ରାଜ୍ୟ କ୍ୟାବିନେଟରେ ୧୦ ପ୍ରସ୍ତାବକୁ ମୋହର

ଭୁବନେଶ୍ୱର: ଶିଳ୍ପ ଭିତ୍ତିଭୂମି ସୁଦୃଢ଼ କରିବା ସହିତ ପୁରୀ, ଭୁବନେଶ୍ବର, ଜଟଣୀ ଓ ବିଭିନ୍ନ ସହରାଞ୍ଚଳରେ ଥିବା ଘରଡିହ ନଥିବା ଗରିବଙ୍କୁ ସ୍ଥାୟୀ ପଟ୍ଟା ଯୋଗାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୮ଟି ବିଭାଗର ୧୦ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ବୈଠକ ପରେ ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବୋର୍ଡ ହାଇସ୍କୁଲକୁ ଆସନ୍ତା ୨୦୨୪ ଜାନୁଆରୀ ପହିଲାରୁ ସରକାରୀକରଣ କରାଯିବ। ଏହାଦ୍ବାରା ବିଦ୍ୟାଳୟର ଭିତ୍ତିଭୂମି ବିକାଶ ତଥା ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ହୋଇପାରିବ।

Umasankar Adv

ରାଜ୍ୟ ସରକାର ଓଡ଼ିଶା ସରକାର ଭୂବନ୍ଦୋବସ୍ତ-୧୯୮୩ରେ କେତେକ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏଥିରେ ପୂର୍ବରୁ ପୁରୀ ପୌରପାଳିକା ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ସପକ୍ଷରେ ଦେଇଥିବା ଲିଜ୍ ଜମି ଉପରେ ବର୍ତ୍ତମାନ ଭୋଗ ଦଖଲ କରୁଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନଙ୍କ ସପକ୍ଷରେ ସେହି ଜମିକୁ ସରକାରଙ୍କଠାରୁ ଲିଜରେ ନେବାର ବ୍ୟବସ୍ଥା ହୋଇଛି। ଏହାସହିତ ଭୁବନେଶ୍ବର, ଜଟଣୀ ତହସିଲରେ ଘରଡିହ ଶୂନ୍ୟ ବ୍ୟକ୍ତିଙ୍କୁ ଦିଆଯାଇଥିବା ଲିଜ୍ ଜମିକୁ ଯୋଗ୍ୟ ବ୍ୟକ୍ତିଙ୍କ ସପକ୍ଷରେ ସ୍ଥିତିବାନ ରେକର୍ଡ କରାଯିବ ଏବଂ ସହରାଞ୍ଚଳରେ ସରକାରୀ ଜମି ବନ୍ଦୋବସ୍ତ କରିବା ପାଇଁ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ବ୍ୟକ୍ତିଙ୍କ ପାଇଁ ନିୟମ-୩(୩)ରେ ପ୍ରଦତ୍ତ ବାର୍ଷିକ ଆୟ ସୀମା ବୃଦ୍ଧି କରାଯାଇଛି। ଏହା ୮ହଜାର ୪୦୦ରୁ ୩ଲକ୍ଷ ଏବଂ ୩୦ହଜାରରୁ ୮ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

ଓଡ଼ିଶାକୁ ଶିଳ୍ପ ଓ ଅର୍ଥନୈତିକ କ୍ଷେତ୍ରରେ ବିକଶିତ କରିବା ଲାଗି ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ୱେଲସ୍ପନ୍ କମ୍ପାନୀ ସମୂହ ରାଜ୍ୟରେ ୬୬୦୦କୋଟି ଟଙ୍କା ବିନିଯୋଗ କରିବ ଏବଂ ୧୦ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଚୌଦ୍ୱାରଠାରେ ୩ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗରେ ଏକ ସମନ୍ବିତ ବୟନ ଶିଳ୍ପ ପୁନଃପ୍ରତିଷ୍ଠା ସହିତ ୧୦ହଜାର ସିଧାସଳଖ ନିଯୁକ୍ତି ଓ ସମାନ ସଂଖ୍ୟକ ପରୋକ୍ଷ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରିବ। ତାହାସହିତ ପୁରୁଣା ଐତିହ୍ୟ ଫେରାଇ ଆଣିବାରେ ଏହା ସହାୟକ ହେବ। ଉକ୍ତ ଶିଳ୍ପ ଏକ ସମନ୍ବିତ ପରିଯୋଜନା ହୋଇଥିବାରୁ ଏଠାରେ ସୂତା ତିଆରିଠାରୁ ଆରମ୍ଭକରି କପଡା ପ୍ରସ୍ତୁତି ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ। ଯାହାଦ୍ବାରା ସ୍ଥାନୀୟ କୁଶଳୀ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହାସହିତ ୱେଲସ୍ପନ୍ କମ୍ପାନୀ ସମୂହ ବୟନ ଶିଳ୍ପ ପରିଯୋଜନା ପରିସୀମାରେ ଏକ ଅତ୍ୟାଧୁନିକ ଗୋଦାମ ଘର ପ୍ରତିଷ୍ଠା କରିବ। ଏହାଦ୍ବାରା କ୍ୟାପଟିଭ୍ ଓ ବାଣିଜ୍ୟିକ ସେବା ପ୍ରଦାନ କରିବା ସହ ବ୍ୟାପକ ନିଯୁକ୍ତିର ସୁଯୋଗ ମଧ୍ୟ ସୃଷ୍ଟି ହେବ। ପୁନଶ୍ଚ ଚୌଦ୍ବାର ଠାରେ ବୟନ ଶିଳ୍ପ ପ୍ରତିଷ୍ଠାର ଅନ୍ୟଏକ ଗୁରୁତ୍ବପୂର୍ଣ୍ଣ ଦିଗ ହେଇଛି କୃଷକର ଉନ୍ନତି ଓ କୃଷିଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି କରିବା। ମୁଖ୍ୟତଃ ବୟନ ଶିଳ୍ପର କଞ୍ଚାମାଲ୍ ହିସାବରେ କପାକୁ ବ୍ୟବହାର କରାଯାଏ। ତେଣୁ କପା ଉତ୍ପାଦନରେ କଳାହାଣ୍ଡି,

gpkandhamal

ବଲାଙ୍ଗୀର ଓ କୋରାପୁଟ ଆଦି ଜିଲାଗୁଡିକୁ ହିସାବକୁ ନିଆଯାଇ ସେଠାକାର କୃଷକଙ୍କଦ୍ବାରା ଉତ୍ପାଦିତ କପାକୁ ଉଚିତ୍ ମୂଲ୍ୟରେ କିଣି ସେମାନଙ୍କୁ କପାଚାଷ ପାଇଁ ଉତ୍ସାହିତ କରିବା ସହିତ ସେମାନଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧିରେ ଉକ୍ତ ଶିଳ୍ପ ଯଥେଷ୍ଟ ସହାୟକ ହେବ।

ୱେଲସ୍ପନ୍‌ କମ୍ପାନୀ ସମୂହ ସମ୍ବଲପୁର ଜିଲାର ନିଲ୍ ଡୁଙ୍ଗୁରୀ ଠାରେ ଏକ ପ୍ଲାଷ୍ଟିକ ଓ ଡି.ଆଇ ପାଇପ୍ କାରଖାନା ସ୍ଥାପନ କରିବ। ଉକ୍ତ କାରଖାନା ୩୬୦୦କୋଟି ଟଙ୍କାର ପୁଞ୍ଜି ବିନିଯୋଗରେ ପ୍ରତିଷ୍ଠା ହୋଇ ବହୁ ସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହା ବିଜୁ ଅର୍ଥନୈତିକ କରିଡର ଅନ୍ତର୍ଗତ ଏକ ପରିଯୋଜନା ଏବଂ ଏହାଦ୍ବାରା ଅନ୍ୟ ଆନୁଷଙ୍ଗିକ ଛୋଟ ଛୋଟ ଶିଳ୍ପ ଗଢି ଉଠିବ ଓ ଅଧିକ ସ୍ଥାନୀୟ ନିଯୁକ୍ତିର ସୁଯୋଗ ଆଣିବ। ଉକ୍ତ ପରିଯୋଜନା ଗୁଡିକ ଓଡିଶା ସରକାରଙ୍କ ପାଇଁ ଏକ ଆକାଂକ୍ଷୀ କାର୍ଯ୍ୟକ୍ରମ ସଦୃଶ ଏବଂ ଏହା ଦ୍ବାରା ନିଶ୍ଚିନ୍ତ ନିଯୁକ୍ତି, ଦକ୍ଷତା ବୃଦ୍ଧି ସହିତ ପୋଷଣୀୟ ବିକାଶ ଅଣାଯାଇପାରିବ। ଏହି ସମନ୍ବିତ ଯୋଜନା ନିଶ୍ଚିତ ଭାବେ ଓଡିଶାର ଶିଳ୍ପ ଅଭିବୃଦ୍ଧି ସହ ଅର୍ଥନୈତିକ ବିକାଶ ଦିଗରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବାରେ ସହାୟକ ହେବ।

ରାଜ୍ୟ ସରକାରଙ୍କର ୫୦ହଜାରରୁ ଊର୍ଦ୍ଧ୍ବ ଗାଡ଼ି ମାଲିକଙ୍କ ଉପରେ ଥିବା ବକେୟା ଟିକସ ଓ ଜୋରିମାନା ଗଡୁଛି। ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ, ଯେଉଁ ମାଲିକମାନେ ଗାଡିଗୁଡ଼ିକ ସ୍କ୍ରାପ କରିବାକୁ ଇଚ୍ଛା କରିବେ ସେମାନଙ୍କ କ୍ଷେତ୍ରରେ ବକେୟା ଟିକସ ଓ ଜୋରିମାନା ସମ୍ପୂର୍ଣ୍ଣ ଛାଡ କରାଯିବ। ଯେଉଁମାନେ ଟିକସ ପ୍ରଦାନ କରି ଗାଡ଼ି ଚଳାଇବାକୁ ଆଗ୍ରହୀ ଥିବେ ସେମାନଙ୍କ ପାଇଁ ଜୋରିମାନା ସମ୍ପୂର୍ଣ୍ଣ ଛାଡ କରାଯିବା ସହ ଗାଡିର ବୟସ ଅନୁଯାୟୀ ଟିକସ ପରିମାଣ କୋହଳ କରାଯିବ। ଏହାଦ୍ବାରା ବହୁ ପୁରୁଣା ଯାନଗୁଡିକର ମାଲିକମାନେ ସେମାନଙ୍କ ଗାଡ଼ିଗୁଡ଼ିକୁ ସ୍କ୍ରାପ୍ ଏବଂ ପଞ୍ଜୀକରଣ ରଦ୍ଦ କରିବାକୁ ଆଗେଇ ଆସିବେ। ଅନ୍ୟ ଯାନଗୁଡିକର ଗାଡ଼ିମାଲିକମାନେ ଯେଉଁମାନେ ସେମାନଙ୍କ ବ୍ୟବସାୟ କରିବାକୁ ଚାହଁୁଛନ୍ତି, ସେମାନେ ଟିକସ ରିଆତି ହାରରେ ଜମା କରିପାରିବେ। ଏହାଦ୍ବାରା ପର୍ଯ୍ୟାପ୍ତ ପରିମାଣର ବକେୟା ଟିକସ ସଂଗ୍ରହ ହେବା ସହିତ ଗାଡି ମାଲିକମାନେ ଲାଭବାନ ହୋଇପାରିବେ।

ସେହିପରି ରାଜ୍ୟ କ୍ୟାବିନେଟ ଗଞ୍ଜାମର ଗୋପାଳପୁରଠାରେ ସ୍ଥାପିତ ଟାଟା ଷ୍ଟିଲ ଶିଳ୍ପ ପାର୍କ ଅଞ୍ଚଳକୁ ସଂଯୋଗୀକରଣ ପଥ ନିର୍ମାଣ ଲାଗି ଏକ ଟେଣ୍ଡରକୁ ଅନୁମୋଦନ ଦେଇଛି। ୧୨୮.୮୮କୋଟି ଟଙ୍କାରେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୧୮ମାସରେ ଶେଷ ହେବ। ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ଜିଲାର ନିମ୍ନ ଅଦାଲତରେ ଥିବା ସିରସ୍ତାଦାର ଏଣିକି ମୁଖ୍ୟ ପ୍ରଶାସନିକ ଅଧିକାରୀ ପଦକୁ ରୂପାନ୍ତରିତ ହେବ।

Leave A Reply

Your email address will not be published.