ନିଛାଟିଆ ସ୍ଥାନ ଦେଖି ବ୍ୟକ୍ତିଙ୍କୁ କଲେ ଆକ୍ରମଣ, ଲୁଟିନେଲେ ୩୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର

ଉଦଳା: ଗୋଡ଼େଇ ଗୋଡ଼େଇ ଲୁଟ୍ କଲେ ଲୁଟେରା । ଆସିଲେ ବିଚ ରାସ୍ତାରେ ବାଇକ ଅଟକାଇ ମୁଣ୍ଡରେ ଲଗାଇଲେ ବନ୍ଧୁକ । ଆଉ ଲୁଟିନେଲେ ୩୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର । ଗାଡିକୁ ଗୋଇଠା ମାରି ସୁନା ଦୋକାନୀଙ୍କୁ ତଳେ ପକାଇଦେଲେ । ପରେ ସୁନା ଅଳଙ୍କାର ଭର୍ତ୍ତିଥିବା ବ୍ୟାଗ ଝାମ୍ପିନେଲେ । ନିଛାଟିଆ ସ୍ଥାନ ଦେଖି ଘଟାଇଲେ ଏମିତି କାଣ୍ଡ ।

ଏଭଳି ଘଟଣା ଘଟିଛି ଉଦଳା – ବାରିପଦା ରାଜ୍ୟ ରାଜପଥର ଖୁଣ୍ଟା ଥାନା ବାଲିମୁଣ୍ଡଳୀ ଛକ ନିକଟରେ । ବାସିପିଠା ଅଞ୍ଚଳରେ ମହାଲକ୍ଷ୍ମୀ ଅଳଙ୍କାର ନାମକ ଗହଣା ଦୋକାନ କରିଥିବା ସୁନ୍ଦର ନାରାୟଣ ସାହୁ ବିଳମ୍ବିତ ରାତିରେ ଦୋକାନ ବନ୍ଦ କରି ନିଜ ଘର ଖୁଣ୍ଟାକୁ ବାଇକ ଯୋଗେ ଫେରୁଥିଲେ । ଦୋକାନର ସୁନା ଅଳଙ୍କାର ବ୍ୟାଗରେ ନେଇ ଆସୁଥିବା ବେଳେ ୨ଟି ବାଇକରେ ୪ ଜଣ ଲୁଟେରା ତାଙ୍କୁ ପିଛା କରିଥିଲେ । ପରେ  ବାଲିମୁଣ୍ଡଳୀ ଛକ ନିକଟରେ ଗାଡିକୁ ଗୋଇଠା ମାରି ସୁନା ଦୋକାନୀଙ୍କୁ ତଳେ ପକାଇ ଦେଇଥିଲେ । ଏବଂ ମୁଣ୍ଡରେ ବନ୍ଧୁକ ଲଗାଇ ସୁନା ବ୍ୟାଗ ମାଗିଥିଲେ । ଗହଣା ଦୋକାନୀ ସୁନ୍ଦର ସେଠାରୁ ଖସି ବ୍ୟାଗ ଗହଣା ଭର୍ତ୍ତି ବ୍ୟାଗ ଧରି ଦୌଡ଼ି ପଳାଉଥିବା ସମୟରେ ୨ ଜଣ ମୁଖା ପିନ୍ଧା ଲୁଟେରା ତାଙ୍କୁ ଧକ୍କା ମାରି ତାଙ୍କ ନିକଟରୁ ବ୍ୟାଗ ଛଡାଇ ନେଇ ଚମ୍ପଟ ମାରିଥିଲେ । ସେହି ଗହଣା ବ୍ୟାଗରେ ୩୦ ଲକ୍ଷ ରୁ ଅଧିକ ଟଙ୍କାର ସୁନା ଅଳଙ୍କାର ରହିଥିବା ବେଳେ ଲୁଟେରାଙ୍କ ଆକ୍ରମଣରେ ଗହଣା ଦୋକାନୀଙ୍କ ଶରୀରରେ କ୍ଷତ ମଧ୍ୟ ଲାଗିଛି । ଏନେଇ ଖୁଣ୍ଟା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ନିଛାଟିଆ ସ୍ଥାନ ଦେଖି ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ବେଳେ ପୂର୍ବରୁ ମଧ୍ୟ ଗହଣା ବ୍ୟବସାୟୀଙ୍କ ଉପରେ ନଜର ରଖିଥିବା କୁହାଯାଉଛି ।

Umasankar Adv
Leave A Reply

Your email address will not be published.