ଚାନ୍ଦବାଲି: କୋଲ୍ଡ ଡ୍ରିଙ୍କସ୍ ବୋତଲକୁ ନେଇ ତୁମୁଳକାଣ୍ଡ । ସାମାନ୍ୟ ୨ ଟଙ୍କା ପାଇଁ ଯୁକ୍ତିତର୍କ ଆଉ ତା’ପରେ ସିଧା ଗୁଳି । ଅଳ୍ପକେ ବର୍ତ୍ତିଗଲେ ବାପା ପୁଅ । ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ନାଲଗୁଣ୍ଡା ଛକ ନିକଟରେ । ସାମାନ୍ୟ ଚାନ୍ଦବାଲିରେ ଚାଞ୍ଚଲ୍ୟ ବୋତଲକୁ ନେଇ ଯୁକ୍ତିତର୍କ ଆଉ ଗୁଳିକାଣ୍ଡ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ । ସୂଚନା ମୁତାବକ ନାଲଗୁଣ୍ଡା ଛକ ଠାରୁ କିଛି ଦୂରରେ ସାଧୁ ଚରଣ ବେହେରା ଏକ ପାନ ଦୋକାନ କରି ସେଥିରେ କୋଲ୍ଡ ଡ୍ରିଙ୍କସ୍ ମଧ୍ୟ ବିକ୍ରି କରିଥାନ୍ତି । ଗତକାଲି ଅପରାହ୍ନ ସମୟରେ ୨ଟି ବାଇକରେ ୬ ଜଣ ଯୁବକ ଆସି ତାଙ୍କୁ କୋଲ୍ଡ ଡ୍ରିଙ୍କସ୍ ମାଗିଥିଲେ । କୋଲଡ ଡ୍ରିଙ୍କସ ପିଇ ସାରିବା ପରେ ଦୋକାନୀ ଏହାର ଦାମ୍ ୧୨ ଟଙ୍କା କହିଥିଲେ । ତେବେ ୧୦ ଟଙ୍କା ପ୍ରିଣ୍ଟ ଥିବା ବେଳେ ତୁମେ କାହିଁକି ୧୨ ଟଙ୍କା ନେଉଛ ବୋଲି କହି ଯୁବକ ଓ ଦୋକାନୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ତାପରେ ୬ ଜଣ ଯୁବକ ମିଶି ଦୋକାନୀ ଏବଂ ତାଙ୍କ ପୁଅକୁ ମାଡ଼ ମାରିବା ସହ ଦୁଇଟି ବନ୍ଧୁକ ବାହାର କରି ଗୁଳି ଚଳାଇ ଥିଲେ । ବିକଳରେ ବାପ ପୁଅ ଦୋକାନ ଛାଡି ଦୌଡ଼ି ପଳାଇ ଥିଲେ । କିନ୍ତୁ ଏହା ପରେ ବି ଏ ଯୁବକଙ୍କ ମନ ଶାନ୍ତ ହୋଇନଥିଲା । ଗୁଳିକାଣ୍ଡ ଭୟରେ ବାପା ପୁଅ ଦୋକାନ ଛାଡ଼ି ପଳାଇଯିବାର ସୁଯୋଗ ନେଇ ଦୋକାନରେ ଆରମ୍ଭ କରିଦେଲେ ଲୁଟ୍ । ଅଭିଯୋଗ ଅନୁଯାୟୀ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଓ ଜିନିଷପତ୍ର ଲୁଟି ନେଇ ଚମ୍ପଟ ମାରିଥିଲେ ୬ ଜଣ ଯୁବକ । ଖବର ପାଇ ମତୋ ଫାଣ୍ଡି ଅଧିକାରୀ ଛତିଶ କୁମାର ଗୋଛି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।