ପାଟଣାଗଡ଼ : ପହଲଗାମ ଆକ୍ରମଣରେ ଆଉ ଜଣେ ଓଡ଼ିଆଙ୍କ ମୃତ୍ୟୁ ହୋଇଛି । ପହଲଗାମ ଆତଙ୍କୀ ଆକ୍ରମଣରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଲାଠୋର ଗାଁର ପ୍ରୟାଗ ଚାନ୍ଦ ଅଗ୍ରୱାଲଙ୍କ ସାନପୁଅ ଦିନେଶ ଅଗ୍ରୱାଲଙ୍କ ମୃତ୍ୟୁ ହୋଇଛି । ଦିନେଶ ଦୀର୍ଘ ଦିନରୁ ଛତିଶଗଡ ରାୟପୁରରେ ବସବାସ କରୁଥିବାରୁ ତାଙ୍କ ପାର୍ଥିବ ଶରୀର ରାୟପୁର ପହଞ୍ଚିଛି । ଜନ୍ମସ୍ଥାନ ଲାଠୋରରେ ଦିନେଶଙ୍କ ମୃତ୍ୟୁ ଖବର ପାଇବାପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଦୀନେଶ ୨୦ତମ ବିବାହ ବାର୍ଷିକୀ ମନାଇବା ପାଇଁ ସ୍ତ୍ରୀ, ପୁଅ ଓ ଝିଅଙ୍କ ସହ କାଶ୍ମୀର ଯାଇଥିଲେ । ସେହିପରି ଜମ୍ମୁ କଶ୍ମୀରର ପହଲଗାମରେ ମଙ୍ଗଳବାର ଅପରାହ୍ଣରେ ଘଟିଥିବା ଆତଙ୍କବାଦୀଙ୍କ ଗୁଳିମାଡ଼ର ଶିକାର ହୋଇଛନ୍ତି ବାଲେଶ୍ବର ଜିଲ୍ଲାର ରେମୁଣା ଇଷାଣୀ ଗାଁର ପ୍ରଶାନ୍ତ ଶତପଥୀ । ଗତକାଲି ଜନ୍ମମାଟିରେ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ ପହଞ୍ଚିଛି । କାନ୍ଦ ବୋବାଳିରେ ଫାଟି ପଡୁଛି ପରିବାର । ବିଳମ୍ବିତ ରାତିରେ ପ୍ରଶାନ୍ତଙ୍କ ମର ଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲା । ସେଠାରେ ସରକାରଙ୍କ ପକ୍ଷରୁ ମୃତଦେହ ଗ୍ରହଣ କରିଥିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । କନକ ବର୍ଦ୍ଧନ କହିଛନ୍ତି, ପହଲଗାମ ଗୁଳିକାଣ୍ଡ ଭୀରୁତା । ପ୍ରଧାନମନ୍ତ୍ରୀ ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବେ । ଆଜି ପ୍ରଶାନ୍ତଙ୍କ ଗାଁକୁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗତକାଲି ପ୍ରଶାନ୍ତଙ୍କ ଗାଁରେ କ୍ୟାଣ୍ଡେଲ ଶୋଭାଯାତ୍ରା ହୋଇଥିଲା ।