ପ୍ରଶାନ୍ତଙ୍କୁ ନେଇ କାହିଁ କେତେ ସ୍ୱପ୍ନ ଦେଖିଥିଲେ ପ୍ରିୟଦର୍ଶିନୀ, ମରଣ ପରେ ବି ନିଜ ସ୍ୱାମୀଙ୍କ ହାତ ଛାଡୁ ନାହାନ୍ତି ସ୍ତ୍ରୀ

ଭୁବନେଶ୍ୱର : କାହିଁ କେତେ ସ୍ୱପ୍ନ ଥିଲା । ଖୁସିରେ କିଛି ଦିନ କାଟିବା ପାଇଁ ବୁଲିଯାଇଥିଲେ ଜମ୍ମୁକାଶ୍ମୀରର ସବୁଠୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ପହଲଗାମ । ଘରକୁ ଫେରିବାକୁ ଆଉ କିଛି ଦିନ ଥିଲା । କିନ୍ତୁ ବିଧାତାର ବିଧି ଥିଲା କିଛି ଅଲଗା । ଏମିତି କିଛି ଭାବି ଭାବି ଆଖିରୁ ଲୁହ ଝରାଉଛନ୍ତି ମୃତ ପ୍ରଶାନ୍ତ ଶତପଥୀଙ୍କ ସ୍ତ୍ରୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ । ମରଣ ପରେ ବି ନିଜ ସ୍ୱାମୀଙ୍କ ହାତ ଛାଡୁ ନାହାନ୍ତି ସ୍ତ୍ରୀ । ଯିଏ ଯେତେ ବୁଝାଇଲେ ବି ପ୍ରିୟଦର୍ଶିନୀଙ୍କ ମନ କୋଉ ବୁଝୁଛି । ଛଳ ଛଳ ଆଖି ଆଉ ଛାତି ତଳର କୋହକୁ କେମିତି ବା ଲୁଚାଇବେ । ପ୍ରଶାନ୍ତଙ୍କ ଯିବା ପରେ ଏତେ ବଡ଼ ସଂସାର ଭିତରେ ଏକା ହୋଇଗଲେ ସ୍ତ୍ରୀ ପ୍ରିୟଦର୍ଶିନୀ । ସ୍ବାମୀଙ୍କ ମରଶରୀରକୁ ଦେଖି ବାରମ୍ବାର ଚେତା ହରାଉଛନ୍ତି ପ୍ରଶାନ୍ତଙ୍କ ପତ୍ନୀ । ସବୁ ଦିନ ପାଇଁ ସମସ୍ତଙ୍କୁ ପର କରି ଆରପାରିକୁ ଚାଲିଗଲେ ପ୍ରଶାନ୍ତ ଏକଥାକୁ ସହଜରେ ବିଶ୍ୱାସ କରୁନାହାନ୍ତି ପ୍ରିୟଦର୍ଶିନୀ । ଏମିତି ହଠାତ୍ ଅଘଟଣ ଘଟିବ ଆଉ ପ୍ରଶାନ୍ତଙ୍କ ଜୀବନ ଚାଲିଯିବ ବୋଲି କେବେ ଭାବି ନଥିଲେ ସ୍ତ୍ରୀ । ସୂଚନା ଅନୁସାରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଓଡିଆ ପୁଅ ପ୍ରଶାନ୍ତ ଶତପଥୀଙ୍କ ମର ଶରୀର ବୁଧବାର ରାତି ୧୨.୩୦ ମିନିଟ୍ ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଥିଲା  । ପତ୍ନୀ ପ୍ରିୟଦର୍ଶିନୀ ଓ ପୁଅ ତନୁଜ ମଧ୍ୟ ତାଙ୍କ ସହ ଫେରିଛନ୍ତି  । ଗତକାଲି ସ୍ୱତନ୍ତ୍ର ବିମାନରେ ଦିନ ୨. ୩୫ ମିନିଟରେ ପ୍ରଶାନ୍ତଙ୍କ ପାର୍ଥିବ ଶରୀର ଶ୍ରୀନଗରରୁ ଦିଲ୍ଲୀ ଅଭିମୁଖେ ବାହାରିଥିଲା  । ନୂଆଦିଲ୍ଲୀରୁ ପୁଣି ଅନ୍ୟ ଏକ ବିମାନରେ ପାର୍ଥିବ ଶରୀର ଭୁବନେଶ୍ୱର ଆସିଛି  । ମରଶରୀର ସହ ଶ୍ରୀନଗର ଯାଇଥିବା ପ୍ରଶାନ୍ତଙ୍କ ସାନ ଭାଇ ବସନ୍ତ ଶତପଥୀ, ଦିଲ୍ଲୀରେ ରହୁଥିବା ଭଉଣୀ ଶ୍ରାବଣୀ ଶତପଥୀ ଓ ଭିଣୋଇ ମନୋରଞ୍ଜନ ମହାନ୍ତି ଓଡ଼ିଶା ଆସିଛନ୍ତି  ।

Leave A Reply

Your email address will not be published.