ଭୁବନେଶ୍ବର: ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଠିକ୍ ସମୟରେ ଓଡ଼ିଶା ଛୁଇଁବ। ସ୍ବାଭାବିକ ବର୍ଷା ମଧ୍ୟ ହେବ। ସମୁଦ୍ର ଓ ବାୟୁମଣ୍ଡଳର ସ୍ଥିତିରୁ ବିଶ୍ବର ପ୍ରମୁଖ ପାଣିପାଗ ସଂସ୍ଥାଗୁଡ଼ିକ ସଂଗ୍ରହ କରିଥିବା ତଥ୍ୟ ଅନୁଯାୟୀ ଏଭଳି ଆକଳନ କରାଯାଇଛି। ତେଣୁ ଚାଷୀମାନେ ସେହି ଅନୁସାରେ ପ୍ରସ୍ତୁତ ହେବାକୁ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳନ କହିଛନ୍ତି। ବିଭିନ୍ନ ମଡେଲ୍କୁ ଅନୁଧ୍ୟାନ କରି ପ୍ରଫେସର ପଶୁପାଳକ କହିଛନ୍ତି ଯେ ଏଥର ମୌସୁମୀ ପର୍ଯ୍ୟନ୍ତ ଏଲ୍-ନିନୋ ଆସିବ ନାହିଁ। ତେଣୁ ଜୁନ୍ ମାସରେ ସ୍ବାଭାବିକ ବର୍ଷା ହେବ। ସାଧାରଣତଃ ଏଲ୍-ନିନୋ ସମୟରେ ମୌସୁମୀ ବର୍ଷା କମିଥାଏ। ମୌସୁମୀକୁ ପ୍ରଭାବିତ କରୁଥିବା ଦ୍ବିତୀୟ କାରଣ ହେଉଛି ଇଣ୍ଡିଆନ୍ ଓସେନ୍ ଡାଇପୋଲ୍(ଆଇଓଡି)। ଆଇଇଡି ପଜେଟିଭ୍ ରହିଲେ ମୌସୁମୀ ବର୍ଷା ଭଲ ହୋଇଥାଏ। ଏଥର ଜୁନ୍ ପର୍ଯ୍ୟନ୍ତ ଆଇଇଡି ପଜିଟିଭ୍ ରହିବ। ଜୁଲାଇଠାରୁ ନେଗେଟିଭ୍ ହେବାକୁ ଥିବାରୁ ମୌସୁମୀରେ ଏହାର ପ୍ରଭାବ ପଡ଼ିବ। ଏପ୍ରିଲ ମାସରେ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ। ମେ’ ଓ ଜୁନ୍ରେ ସ୍ବାଭାବିକ ଏବଂ ଜୁଲାଇରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇପାରେ ବୋଲି ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ପରବର୍ତ୍ତୀ ସମୟରେ ପାଣିପାଗ ସ୍ଥିତିକୁ ନେଇ ଅଧିକ ଆକଳନ କରାଯିବ ବୋଲି ସେ କହିଛନ୍ତି।