୨୦୦୧ ଆଜିର ଦିନରେ ସଂସଦ ଉପରେ ହୋଇଥିଲା ଆକ୍ରମଣ, ପୁଣି ସେହି ଦିନରେ ପଶିଗଲେ ଦୁଇ ଅଜ୍ଞାତ ଯୁବକ

ନୂଆଦିଲ୍ଲୀ : ସେଦିନ ଥିଲା ୨୦୦୧ ମସିହା ଡିସେମ୍ବର ୧୩ ତାରିଖ। ପୂର୍ବାହ୍‌ଣରେ ଏକ ଆମ୍ବାସଡ଼ର କାର୍‌ରେ ନାଲି ବତି ଓ ନକଲି ଗୃହ ମନ୍ତ୍ରାଳୟ ଷ୍ଟିକର୍ ଲଗାଇ ସଂସଦ ଭବନ ମଧ୍ୟକୁ ପ୍ରବେଶ କରିଥିଲେ ପାଞ୍ଚ ଜଣ ସଶସ୍ତ୍ର ଆତଙ୍କବାଦୀ। କାର୍‌ଟି ୧୨ ନମ୍ବର୍ ବିଲ୍‌ଡିଙ୍ଗ୍ ଗେଟ୍ ଆଡ଼କୁ ଯାଉଥିବା ବେଳେ ସୁରକ୍ଷାକର୍ମୀମାନଙ୍କ ମନରେ ସନ୍ଦେହ ହୋଇଥିଲା। କାର୍ ପଛକୁ ଫେରାଇବାକୁ କହିବାରୁ ଆତଙ୍କବାଦୀମାନେ ଗାଡ଼ିରୁ ବାହାରି ଗୁଳି ଚଳାଇବା ଆରମ୍ଭ କରିଥିଲେ। ୩୦ ମିନିଟ ଧରି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବା ପରେ ପାଞ୍ଚ ଜଣ ଆତଙ୍କବାଦୀଙ୍କ ସମେତ ଆଠଜଣ ସୁରକ୍ଷା କର୍ମୀ ଓ ଜଣେ ମାଳୀ ମୃତ୍ୟୁବରଣ କରିଥିଲେ। ସୁରକ୍ଷା କର୍ମୀଙ୍କ ବଳିଦାନ ଯୋଗୁଁ ସଂସଦ ଭବନରେ ଉପସ୍ଥିତ ଶତାଧିକ ସାଂସଦ ଓ ମନ୍ତ୍ରୀଙ୍କୁ କ୍ଷତି ପହଞ୍ଚି ନ ଥିଲା।

ପରେ ଜଣା ପଡ଼ିଥିଲା ଯେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର୍-ଏ-ତୋଇବା ଓ ଜୈଶ୍-ଏ-ମହମ୍ମଦ ମିଳିତ ଭାବେ ଏହି ଯୋଜନାବଦ୍ଧ ଆକ୍ରମଣ କରିଥିଲେ। ଏହି ଘଟଣା ପରେ ଭାରତ-ପାକିସ୍ତାନ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଥିଲା। ମାମଲାର ତଦନ୍ତ ପରେ ଚାରି ଜଣ ଜୈଶ୍-ଏ-ମହମ୍ମଦ ଆତଙ୍କବାଦୀଙ୍କୁ କୋର୍ଟରେ ଦୋଷୀ ପ୍ରମାଣିତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଅଫଜଲ ଗୁରୁକୁ ଦୋଷୀ ସାବ୍ୟସ୍ତ କରି ୨୦୧୩ରେ ଫାଶୀ ଦିଆଯାଇଥିଲା।

Umasankar Adv
gpkandhamal

ଆଜି ସଂସଦ ଭବନ ଆକ୍ରମଣକୁ ୨୨ ବର୍ଷ ପୂର୍ତ୍ତି ଅବସରରେ ଆଜି ସକାଳେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ସୁରକ୍ଷା କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଶୀତ ଅଧିବେଶନର ଅଷ୍ଟମ ଦିନରେ ଅର୍ଥାତ୍ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ବାଚସ୍ପତି ଓମ ବିର୍ଲା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଜାତୀୟ ସଭାପତି ଜେପି ନଡ୍ଡା, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ, କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ ଏବଂ ଅନ୍ୟ ନେତାମାନେ ସଂସଦରେ ଏକତ୍ରିତ ହୋଇ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ତେବେ ସଂସଦ ଆକ୍ରମଣକୁ ୨୨ ବର୍ଷ ପୂର୍ତ୍ତି ଦିବସରେ ଆଜି ପୁଣି ଲୋକସଭାରେ ବଡ଼ ଧରଣର ସୁରକ୍ଷା ତ୍ରୁଟି ଦେଖାଦେଇଛି। ଆଜି ସଂସଦର ଶୀତକାଳୀନ ଅଧିବେଶନର ଅଷ୍ଟମ ଦିନର ଗୃହକାର୍ଯ୍ୟ ଚାଲିଥିବା ବେଳେ ହଠାତ ଦର୍ଶକ ଗ୍ୟାଲେରୀରୁ ସଂସଦ ଭିତରକୁ ଦୁଇ ଯୁବକ ଡେଇଁ ପଡିଥିଲେ। ଦୁଇ ଯୁବକ ଗୃହ ଭିତରକୁ ଡେଇଁପଡିବା ପରେ ତାଙ୍କ ଜୋତାରୁ ହଳଦିଆ ରଙ୍ଗର ପାଉଚ୍‌ ବାହାର କରିଥିଲେ। ଏଥିରୁ ଧୁଆଁ ଭଳି କିଛି ସାମଗ୍ରୀ ବାହାରିଥିଲା। ଏହାଦେଖି ସେମାନଙ୍କୁ କାବୁ କରିବାକୁ ଲୋକସଭା ସୁରକ୍ଷା କର୍ମୀ ତୁରନ୍ତ ଆକ୍ସନ ମୁଡକୁ ଆସି ଯାଇଥିଲେ। ସେମାନଙ୍କୁ ନିୟନ୍ତ୍ରଣକୁ ଆଣିବାକୁ ଟିୟର୍ ଗ୍ୟାସ୍‌ର ପ୍ରୟୋଗ କରିଥିଲେ। ମାତ୍ର କିଛି ସାଂସଦ ସେମାନଙ୍କୁ କାବୁ କରି ଉଭୟଙ୍କୁ ଲୋକସଭା ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରିଥିଲେ। ଏହି ଘଟଣା ପରେ ବାଚସ୍ପତି ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବି କରିଛନ୍ତି।ଉଭୟଙ୍କୁ କାବୁ କରି ପାର୍ଲାମେଣ୍ଟ ଥାନାକୁ ନିଆଯାଇଛି ସେଠାରେ ସେମାନଙ୍କୁ ଘନଘନ ପଚରାଉଚରା କରାଯାଉଛି। ତେବେ ସେମାନେ କିଏ ଓ କେଉଁ ଉଦ୍ଦେଶ୍ୟରେ ଏପରି କାଣ୍ଡ ଘଟାଇବାକୁ ଉଦ୍ୟମ କଲେ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରିନି।

Leave A Reply

Your email address will not be published.