ଘରେ ନାଗସାପ ଛାଡ଼ି ପତ୍ନୀ ଓ କୁନି ଝିଅକୁ ହତ୍ୟା କରିଥିଲା ସ୍ବାମୀ

କବିସୂର୍ଯ୍ୟନଗର : ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ପୁଲିସ ଏକ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ କରିଛି। ହତ୍ୟାକାଣ୍ଡରୁ ନିଜକୁ ବଞ୍ଚାଇବା ପାଇଁ ସ୍ବାମୀ ସୁଚିନ୍ତିତ ଷଡ଼ଯନ୍ତ୍ର ରଚିଥିଲା। ଚରିତ୍ରକୁ ସନ୍ଦେହ କରି ସ୍ବାମୀ ନିଜ ଘରେ ନାଗସାପ ଛାଡ଼ି ପତ୍ନୀ ଓ ଦୁଇ ବର୍ଷର କୁନି ଝିଅକୁ ହତ୍ୟା କରିଥିଲା। କିନ୍ତୁ ପୁଲିସର ତଦନ୍ତରୁ ଖସି ପାରିଲାନାହିଁ ଅଭିଯୁକ୍ତ। ଦେଢ ମାସ ପରେ ଘଟଣାର ପର୍ଦ୍ଦାଫାଶ ହୋଇଛି। କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ ସାହୁ ଓ ତାଙ୍କ ଟିମ୍ ମାମଲାର ତଦନ୍ତ କରି ଡବଲ ମର୍ଡରର ରହସ୍ୟ ଉନ୍ମୋଚନ କରିଛନ୍ତି। ଗୁରୁବାର ଏହି ମାମଲାରେ କବିସୂର୍ଯ୍ୟନଗର ଥାନା ପୁଲିସ ଅଢେଇ ବରଗାଁ ର ଅଭିଯୁକ୍ତ ସ୍ବାମୀ କେ ଗଣେଶ ପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନା ମୁତାବକ ଅଢେଇ ବରଗାଁର ବି ଖଲି ପାତ୍ରଙ୍କ ଦ୍ବିତୀୟ ଝିଅ ବାସନ୍ତୀ ପାତ୍ରକୁ ଉକ୍ତ ଗ୍ରାମର କେ ଧନୁ ପାତ୍ର ଙ୍କ ସାନ ପୁଅ କେ ଗଣେଶ ପାତ୍ର ୩ ବର୍ଷ ତଳେ ବିବାହ କରିଥିଲେ। ଗତ ବର୍ଷ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବାରୁ ବାସନ୍ତୀ ସ୍ବାମୀ ଗଣେଶ ଙ୍କ ବିରୁଦ୍ଧରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ମାମଲାରେ ଗଣେଶ ଥାନାରେ ଲିଖିତ ପ୍ରତିଶ୍ରୁତି ଦେବା ସହ ଜାମିନ ରେ ଆସିଥିଲେ। ଏହାପରେ ଉଭୟ ଗତ କିଛି ମାସ ହେଲା ପୁଣି ଗଣେଶଙ୍କ ଘରେ ଏକାଠି ରହୁଥିଲେ। ବିଭିନ୍ନ ସମୟରେ ଗଣେଶ ଥାନାରେ ରୁଜୁ ଉକ୍ତ ମାମଲାକୁ ପ୍ରତ୍ୟାହାର କରିବା ପାଇଁ ବାସନ୍ତୀ ଙ୍କ ଉପରେ ଚାପ ପକାଇବା ସହ ତାଙ୍କୁ ଓ ୨ ବର୍ଷର ଝିଅକୁ ଜୀବନରୁ ମାରିଦେବା କୁ ଧମକ ଦେଉଥିଲେ। ଗତ ଅକ୍ଟୋବର ୭ ତାରିଖ ସକାଳ ୫ ଟା ସମୟରେ ଗଣେଶ ଜୋରରେ ନିଜ ଘରେ ପାଟି କରିବାରୁ ସାହି ବାସିନ୍ଦା ଘର ସମ୍ମୁଖରେ ଏକାଠି ହୋଇଥିଲେ। ଏହି ସମୟରେ ବାସନ୍ତୀଙ୍କ ବାପା ଖଲି ପାତ୍ର ଘର ଭିତରକୁ ଯାଇ ଦେଖିବାବେଳେ ଗଣେଶ ଏକ ବାଡ଼ି ଧରି ଗୋଟିଏ ବିଷଧର ନାଗ ସାପକୁ ପିଟୁଥିବାବେଳେ ନିକଟରେ ବାସନ୍ତୀ ଓ ତାଙ୍କ କୁନି ଝିଅ ଶୋଇ ରହିଥିଲେ। ଉଭୟଙ୍କୁ ବିଷଧର ସାପ କାମୁଡିଥିବା ଗଣେଶ କହିବା ସହ ସେମାନଙ୍କୁ ଚିକିତ୍ସା ନିମନ୍ତେ ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବାସନ୍ତୀ ଓ କୁନି ଝିଅଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ପୁଲିସକୁ ଖବର ଦିଆଯିବା ପରେ ପୁଲିସ ସେଠାରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲା। ଏହାର କିଛି ଦିନପରେ ମୃତକଙ୍କ ବାପା ଖଲି ପାତ୍ର ନିଜ ଝିଅ ବାସନ୍ତୀ ଓ ନାତୁଣୀକୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଏକ ହତ୍ୟା ମାମଲା(ନଂ୬୧୫/୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଅଭିଯୁକ୍ତ ଗଣେଶ ପୋଲସରା ଥାନା ଅନ୍ତର୍ଗତ ମୁକ୍ତାମାଳ ଦେଇପୁର ଶାସନରୁ ଜଣେ ସାପ ଧରାଳି ଠାରୁ ସାପ ଆଣି ପତ୍ନୀ ଓ ୨ ବର୍ଷର ଶିଶୁ କନ୍ୟାକୁ କାମୁଡେଇ ମାରିଥିବା ସ୍ବୀକାର କରିଥିବା ଥାନା ଅଧିକାରୀ ଶ୍ରୀ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ ପାଇଁ ପୁଲିସ ସ୍ନେକ ହେଲ୍ପ ଲାଇନର ସହାୟତା ନେଇଥିଲେ। ଗତ ରବିବାର ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ, ଦକ୍ଷିଣ ଓଡ଼ିଶା ସଂଯୋଜକ ସ୍ବାଧୀନ କୁମାର ସାହୁ ସମେତ ପାଞ୍ଚ ଜଣିଆ ଟିମ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଫେରିଥିଲେ। ଏହାପରେ ଏକମାସ ଧରି ଶିଥିଳ ପଡିଥିବା ଏହି ମାମଲା ଆଗକୁ ବଢିଥିଲା। ଗୁରୁବାର ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗଣେଶ ପାତ୍ରକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.