ବୁଝାମଣା ପାଇଁ ବ୍ୟାକୁଳ ନକ୍ସଲ

ମାଲକାନଗିରି: ଲଢ଼ିବା ପାଇଁ ଶକ୍ତି ନାହିଁ। ତେଣୁ ସରକାରଙ୍କ ସହ ବୁଝାମଣା କରିବାକୁ ବ୍ୟାକୁଳ ନକ୍ସଲ ସଂଗଠନ। ସପ୍ତାହକ ମଧ୍ୟରେ ଦ୍ବିତୀୟ ଥର ଶାନ୍ତି ଆଲୋଚନା ଲାଗି ପ୍ରସ୍ତାବ ଦେଇଛନ୍ତି। ପଶ୍ଚିମ ବସ୍ତର ଡିଭିଜନାଲ୍‌ କମିଟି ସଚିବ ରୂପେଶ ପ୍ରେସ୍‌ ବିବୃତ୍ତିରେ ଶାନ୍ତିବାର୍ତ୍ତା ନିମନ୍ତେ ପ୍ରୟାସ ଆରମ୍ଭ କରାଯାଉ ବୋଲି ଅନୁରୋଧ କରିଛନ୍ତି। ସଂଗଠନର କେନ୍ଦ୍ରୀୟ କମିଟି ଓ ଷ୍ଟେଟ କମିଟି ସଦସ୍ୟ ଏବେ ସୁରକ୍ଷିତ ନାହାନ୍ତି। ତେଣୁ ସରକାର ନେଉଥିବା ପଦକ୍ଷେପର କୌଣସି ଉତ୍ତର ଦେଇପାରିନୁ। ସୁରକ୍ଷା କାରଣରୁ ଗଣମାଧ୍ୟମରୁ ହିଁ ସରକାରଙ୍କ ପଦକ୍ଷେପ ବିଷୟରେ ଅବଗତ ହେଉଛୁ। ସରକାରଙ୍କ ସହ ଆଲୋଚନା ପାଇଁ ଆମେ ପ୍ରସ୍ତୁତ ଅଛୁ। କିନ୍ତୁ କଗାର ନାଁରେ ଚାଲିଥିବା ହତ୍ୟାକାଣ୍ଡକୁ ପ୍ରଥମେ ବନ୍ଦ କରାଯାଉ। ଆଲୋଚନା ନିମନ୍ତେ ସୁସ୍ଥ ପରିବେଶ ମଧ୍ୟ ସୃଷ୍ଟି କରାଯାଉ। ଏହି ବିଷୟରେ ସମସ୍ତ କମ୍ରେଡ୍‌ଙ୍କୁ ସୂଚନା ଦିଆଯାଇଛି। ସଦସ୍ୟମାନେ ଏମିତି କାମ କରିବେ ନାହିଁ ଯାହା ଶାନ୍ତି ଆଲୋଚନାକୁ ପ୍ରଭାବିତ କରିବ, ସେଥିପ୍ରତି ଅତ୍ୟଧିକ ଗୁରୁତ୍ବ ଦିଆଯାଇଛି। ତେବେ ଛତିଶଗଡ଼ ଗୃହମନ୍ତ୍ରୀ ବିଜୟ ସିଂଙ୍କ ବୟାନ ଗ୍ରହଣୀୟ ନୁହେଁ। ସେ ଅପରେସନ୍‌ କଗାରକୁ ଜାରି ରଖିବେ ବୋଲି କହିଛନ୍ତି। ଯଦି ଅପରେସନ୍‌ ଜାରି ରହିବ ତେବେ ଆଲୋଚନା ପାଇଁ କେବେ ବି ବାଟ ଫିଟିବ ନାହିଁ ବୋଲି ରୂପେଶ ସ୍ପଷ୍ଟ କରିଛନ୍ତି।

Leave A Reply

Your email address will not be published.