ଅବହେଳିତ ଅବସ୍ଥାରେ ବାପି-ନୁମା କୁଟୀର ଓ ଛାତ୍ରାବାସ, ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଅନୁଗୁଳ: ଅବହେଳିତ ଅବସ୍ଥାରେ ମଣିଷ ଗଢ଼ା କାରଖାନା । ଦେଶର ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ବାଜି ରାଉତଙ୍କ ନାଁରେ ୧୯୪୬ ମସିହାରେ ମାଳତୀ ଦେବୀ ଏହି ଛାତ୍ରାବାସ ପ୍ରତିଷ୍ଠା କରିଥିଲେ । ସ୍ବାଧୀନତା ସଂଗ୍ରାମୀଙ୍କ ପିଲା ଓ ଗରିବ ପିଲାଙ୍କ ପାଇଁ ଏହା ଉଦ୍ଦିଷ୍ଟ ଥିଲା । ପ୍ରଥମରୁ ଏଠାରେ ୩୦୦ ପିଲା ରହିବା ବ୍ୟବସ୍ଥା ଥିଲା । ଶହଶହ ପିଲା ଏଠି ପଢ଼ି ବଡ଼ ମଣିଷ ହୋଇଛନ୍ତି । କିନ୍ତୁ ଗାନ୍ଧୀ ଓ ରବିନ୍ଦ୍ରନାଥ ଟାଗୋରଙ୍କ ଭଳି ମହାନ ବ୍ୟକ୍ତିଙ୍କ ବିଚାରଧାରାରେ ଚାଲିଥିବା ଏହି ଛାତ୍ରାବାସ ଏବେ ଜରାଜୀର୍ଣ୍ଣ ହୋଇପଡ଼ିରହିଛି । ଜରିପାଲ ଭରସାରେ ଛାତ୍ରାବାସ । କାନ୍ଥ, ଆଜବେଷ୍ଟସ ଛାତ ସହ କର୍ମୀଙ୍କ ଘର ମଧ୍ୟ ଭାଙ୍ଗି ଯାଇଛି । ପାଚେରି ମଧ୍ୟ ନାହିଁ । ଦୟନୀୟ ଅବସ୍ଥାରେ ଏବେ ଏଠାରେ ରହୁଛନ୍ତି ୧୫୦ ପିଲା । ବାଜି ରାଉତ ଛାତ୍ରାବାସ ସହ ଗୋଟିଏ କ୍ୟାମ୍ପସରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ବାସଭବନ ବାପି-ନୁମା କୁଟୀରରେ ବର୍ଷାଦିନେ ପାଣି ଝରୁଛି ଓ ଖରାଦିନେ ସୂର୍ଯ୍ୟ କିରଣ ପଡୁଛି । ବର୍ତ୍ତମାନର ସରକାର ରକ୍ଷଣାବେକ୍ଷଣ ପାଇଁ ୨୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ନବକୃଷ୍ଣ ଚୌଧୁରୀ ସ୍ମୃତିପୀଠର ବିକାଶ ପାଇଁ ୧ କୋଟି ୨୫ ଲକ୍ଷ ଟଙ୍କା ଦିଆଯିବ ବୋଲି ଗତକାଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏବେ ସମଗ୍ର ଜିଲ୍ଲାରେ ଖେଳିଯାଇଛି ଖୁସିର ଲହରୀ । ଅନୁଗୁଳ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମହୋତ୍ସବର ଉଦଘାଟନ କରିଥିବା ବେଳେ ଉଦଘାଟନ ଉତ୍ସବ ବେଳେ ଜିଲ୍ଲା ପାଇଁ ଅନେକ ଘୋଷଣା କରିଛନ୍ତି । ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଅନୁଗୁଳର ଗର୍ବ ଗୌରବ ମାଳତୀ ଚୌଧୁରୀ ଆଶ୍ରମର ପୁନଃରୁଦ୍ଧାର ପାଇଁ ଅନୁରୋଧ କରିଥିଲେ । ଏହା ସହ ଜିଲ୍ଲାପାଳ ଏହି ଅନୁଷ୍ଠାନ ପାଇଁ ୨୫ ଲକ୍ଷ ଟଙ୍କା ଅନୁଦାନ ଦେବାକୁ ଅନୁରୋଧ କରିଥିଲେ । ଏହାସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଠାରେ ନବ ମାଳତୀ ସ୍ମୃତି ପୀଠ ନିର୍ମାଣ ପାଇଁ ଯାହା ଟଙ୍କା ଆବଶ୍ୟକ ତାହା ଦିଆଯିବ ବୋଲି ଘୋଷଣା କରିଥିଲେ । ଏହି ସ୍ମୃତି ପୀଠ ସହ ଛାତ୍ରାବାସର ଉନ୍ନତି ପାଇଁ କୋଟିଏ କି ୨ କୋଟି ଯାହା ଟଙ୍କା ଆବଶ୍ୟକ ତାହା ଦିଆଯିବ ବୋଲି କହିଥିଲେ ଯାହାକୁ ନେଇ ସ୍ଥାନୀୟ ଲୋକେ ବେଶ ଖୁସି ଅଛନ୍ତି । ଏ ନେଇ ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ପୂର୍ବରୁ ଗତ ସରକାର ମଧ୍ୟ ଛାତ୍ରାବାସର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରିନଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ସ୍ୱାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀ ଅନୁଗୋଳକୁ ନିଜର କର୍ମଭୂମି ରୂପେ ବାଛିବା ସହ ଏକ କୁଟୀର କରି ଜୀବନର ଶେଷ ସମୟ ଅତିବାହିତ କରିଥିଲେ । ଯାହାକି ଆଜି ନୁମା ବାପି କୁଟୀର ରୂପେ ପରିଚିତ । ଛାତ୍ରାବାସ ସହ ନୁମା ବାପି କୁଟୀରର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଏବେ ସମସ୍ତଙ୍କ ମନରେ ଭାରି ଦେଇଛି ବେଶ ଉତ୍ସାହ ଓ ଉଦ୍ଦୀପନା । ତେବେ ବର୍ତ୍ତମାନ କେବଳ ଏହା ଦେଖିବାକୁ ବାକି ରହିଲା ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା କେବେ ନେଉଛି ସଫଳ ରୂପାୟନ ।

Leave A Reply

Your email address will not be published.