ଭୁବନେଶ୍ବର: ବିଜେଡିରେ ସାଂଗଠନିକ ନବକଳେବରରେ ଦିନକୁ ଦିନ ଅଡ଼ୁଆ ବଢ଼ିବାରେ ଲାଗିଛି। ବରିଷ୍ଠ ନେତାଙ୍କ ପତ୍ତା କାଟିବାକୁ ଚାଲିଥିବା ଷଡ୍ଯନ୍ତ୍ର ଏବେ ଦଳ ଭିତରେ ଅବିଶ୍ବାସ ଓ ଅସନ୍ତୋଷର ବାତାବରଣ ସୃଷ୍ଟି କରିଛି। ବିଜେଡିର ସାଂଗଠନିକ ନବକଳେବରକୁ ପରଦା ପଛରେ କିଏ ନିୟନ୍ତ୍ରଣ କରୁଛି, ତାହା ସମସ୍ତେ ଜାଣିଥିଲେ ବି କେହି ମୁହଁ ଖୋଲୁ ନାହାନ୍ତି। କିନ୍ତୁ ଉପରକୁ ସବୁ ଯୋଜନା ପ୍ରସ୍ତୁତ କରିବାର ଦାୟିତ୍ବ ନେଇଥିବା ସପ୍ତରଥୀ ଏବେ ଅଡ଼ୁଆରେ ପଡ଼ିଯାଇଛନ୍ତି। ଯଦି ବରିଷ୍ଠଙ୍କ ପତ୍ତା କାଟିବାକୁ ଚାଲିଥିବା ଷଡ୍ଯନ୍ତ୍ର ସଫଳ ହୁଏ, ତେବେ ଏମାନେ ସାଧାରଣରେ ନିନ୍ଦିତ ହେବା ସ୍ପଷ୍ଟ। ଫଳରେ ଆଜି ଏହି ପ୍ରସଙ୍ଗରେ ସାତ ନେତା ଦଳର ସଭାପତିଙ୍କୁ ଭେଟି ଆଲୋଚନା କରିଛନ୍ତି। କିନ୍ତୁ ଏହି ସାତ ଜଣଙ୍କ ଭିତରେ ବି ଫାଟ ଥିବା ନେଇ ଦଳୀୟ ମହଲରେ ଚର୍ଚ୍ଚା ଚାଲିଛି। ବିଜେଡି ସଂଗଠନରେ ପାଣ୍ଡିଆନଙ୍କ ପ୍ରଭାବ ବିରୋଧରେ ବହୁ ବରିଷ୍ଠ ନେତା ମୁହଁ ଖୋଲିଥିଲେ। ଏହି ସମସ୍ତ ନେତା ଏବେ ଟାର୍ଗେଟ୍ରେ। କିନ୍ତୁ ସମସ୍ତଙ୍କୁ ଆଡ଼େଇ ଦେଲେ ସଂଗଠନରେ ଖୋଲା ବିଦ୍ରୋହ ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ସେମାନଙ୍କ ମଧ୍ୟରୁ କିଛି ନେତାଙ୍କୁ ଦୂରେଇ ଦେବାକୁ ଯୋଜନାବଦ୍ଧ ଉଦ୍ୟମ ଆରମ୍ଭ ହୋଇଛି। ଏହା ଦ୍ବାରା ବରିଷ୍ଠଙ୍କ ଭିତରେ ଫାଟ ସୃଷ୍ଟି ହେବ ଏବଂ ଅନ୍ୟମାନଙ୍କୁ ସତର୍କ କରାଇବାରେ ଏହା ସହାୟକ ହେବ। ଏହି ଯୋଜନାର ଅଂଶ ଭାବେ ବିଜେଡି ରାଜ୍ୟ ପରିଷଦ ବୈଠକରେ କିଛି ବରିଷ୍ଠ ନେତାଙ୍କୁ ଡକାଗଲା ନାହିଁ। ତେବେ ଦଳର ଏପରି ଆଭିମୁଖ୍ୟ ବିଜେଡିର ଆଭ୍ୟନ୍ତରୀଣ ଅସନ୍ତୋଷକୁ ଆହୁରି ବଢ଼ାଇବାରେ ଲାଗିଛି। ବିଜେଡିରେ ଏବେ ସାଂଗଠନିକ କାର୍ଯ୍ୟ ସମ୍ପର୍କରେ ନିଷ୍ପତ୍ତି ନେବାକୁ ସାତ ଜଣ ନେତା ବାରମ୍ବାର ବୈଠକ କରୁଥିବା ଜଣାପଡ଼ିଛି। ସେମାନେ ହେଲେ ଦେବୀପ୍ରସାଦ ମିଶ୍ର, ଅରୁଣ ସାହୁ, ପ୍ରତାପ କେଶରୀ ଦେବ, ସଞ୍ଜୟ ଦାସବର୍ମା, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ ଓ ପ୍ରଣବ ପ୍ରକାଶ ଦାସ। ବାସ୍ତବରେ ଏମାନଙ୍କ କଥା ରହୁଛି ନା ଭିତରେ ଆଉ କିଏ ନିଷ୍ପତ୍ତି ନେଉଛି, ତାହା ଦଳୀୟ ନେତାମାନେ ସ୍ପଷ୍ଟ ହୋଇପାରୁ ନାହାନ୍ତି। ଏବେ ସାଂଗଠନିକ ନିର୍ବାଚନକୁ ନେଇ ଅସନ୍ତୋଷ ଦେଖାଦେଉଥିବାରୁ ଏହି ସପ୍ତରଥୀ ହରଡ଼ଘଣାରେ ପଡ଼ିଯାଇଛନ୍ତି। କାଳେ ଦୋଷ ସେମାନଙ୍କ ଉପରକୁ ଆସିବ, ତେଣୁ ସେମାନେ ସିଧାସଳଖ ନବୀନ ନିବାସକୁ ଦୋଷ ଠେଲିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ନିଜ ଉପରୁ ଦୋଷ ଖସାଇବା ପାଇଁ ଆଜି ଏହି ସାତ ଜଣ ମିଳିତ ଭାବେ ନବୀନଙ୍କୁ ଭେଟିଥିଲେ। ଲମ୍ବା ସମୟ ଧରି ଆଲୋଚନା ହୋଇଥିଲା। ସଂଗଠନରେ କୌଣସି ବରିଷ୍ଠ ନେତାଙ୍କୁ ଅଣଦେଖା ନକରିବା ପାଇଁ ସେମାନେ ସଭାପତିଙ୍କୁ ଅନୁରୋଧ କରିଥିଲେ। ତେବେ ନବୀନ ସ୍ପଷ୍ଟ ଭାବେ କିଛି ପ୍ରତିଶ୍ରୁତି ଦେଇ ନଥିଲେ। ଅପରପକ୍ଷରେ ଏହି ସପ୍ତରଥୀଙ୍କୁ ନେଇ ବି ସନ୍ଦେହ ବଢ଼ିବାରେ ଲାଗିଛି। କାରଣ ଏମାନଙ୍କ ମଧ୍ୟରୁ ପ୍ରଣବ ପ୍ରକାଶ ଦାସ ନିଜକୁ ବିଜେଡିର ତୃତୀୟ କ୍ଷମତା କେନ୍ଦ୍ର ଭାବେ କିଛି ବର୍ଷ ହେଲା ଅଭିହିତ କରୁଥିଲେ। ପାଣ୍ଡିଆନଙ୍କ ଅତ୍ୟନ୍ତ ବିଶ୍ବସ୍ତ ହୋଇ ସବୁ କରୁଥିଲେ। ଦଳର ପରାଜୟ ପଛରେ ପାଣ୍ଡିଆନଙ୍କ ସହ ପ୍ରଣବଙ୍କୁ ସମସ୍ତେ ଦାୟୀ କରୁଛନ୍ତି। କିନ୍ତୁ ଏବେ ପୁଣି ପ୍ରଣବଙ୍କ ସକ୍ରିୟତାକୁ ଅନ୍ୟ ନେତାମାନେ ବରଦାସ୍ତ କରିବା ସ୍ଥିତିରେ ନାହାନ୍ତି। ସେ ଏବେ ବି ପାଣ୍ଡିଆନଙ୍କ ପାଇଁ କାମ କରୁଛନ୍ତି ବୋଲି ଏକ ଧାରଣା ବଳବତ୍ତର ରହିଛି। ପ୍ରଣବଙ୍କ ମାଧ୍ୟମରେ ପାଣ୍ଡିଆନ ନିଜର ଏଜେଣ୍ଡା ପୂରଣ କରୁଥିବାର ଆଶଙ୍କା ଦେଖାଦେଇଛି। ପ୍ରଣବଙ୍କ ବାଦ୍ ସପ୍ତରଥୀଙ୍କ ମଧ୍ୟରେ ଆଉ ଜଣେ ନେତା ମଧ୍ୟ ସମାନ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା କୁହାଯାଉଛି। ଦଳରେ ଏପରି ସ୍ଥିତିକୁ ନେଇ ନେତା ଓ କର୍ମୀମାନେ ସନ୍ଦେହରେ ପଡ଼ିଯାଇଛନ୍ତି। ବାସ୍ତବରେ ଦଳକୁ ମଜଭୁତ କରିବାକୁ ରଣନୀତି ହେଉଛି ନା ଭାଙ୍ଗିବାକୁ ଷଡ୍ଯନ୍ତ୍ର ରଚନା କରାଯାଉଛି, ତାହା କେହି ବୁଝିପାରୁ ନାହାନ୍ତି। ତେବେ ଆଜି ନବୀନ ନିବାସରୁ ବାହାରିଲା ପରେ ନେତାମାନେ ଏହା ନିୟମିତ ଭେଟଘାଟ କହି ଏଡ଼ାଇ ଯାଇଥିଲେ। ଅରୁଣ ସାହୁ ଓ ଦେବୀ ମିଶ୍ର ଗଣମାଧ୍ୟମକୁ କହିଥିଲେ, ନବୀନ ବାବୁଙ୍କ ସହ ସାଂଗଠନିକ ଆଲୋଚନା ହେଲା। ଦଳ କିପରି ରଣନୀତି ନେଇ ଆଗକୁ ନେଇ ବଢ଼ିବ, ସେ ସମ୍ପର୍କରେ ଆଲୋଚନା ହୋଇଥିଲା।