ତାତି ୪୫ଂ ଡେଇଁଲା, ଅଧା ଓଡ଼ିଶା ଜଳୁଛି: ଝାରସୁଗୁଡ଼ା ଦେଶର ଦ୍ବିତୀୟ ଉତ୍ତପ୍ତ, ଆସନ୍ତା ୩ ଦିନରେ ବଢ଼ିବ ୫ ଡିଗ୍ରି

ଭୁବନେଶ୍ବର: ତତଲା ତାୱାରେ ସିଝୁଛି ଓଡ଼ିଶା। କେଉଁଠି ତାତି ତ ଆଉ କେଉଁଠି ଗୁଳୁଗୁଳି ଅସ୍ତବ୍ୟସ୍ତ କରି ପକାଇଛି। ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସହରରେ ଆକାଶରୁ ନିଆଁ ବର୍ଷା ହେଉଛି। ସ୍ଥିତି ଏମିତି ହୋଇଛି ଯେ ଝାରସୁଗୁଡ଼ାରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ୪୫.୪ ଡିଗ୍ରି ରେକର୍ଡ ସହ ପ୍ରଥମଥର ପାଇଁ ଓଡ଼ିଶାର କୌଣସି ସହର ତାପମାତ୍ରା ୪୫ ଡିଗ୍ରି ଅତିକ୍ରମ କରିଛି। ଝାରସୁଗୁଡ଼ା ଦେଶର ଦ୍ବିତୀୟ ଉତ୍ତପ୍ତ ସହରରେ ପରିଣତ ହୋଇଛି। ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଆଜି ଦିନର ତାପମାତ୍ରା ୪୫.୬ ଡିଗ୍ରି ରହିବା ସହ ଦେଶର ଉତ୍ତପ୍ତ ସହର ପାଲଟିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଝାରସୁଗୁଡ଼ା ସମେତ ୧୪ଟି ସହରର ତାପମାତ୍ରା ୪୦ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିଥିଲା। ସମ୍ବଲପୁର ଓ ବୌଦ୍ଧରେ ୪୩.୨ ଡିଗ୍ରି, ଟିଟିଲାଗଡ଼ ଓ ସୁନ୍ଦରଗଡ଼ରେ ୪୩, ଭବାନୀପାଟଣାରେ ୪୨.୫, ହୀରାକୁଦରେ ୪୨.୪, ବଲାଙ୍ଗୀରରେ ୪୨.୩, ସୋନପୁରରେ ୪୨.୧, ବରଗଡ଼‌ ଓ ରାଉରକେଲାରେ ୪୨, ଅନୁଗୁଳରେ ୪୧.୭, ନୂଆପଡ଼ାରେ ୪୧.୫, ପାରଳାଖେମୁଣ୍ଡିରେ ୪୦ ଡିଗ୍ରି ରେକର୍ଡ କରାଯାଇଛି। ଆଜି ପୂର୍ବାହ୍ନରୁ ଡହଡହ ଖରା ସାଙ୍ଗକୁ ଗୁଳୁଗୁଳି ଏମିତି ହୋଇଥିଲା ଯେ ସକାଳର କଅଁଳ ଖରା ଉଭେଇ ଯାଇଥିଲା। ସକାଳ ୯ଟାରେ ପଶ୍ଚିମ ଓଡ଼ିଶାରେ ମଧ୍ୟାହ୍ନ ଭଳି ଖରା ହୋଇଥିଲା। ଆଜି ପୂର୍ବାହ୍ଣ ୧୧ଟା ବେଳକୁ ଝାରସୁଗୁଡ଼ା ସହରର ତାପମାତ୍ରା ୪୧ ଡିଗ୍ରିରେ ପହଞ୍ଚିଯାଇଥିବା ବେଳେ ଅନ୍ୟ ସହରଗୁଡ଼ିକରେ ଅନୁରୂପ ତାତି ପରିଲକ୍ଷିତ ହୋଇଥିଲା। ଦିନ ବଢ଼ିବା ସହ ତାପମାତ୍ରା ମଧ୍ୟ ହୁହୁ ହୋଇ ଆଗକୁ ମାଡ଼ି ଚାଲିଥିଲା। ଅପରାହ୍ନରେ ଦିନର ତାପମାତ୍ରା ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ସହ ଏବର୍ଷର ରେକର୍ଡ ସୃଷ୍ଟି କରିଛି। ସନ୍ଧ୍ୟା ୬ଟା ଯାଏଁ ତତଲା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଥିଲା। ଉପକୂଳ ଓଡ଼ିଶାରେ ତାପମାତ୍ରା କମ୍‌ ରହିଥିଲେ ମଧ୍ୟ ଆର୍ଦ୍ରତା ଅଧିକ ରହିଥିବାରୁ ଗୁଳୁଗୁଳି ଅନୁଭୂତ ହୋଇଥିଲା। ରାୟଗଡ଼ାରେ ୮୬% ଆର୍ଦ୍ରତା ରହିଥିବା ବେଳେ ମାଲକାନଗିରି ୮୫%, ଗୋପାଳପୁରରେ ୮୩%, ଖୋର୍ଦ୍ଧାରେ ୮୨%, ପାରାଦୀପ, ଛତ୍ରପୁର ଓ ନୟାଗଡ଼ରେ ୮୧%, ପୁରୀ, ବାଲେଶ୍ବର ଓ ବାରିପଦାରେ ୮୦% ରହିଥିଲା। ଭୁବନେଶ୍ବରରେ ୭୦% ଓ କଟକରେ ୭୩% ଥିଲା।  ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଗାମୀ ୩ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ାରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରିରୁ ଅଧିକ ରହିବ। ୨୨ ତାରିଖରେ ଝାରସୁଗୁଡ଼ା ତାପମାତ୍ରା ୪୬ ଡିଗ୍ରି ଛୁଇଁବାର ସମ୍ଭାବନା ରହିଥିବା ବେଳେ ବଲାଙ୍ଗୀର, ଟିଟିଲାଗଡ଼, ବୌଦ୍ଧ, ସମ୍ବଲପୁର, ରାଉରକେଲା ଓ ନୂଆପଡ଼ା  ତାପମାତ୍ରା ୪୩ ଡିଗ୍ରି ଉପରେ ରହିପାରେ। ୨୩ ଓ ୨୪ ତାରିଖରେ ଝାରସୁଗୁଡ଼ା ତାପମାତ୍ରା ୪୭ ଡିଗ୍ରି ମୁହାଁ ହେବ। ବଲାଙ୍ଗୀର ଓ ବୌଦ୍ଧରେ ୪୫ ଡିଗ୍ରି ଡେଇଁବାକୁ ଥିବା ବେଳେ ସୁନ୍ଦରଗଡ଼, ରାଉରକେଲା, ନୂଆପଡ଼ା, ଟିଟିଲାଗଡ଼, ସୋନପୁରର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରି ଉପରେ ରହିବାର ପୂର୍ବାନୁମାନ କରି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Leave A Reply

Your email address will not be published.