ଯାଜପୁର: ବାଛୁରୀ ଖୋଜିବାକୁ ଯାଇଥିଲେ ତା ପରଠାରୁ ନିଖୋଜ ହୋଇଗଲେ । ଯେତେ ଖୋଜାଖୋଜି ପରେ ବି ମିଳୁନି ବୃଦ୍ଧାଙ୍କ ପତ୍ତା । ବୃଦ୍ଧାଜଣକ ନିଖୋଜ ହେବାର ୬ ଦିନ ବିତିଗଲାଣି ତଥାପି ତାଙ୍କର କିଛି ଖୋଜ ଖବର ମିଳି ପାରୁନି । ହଁ ଆଜ୍ଞା, ବାଛୁରୀ ଖୋଜିବାକୁ ଯାଇ ବୃଦ୍ଧା ନିଖୋଜ । ନିଖୋଜ ହେବାର ଛଅ ଦିନ ପରେ ବି ତାଙ୍କର ପତ୍ତା ମିଳୁ ନାହିଁ । ଫଳରେ ପରିବାର ଲୋକେ ଚିନ୍ତାରେ । ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଗଡ଼ମଧୁପୁର ପଂଚାୟତ ଭୁବନପୁର ଗାଁରୁ । ଗତ ୨୨ତାରିଖ ଦିନ ସକାଳ ସମୟରେ ଘରୁ ହଠାତ ବାଛୁରୀଟି ଡେଇଁ ଚାଲିଯିବାରୁ ଶାଶୁ ରୁକ୍ମିଣୀ ମିଶ୍ର ଓ ବୋହୂ ଗୀତାଞ୍ଜଳି ମିଶ୍ର ଦୁହେଁ ମିଶି ବାଛୁରୀକୁ ଖୋଜିବାଜୁ ବାହାରି ଥିଲେ । ହେଲେ ବାଛୁରୀକୁ ନପାଇବାରୁ ବୋହୂ ଗୀତାଞ୍ଜଳି ରୁକ୍ମିଣୀଙ୍କୁ ଘରକୁ ଫେରି ଆସିବାକୁ କହିଥିଲେ । କିନ୍ତୁ ଶାଶୁ ରୁକ୍ମିଣୀ କହିଲେ, ତୁ ଆଗରେ ଚାଲ ମୁଁ ପଛରେ ଯାଉଛି । ଏତିକି ଶୁଣି ବୋହୂ ସିନା ଘରକୁ ଚାଲି ଆସିଲେ କିନ୍ତୁ ଆଉ ଘରକୁ ଫେରି ନଥିଲେ ଶାଶୁ ରୁକ୍ମଣୀ । ପରିବାର ଲୋକେ ଗାଁ ସାହି ପଡିଶାଠାରୁ ଆରମ୍ଭ କରି ବନ୍ଧୁ ବାନ୍ଧବ ସବୁଠି ଖୋଜି ଥିଲେ । ତଥାପି ରୁକ୍ମିଣୀଙ୍କର କୌଣସି ସନ୍ଧାନ ପାଇ ପାରୁ ନାହାନ୍ତି । ଏପଟେ ନିଖୋଜ ହେବା ନେଇ ପରିବାର ପକ୍ଷରୁ ଜେନାପୁର ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ଏକ ନିଖୋଜ ମାମଲା ରଜୁ କରି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲେ ବି ବୃଦ୍ଧାଙ୍କୁ ଠାବ କରିବାରେ ସଫଳ ହୋଇ ନାହିଁ । ଏପଟେ ଦିନ ଗଡିବା ସାଙ୍ଗକୁ ପରିବାର ଲୋକଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ରୁକ୍ମିଣୀଙ୍କର କାହା ସହ କୌଣସି ଶତ୍ରୁତା ନଥିବା ପରିବାର ଲୋକେ କହିଥିବା ବେଳେ ହଠାତ କେଉଁଆଡେ ଚାଲିଯିବା ପରିବାର ଲୋକେ ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ଅନେକ ପ୍ରକାର ଆଶଙ୍କା ଆସୁଛି ମନରେ । ତାଙ୍କୁ ଖୋଜି ଆଣିବାକୁ ପରିବାର ଲୋକେ ପୋଲିସ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି । ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଅଚାନକ ରୁକ୍ମିଣୀ ଉଭାନ୍ ହୋଇଗଲେ କେମିତି ? ଏହା ପଛରେ କିଛି ବଡ଼ ରହସ୍ୟ ନାହିଁ ତ?