IPL୨୦୨୫ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଆଜିର ଦ୍ବିତୀୟ ମ୍ୟାଚ୍ ଖେଳାଯିବ । ଉଭୟ ଦଳ ପୂର୍ବରୁ ଭଲ ପ୍ରଦର୍ଶନ କରିଛନ୍ତି । ବେଙ୍ଗଲୁରୁ ଟିମ ଅଧିନାୟକ ରଜତ୍ ପାଟିଦାର ଓ ଦିଲ୍ଲୀ ଅଧିନାୟକ ଅକ୍ଷର ପଟେଲ ବଳ କଷାକଷି ହେବେ । ବର୍ତ୍ତମାନ ଦୁଇ ଦଳ ପଏଣ୍ଟ ଟେବୁଲର ଦ୍ବିତୀୟ ଓ ୩ୟ ସ୍ଥାନରେ ଅଛନ୍ତି । ତେଣୁ ପ୍ଲେଅଫରେ ପହଞ୍ଚିବା ପାଇଁ ଦୁଇ ଦଳ ମଧ୍ୟରେ ଜୋରଦାର ମୁକାବିଲା ହେବ । ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ପହଞ୍ଚିବା ପାଇଁ ଆଜିର ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଯେଉଁ ଦଳ ଜିତିବ ସେ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଅଧିକାର କରିବ । ଅକ୍ଷର ପଟେଲଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ ଚଳିତ ସିଜିନରେ ୮ଟି ମ୍ୟାଚ୍ ଖେଳିଛି । ୮ଟି ମ୍ୟାଚ୍ ମଧ୍ୟରୁ ୬ଟି ବିଜୟ ହାସଲ କରିଥିବା ବେଳେ ୨ଟି ମ୍ୟାଚରେ ପରାସ୍ତ ହୋଇଛି । ଅନ୍ୟପକ୍ଷରେ ଦିଲ୍ଲୀ ଟିମ୍ ୧୨ ପଏଣ୍ଟ ସହିତ ନେଟ୍ ରନ୍ ରେଟ୍ +୦.୬୫୭ କରିଛି । ବର୍ତ୍ତମାନ ତାଙ୍କ ଟିମ୍ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ଅନ୍ୟପଟେ ବେଙ୍ଗଲୁରୁ ଟିମ୍ ଚଳିତ ସିଜିନରେ ୯ଟି ମ୍ୟାଚ୍ ଖେଳିଛି । ୬ଟି ବିଜୟ ହାସଲ କରିଥିବାବେଳେ ୩ଟି ମ୍ୟାଚରେ ହାରିଛି । ୧୨ପଏଣ୍ଟରେ ନେଟ୍ ରନ୍ ରେଟ୍ +୦.୪୮୨ କରି ପଏଣ୍ଟସ୍ ଟେବୁଲର ତୃତୀୟ ସ୍ଥାନରେ ରହିଛି । ଏହି ଦୁଇ ଦଳ ସମାନ ପଏଣ୍ଟରେ ରହିଥିଲେ ମଧ୍ୟ ରନ୍ ହାରରେ ଦିଲ୍ଲୀ ଆଗୁଅ ଅଛି । ଅନ୍ୟପକ୍ଷରେ ଗୁଜରାଟ ଟାଇଟନ୍ସ ମଧ୍ୟ ୧୨ ପଏଣ୍ଟ ପାଇ ଶୀର୍ଷରେ ଅଛି । ଦିଲ୍ଲୀ ଓ ବେଙ୍ଗଲୁରୁ ମଧ୍ୟରେ ଯିଏ ଜିତିବ ୧୪ ପଏଣ୍ଟ ସହ ଶୀର୍ଷ ସ୍ଥାନ ଅଧିକାର କରିବ । ଆଇପିଏଲ୍ ଇତିହାସରେ ଦିଲ୍ଲୀ ଓ ବେଙ୍ଗଲୁ ମଧ୍ୟରେ ମୋଟ ୩୨ଟି ମ୍ୟାଚ୍ ଖେଳା ଯାଇଛି । ସେଥି ମଧ୍ୟରୁ ଦିଲ୍ଲୀ ୧୨ଟି ବିଜୟ ହାସଲ କରିଥିବା ବେଳେ ବେଙ୍ଗଲୁରୁ ଜିତିଛି ୧୯ଟି ମ୍ୟାଚ୍ । ଗୋଟିଏ ମ୍ୟାଚ୍ ବିନା ଫଳାଫଳରେ ଶେଷ ହୋଇଥିଲା ।