ପଶ୍ଚିମବଙ୍ଗ : ମଙ୍ଗଳବାର ରାତି ପ୍ରାୟ ୮.୧୫ ସମୟ । ହଠାତ୍ ହୋହାଲ୍ଲା ଚିତ୍କାରରେ ଫାଟିପଡ଼ିଥିଲା ପୁରା ପରିବେଶ । ହୁତୁହୁତୁ ହୋଇ ଜଳୁଥିଲା ହୋଟେଲ । ଏକାଧିକ ଲୋକଙ୍କ ଆର୍ତ୍ତ ଚିତ୍କାରରେ କମ୍ପୁଥିଲା ପଶ୍ଚିମବଙ୍ଗର କୋଲକାତାର ମେଚୁଆପଟ୍ଟି ଅଞ୍ଚଳ । ଯିଏ ଯୁଆଡ଼େ ଯାଉଥିଲେ ଅଟକି ଯାଇଥିଲେ ନିଆଁ ଲାଗିଥିବା ହୋଟେଲ ନିକଟରେ । ସେତେବେଳକୁ ନିଆଁ ଭୟଙ୍କର ରୂପ ନେଇ ସାରିଥିଲା । ନିଆଁ ତାର ଆଁରେ ସମ୍ପୂର୍ଣ୍ଣ ଗିଳି ଦେଲା ହୋଟେଲ । ଏହି କାଳ ରୂପୀ ନିଆଁରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକେ ଆହତ ହୋଇଛନ୍ତି । ଋତୁରାଜ ନାମକ ହୋଟେଲ ପରିସରରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଯାହା ଫଳରେ ବୁର୍ରାବଜାରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ଅନେକ ଲୋକ କୋଠାର ଝରକା ଏବଂ ସଂକୀର୍ଣ୍ଣ କାନ୍ଥ ଦେଇ ଖସି ପଳାଇବାକୁ ଚେଷ୍ଟା କରୁଥିବା ଦେଖା ଯାଇଥିଲା। ଏହି ସମୟରେ, ଜୀବନ ବଞ୍ଚାଇବା ପାଇଁ ପ୍ରାଣ ବିକଳରେ ଚତୁର୍ଥ ମହଲାରୁ ଡେଇଁବାକୁ ଚେଷ୍ଟା କରିବା ସମୟରେ ଅନେକ ଲୋକ ଆହତ ମଧ୍ୟ ହୋଇଥିଲେ । ତେବେ ଶେଷରେ ହୋଟେଲରୁ ୧୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତଥା ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ଯୋଗୁଁ ଅନେକ ଲୋକଙ୍କୁ ଉଦ୍ଧାର ପାଇ ଯାଇଛନ୍ତି । ସବୁଠୁ ବଡ଼ କଥା ହେଉଛି ଏହି ଅଗ୍ନିକାଣ୍ଡରେ ୩ ଜଣ ଓଡ଼ିଆଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଗତସିଂହପୁର ଜିଲା ନନ୍ଦନ ଗାଁର ମନୋଜ ପାତ୍ର, ହରିପା ଗାଁର ଦୁଷ୍ମନ୍ତ କୁମାର ନାୟକ ଓ ଦୁଷ୍ମନ୍ତ କୁମାର ସ୍ୱାଇଁ ଅଛନ୍ତି। ଏମାନେ ଭୁବନେଶ୍ୱରରେ ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ । କମ୍ପାନୀ କାମରେ କୋଲକାତା ଯାଇ ଏହି ହୋଟେଲରେ ରହୁଥିଲେ । କିନ୍ତୁ ମଙ୍ଗଳବାର ଦିନ ରାତିରେ ହୋଟେଲରେ ହଠାତ ନିଆଁ ଲାଗି ଯାଇଥିଲା । ଫଳରେ ହୋଟେଲରେ ଥିବା ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା । ସେଇମାନଙ୍କ ମଧ୍ୟରେ ରହିଛନ୍ତି ଏହି ତିନିଜଣ ଓଡ଼ିଆ ଯୁବକ । ଯେତେବେଳେ ଏହି ଖବର ତାଙ୍କ ପରିବାର ଲୋକେ ପାଇଥିଲେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ପ୍ରଥମେ ବିଶ୍ବାସ କରି ପାରିଲେନି । କାନ୍ଦ ବୋବାଳିରେ ଫାଟି ପଡ଼ିଲା ଗାଁ ଦାଣ୍ଡ ।