ ସରକାରୀ କେତେ ବେସରକାରୀ ସେ ସଂକ୍ରାନ୍ତରେ ରାଜସ୍ବ ବିଭାଗ ସହ ଯୋଗାଯୋଗ ରଖି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏଥି ସକାଶେ ଏବେ କିଛି କଂକ୍ରିଟ ତଥ୍ୟ ଦେଇ ହେବନାହିଁ ବୋଲି ଝାରସୁଗୁଡ଼ା ଦାୟିତ୍ବରେ ଥିବା ଜନୈକ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.