ଘରୁ ଡାକି ନେଇଥିଲେ ବଳରାମଙ୍କୁ ହେଲେ ସକାଳୁ ମିଳିଲା ମୃତଦେହ

ଗଞ୍ଜାମ : ସ୍ତ୍ରୀ କାନ୍ଦି କାନ୍ଦି ଧୈର୍ଯ୍ୟ ରହୁନି । ତା’ ପାଟିରେ ଖାଲି ଗୋଟାଏ ଶବ୍ଦ ‘ମୋ ଅଣ୍ଡରାକୁ କିଏ ମାରିଦେଲା’ ? ରାତିରେ ଡାକିକି ସାଙ୍ଗରେ ନେଇ ଗଲେ…. ଭୋରୁ ଦେଖିଲା ବେଳକୁ ବିଚ୍ ରାସ୍ତାରେ ପଡ଼ିଛନ୍ତି । ଯେତେ ଫୋନ କଲି ଉଠାଇଲେନି ଏବେ ଆଉ ନାହାନ୍ତି । ମୁଁ କଣ କରିବି ? ମୋ କୁନି କୁନି ପିଲାଙ୍କୁ ନ୍ୟାୟ ଦିଅ । ଯିଏ ମୋ ସଂସାର ଉଜାଡ଼ି ଦେଲା ତାକୁ ଉଚିତ୍ ଦଣ୍ଡ ଦିଅ । ଏମିତି କାନ୍ଦି କାନ୍ଦି କହୁଛି ସ୍ବାମୀ ହରାଇଥିବା ସ୍ତ୍ରୀ ଜଣକ । ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଧାନଘର ଅଞ୍ଚଳରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ବାଳକୁମାରୀ ମନ୍ଦିରକୁ ଯିବା ରାସ୍ତାରେ ବ୍ରାହ୍ମଣୀ ବନ୍ଧ ନିକଟରେ ଜଣେ ଯୁବକଙ୍କୁ ଧାରୁଆ ଛୁରୀରେ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଯୁବକ ଜଣକ ହେଲେ ଚିକିଟି ବ୍ଲକ ରାମପୁର ଗାଁର ବଳରାମ ମହାକୁଡ଼ l ତେବେ ବଳରାମଙ୍କୁ ସନ୍ଧ୍ୟାରେ ଜଣେ ଯୁବକ ଆସି ଡାକି ନେଇଥିଲା । ଏହାପରେ ବଳରାମଙ୍କର କିଛି ଖୋଜ ଖବର ମିଳି ନଥିଲା l ବଳରାମଙ୍କର ୨୦୨୨ ମସିହାରେ ଆନ୍ଧ୍ର ପ୍ରଦେଶ ଜଳନ୍ତରରେ ବାହାଘର ହୋଇଥିଲା l ବାହାଘରକୁ ମାତ୍ର ୨ ବର୍ଷ ପୂରିଥିବା ବେଳେ ସ୍ତ୍ରୀ ମଥାରୁ ଲିଭି ଯାଇଛି ସିନ୍ଦୂର । ଉଜୁଡ଼ି ଯାଇଛି ସୁନାର ସଂସାର । ଏହି ଘଟଣା ପରେ ବଳରାମଙ୍କ ଶ୍ବଶୂର ଘର ଲୋକେ କହିଛନ୍ତି ଆମେ କିଛି ଜାଣି ପାରୁନୁ କିଏ ତାଙ୍କର ଶତ୍ରୁ । ହେଲେ ଆମ ଭିଣୋଇଙ୍କ ଏପରି ଅବସ୍ଥା ଯିଏ କରିଛି ତାକୁ କଠିନ ଶାସ୍ତି ମିଳିବା ଦରକାର । ତେବେ ବଳରାମଙ୍କ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି l ଘଟଣା ସ୍ଥଳରେ ସ୍ଥଳରେ ଚିକିଟି ଏସ ଡି ପି ଓ ଏବଂ କେ ନୂଆଗାଁ ଥାନା ପୋଲିସ ପହଞ୍ଚି ତନାଘନା କରିଥିଲେ l ବ୍ରହ୍ମପୁର ସାଇଣ୍ଟିଫିକ ଟିମ୍ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଛନ୍ତି । ପୋଲିସ ତଦନ୍ତ ପରେ ଜଣାପଡ଼ିବ ଏଭଳି ଜଘନ୍ୟ କାଣ୍ଡ କିଏ ଓ କାହିଁକି ଘଟାଇଛି ।

Leave A Reply

Your email address will not be published.