ଆଉ ପାଦେ ଆଗେଇଲା ପୁରୀର ଶ୍ରୀଜଗନ୍ନାଥ ବିମାନବନ୍ଦର ପ୍ରକଳ୍ପ, କେନ୍ଦ୍ରରୁ ମିଳିଲା ପରିବେଶ ମଞ୍ଜୁରୀ

ଭୁବନେଶ୍ୱର : ବହୁପ୍ରତୀକ୍ଷିତ ପୁରୀ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ଲାଗି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟରୁ ପରିବେଶ ମଞ୍ଜୁରୀ ମିଳିଛି। ଏହି ଅନୁମତି ଫଳରେ ବିମାନବନ୍ଦର ନିର୍ମାଣ ପାଇଁ ୨୭.୮୫ ହେକ୍ଟର ଜଙ୍ଗଲ ଜମି ଅଧିଗ୍ରହଣ ପାଇଁ ପଦକ୍ଷେପ ନିଆଯିବ। ଗତ ସେପ୍ଟମ୍ବରରେ ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପୁରୀ ବିମାନବନ୍ଦର ପ୍ରକଳ୍ପ ନିମନ୍ତେ ସାଇଟ୍‌‌ କ୍ଲିଅରାନ୍ସ ଅନୁମୋଦନ ପ୍ରଦାନ କରିଥିଲା।

gpkandhamal

ଏହି ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ଆବଶ୍ୟକ ଥିବା ୧୧୬୪ ଏକର ଜମିରୁ ୬୮.୮୧ ଏକର ହେଉଛି ଜଙ୍ଗଲ ଏବଂ ୨୨୧.୮୯ ଏକର ଘରୋଇ ଜମି। ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରି ପୁରୀ ଜିଲ୍ଲା ପ୍ରଶାସନ ବିମାନବନ୍ଦର ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରୁଥିବା ବେଳେ ଏନେଇ କୌଣସି ଆପତ୍ତି ଅଭିଯୋଗ ଥିଲେ ଆସନ୍ତା ଜାନୁଆରୀ ୩ତାରିଖ ସୁଦ୍ଧା ଜଣାଇବା ଲାଗି ଜନସାଧାରଣଙ୍କୁ କହିଛି। ପୁରୀରେ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ଲାଗି ୫୬୩୧ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଛି। ସୂଚନାନୁସାରେ, ଜିଲ୍ଲାସ୍ତରୀୟ କମିଟି ଦେଇଥିବା ରିପୋର୍ଟ ଆଧାରରେ ମନ୍ତ୍ରାଳୟ ପରିବେଶ ମଞ୍ଜୁରୀ ପ୍ରଦାନ ପାଇଁ ଅନୁମତି ଦେଇଛି। ୯୪୩ ଏକର ସରକାରୀ ଜମି ଅଧିଗ୍ରହଣ କରାଯାଇ ପାଚେରୀ ନିର୍ମାଣ କରାଯାଇଛି। ଏବେ ଘରୋଇ ଜମି ଅଧିଗ୍ରହଣ କରାଯିବ। ଘରୋଇ ଜମି ଅଧିଗ୍ରହଣ ପୂର୍ବରୁ ଗତ ମେ’ ମାସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ଜନଶୁଣାଣୀ ବୈଠକ ଆୟୋଜନ କରାଯାଇଥିଲା। ଏଥିସହ ବିମାନବନ୍ଦର ପାଇଁ ଡିପିଆର୍‌ ପ୍ରସ୍ତୁତ କରାଯିବା ପରେ ଅନୁମୋଦନ ଲାଭ ପାଇଁ ଆବେଦନ କରାଯିବ। ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ପ୍ରସ୍ତାବିତ ଅଞ୍ଚଳରେ ଥିବା ୨୭.୮୮୭ ହେକ୍ଟର ଜମି (୬୮.୯୧ ଏକର) ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପାଇଁ ଗତ ଅଗଷ୍ଟରେ ପ୍ରଧାନ ପ୍ରମୁଖ ବନ ସଂରକ୍ଷକ (ପିସିସିଏଫ୍‌‌) ସରକାରଙ୍କୁ ସୁପାରିସ୍‌ କରିଥିଲେ। ପୁରୀ ବିଶ୍ୱର ଅନ୍ୟତମ ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳ ହୋଇଥିବାରୁ ଏଠାରେ ଏକ ଅନ୍ତର୍ଜାତୀୟ ବିମାନନ୍ଦର ନିର୍ମାଣ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ସହ କେନ୍ଦ୍ର ସରକାରଙ୍କଠାରୁ ଏନେଇ ଅନୁମତି ହାସଲ କରିଥିଲେ। ତେବେ ପ୍ରକଳ୍ପ ସମ୍ପର୍କିତ କାମ ବିଳମ୍ବିତ ହେଉଥିବାରୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ଲାଗି ଗତ ମେ’ ମାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଅନୁରୋଧ କରିଥିଲେ।

Umasankar Adv
Leave A Reply

Your email address will not be published.