ମହିଳା ସଶକ୍ତୀକରଣରେ ସରକାରଙ୍କ ପ୍ରତିବଦ୍ଧତା, ୮ ବର୍ଷରେ ଆର୍ଥିକ ସହାୟତା ୧୯ ଗୁଣ ବୃଦ୍ଧି

ଭୁବନେଶ୍ୱର: ମହିଳା ସଶକ୍ତୀକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ରାଜ୍ୟରେ ସୃଷ୍ଟି କରିଛି ନୂଆ ବିପ୍ଲବ। ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ସହ ରାଜ୍ୟର ବିକାଶରେ ସେମାନଙ୍କ ଯୋଗଦାନକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର କାର୍ଯ୍ୟକ୍ରମ ‘ମିଶନ ଶକ୍ତି’ ଏବେ ସଶକ୍ତ ଓ ସମୃଦ୍ଧ ହେବାରେ ଲାଗିଛି। ବିଭାଗୀୟ ସଚିବ ସୁଜାତା ରାଉତ ପାଣ୍ଡିଆନଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟା ଯୋଗୁଁ ବିଭାଗ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯାଉଛି। ବିଗତ ୮ ବର୍ଷ ମଧ୍ୟରେ ମିଶନ ଶକ୍ତିକୁ ଆର୍ଥିକ ସହାୟତା ପ୍ରଦାନ ୧୯ ଗୁଣ ବୃଦ୍ଧି ପାଇଛି। କେବଳ ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରବାହ ୧୫ ହଜାର କୋଟି ଅତିକ୍ରମ କରିବ ବୋଲି ସୂଚନା ମିଳିଛି। ଗତ ଆର୍ଥିକ ବର୍ଷରେ ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୧୧୦୦୦ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଥିଲା। ମାତ୍ର ଚଳିତ ବର୍ଷ ଅଧିକ ୪୦୦୦ କୋଟି ଟଙ୍କା ଋଣ ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବା ସହ ଏହାର କାର୍ଯ୍ୟାନ୍ୱୟନ ନିମନ୍ତେ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ମହିଳାମାନଙ୍କୁ ଆତ୍ମନିର୍ଭର ସହ ସ୍ୱାବଲମ୍ବୀ କରିବାରେ ଏହି ଋଣ ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ ଏସ୍‌‌ଏଚ୍‌‌ଜିରୁ ଏସ୍‌‌ଏମ୍‌‌ଇ ଯାତ୍ରାପଥ ସୁଗମ ହୋଇଛି।

gpkandhamal

ଗତ୨୦୧୬-୧୭ରେ ମହିଳା ଗୋଷ୍ଠୀ ପିଛା ହାରାହାରି ୧.୦୬ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିଲା। ସମ୍ପ୍ରତି ଏହା ପ୍ରାୟ ୩ଗୁଣ ଅଧିକ ହୋଇଛି। ବର୍ତ୍ତମାନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ହାରାହାରି ଋଣ ସହାୟତା ୩.୦୧ ଲକ୍ଷରେ ପହଞ୍ଚିଛି ଏବଂ ଆଗାମୀ ଦିନରେ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ ଗତ ଚାରି ବର୍ଷମଧ୍ୟରେ ୪ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁଧଛାଡ ବାବଦରେ ସିଧାସଳଖ ୫୮୭ କୋଟି ଟଙ୍କା ଫେରସ୍ତ କରାଯାଇଛି ଏବଂ କେବଳ ଗତ ବର୍ଷ ଏ ବାବଦରେ ୨୧୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ଗତ ୬ ବର୍ଷ ମଧ୍ୟରେ ଏସ୍‌‌ଏଚ୍‌‌ଜି ଋଣର ଏନ୍‌‌ପିଏ ୧୪.୨ ପ୍ରତିଶତରୁ ୧.୯୯ ପ୍ରତିଶତକୁ ବଡ଼ ହ୍ରାସ ରେକର୍ଡ କରାଯାଇଛି। ସାରା ଦେଶରେ ଏହା ସବୁଠାରୁ ଶ୍ରେଷ୍ଠ ପରିଣାମ ବୋଲି ମଧ୍ୟ କୁହାଯାଉଛି। ପୁନଶ୍ଚ ପ୍ରଥମ ଥର ପାଇଁ ଓଡ଼ିଶାରେ ୧୧୦୩ ଟି ପଞ୍ଚାୟତ ଏନପିଏ ମୁକ୍ତ ହୋଇଥିବାବେଳେ ଏହାକୁ ଭାରତ ସରକାର ମଧ୍ୟ ପ୍ରଶଂସା କରିଛନ୍ତି।

Umasankar Adv
Leave A Reply

Your email address will not be published.