ବନ୍ୟା ବିତ୍ପାତ: ଓଡ଼ିଶାର ବାର୍ଷିକ ହାରାହାରି କ୍ଷତି ୫୯୬ କୋଟି ଟଙ୍କା, କେନ୍ଦ୍ର ସହାୟତା ସମୁଦ୍ରକୁ ଶଙ୍ଖେ

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟର ଚିର ସହଚର ଓଡ଼ିଶା ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର କ୍ଷତି ସହୁଛି। ନିଜ ସାମର୍ଥ୍ୟ ବଳରେ ଓଡ଼ିଶା ନିୟମିତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରୁଥିବା ବେଳେ ଏନେଇ ପର୍ଯ୍ୟାପ୍ତ ଅର୍ଥ ମଧ୍ୟ ଖର୍ଚ୍ଚ କରୁଛି। ତେବେ ସଂଘୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ କେନ୍ଦ୍ର ସରକାର ବନ୍ୟା ମୁକାବିଲା ତଥା ଏହି ବିପର୍ଯ୍ୟୟର ସବୁଦିନିଆ ମୁକାବିଲା ପାଇଁ ଯେତିକି ସହଯୋଗ କରିବା କଥା କରୁନାହାନ୍ତି। ଏନେଇ ବିଭିନ୍ନ ମହଲରେ ଅଭିଯୋଗ ହୋଇ ଆସୁଥିବା ବେଳେ ସିଧାସଳଖ ନ ହେଲେ ମଧ୍ୟ ଏହାକୁ କେନ୍ଦ୍ର ସରକାର ପରୋକ୍ଷରେ ସ୍ୱୀକାର କରିଛନ୍ତି। କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଅନୁଯାୟୀ ବନ୍ୟା ପରିଚାଳନା କ୍ଷେତ୍ରରେ ୨୦୧୭ ମସିହାରୁ ୨୦୨୨ ମଧ୍ୟରେ ମାତ୍ର ୧୧୯ କୋଟି ୪୨ ଲକ୍ଷ ଟଙ୍କା ମିଳିଛି। ଅପରପକ୍ଷେ ରାଜ୍ୟ ସରକାର ୨୦୧୮-୧୯ରୁ ୨୦୨୨-୨୩ ମଧ୍ୟରେ ବନ୍ୟା ପରିଚାଳନା ସହ ଏହାର ମୁକାବିଲା ପାଇଁ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ପ୍ରାୟ ୩୭୪୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

gpkandhamal

ତେବେ କେନ୍ଦ୍ରମନ୍ତ୍ରୀ ବନ୍ୟା ପରିଚାଳନା ନିମନ୍ତେ ରାଜ୍ୟ ସରକାର ବିପୁଳ ଅର୍ଥ ବ୍ୟୟ କରିବା ସ୍ୱୀକାର କରିଥିଲେ ହେଁ ନିଜ ଦାୟିତ୍ୱକୁ ଏଡ଼ାଇଯିବା ସାଧାରଣରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ମନ୍ତ୍ରୀଙ୍କ ସୂଚନା ଅନୁସାରେ ବନ୍ୟା ନିୟନ୍ତ୍ରଣ ରାଜ୍ୟ ସରକାରଙ୍କ ଅଧୀନସ୍ଥ ଏବଂ ଏହାର ପରିଚାଳନା, ଡ୍ରେନେଜ ପ୍ରକଳ୍ପ ସମ୍ପୃକ୍ତ ରାଜ୍ୟ ସରକାରଗୁଡ଼ିକ ନିଜର ଆବଶ୍ୟକତା ତଥା ଅଗ୍ରାଧିକାର ଭିତ୍ତିରେ ନିଜ ଅର୍ଥରେ କାର୍ଯ୍ୟକାରୀ କରିଥାନ୍ତି। କେନ୍ଦ୍ର ସରକାର କେବଳ ବୈଷୟିକ ସହାୟତା ଏବଂ ଅତ୍ୟାବଶ୍ୟକ ସ୍ଥିତିରେ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି। ମନ୍ତ୍ରୀ ଏପରି ବୟାନ କେବଳ ନିଜ ଦାୟିତ୍ୱରୁ ଖସିଯିବା ପାଇଁ ଉଦ୍ଦିଷ୍ଟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Umasankar Adv
Leave A Reply

Your email address will not be published.