ଫୁଲବାଣୀ : ଫୁଲବାଣୀର ଅଗ୍ରଣୀ ଶିକ୍ଷାନୁଷ୍ଠାନ ପବ୍ଳିକ୍ ସ୍କୁଲ୍ ଫୁଲବାଣୀ ସହ ଦେଶର ପ୍ରତିଷ୍ଠିତ ତାଲିମ୍ ପ୍ରଦାନକାରୀ ସଂସ୍ଥା ” ବେଦାନ୍ତୁ ” ର ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। କନ୍ଧମାଳର ଛାତ୍ରଛାତ୍ରୀ ପୂର୍ବରୁ ଇଂଜିନିୟରିଂ ଓ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏବଂ +୨ ବିଜ୍ଞାନ ପାଇଁ ଭଲ ଅନୁଷ୍ଠାନ ସନ୍ଧାନରେ ଅନ୍ୟ ଜିଲ୍ଲାକୁ ଯାଉଥିବା ସ୍ଥଳେ ଆଜି ଠାରୁ ସେପରି ଗୁଣାତ୍ମକ ଶିକ୍ଷା ଲାଭର ସୁଯୋଗ ଫୁଲବାଣୀରେ ପାଇପାରିବେ। ଏପରିକି ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଫାଉଣ୍ଡେସନ୍ କୋର୍ସ ଶିକ୍ଷା ଦେବାର ବ୍ୟବସ୍ଥା କରାଯିବ ବୋଲି ବେଦାନ୍ତୁ ଓ ପବ୍ଳିକ୍ ସ୍କୁଲ୍ର କର୍ମକର୍ତ୍ତା ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁବାସ ପ୍ରଧାନ କନ୍ଧମାଳ ପରି ପଛୁଆ ଅଞ୍ଚଳରେ ଏପରି ପ୍ରୟାସ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ସାକାର କରିବା ପାଇଁ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ। ସମ୍ମାନୀତ ଅତିଥି ରୂପେ ଯୋଗଦେଇ ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ ଓ ଶିକ୍ଷାବିତ୍ ବସନ୍ତ କୁମାର ସାହୁ ଏପରି ପଦକ୍ଷେପ ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ପୂରଣରେ ସହାୟକ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପବ୍ଳିକ୍ ସ୍କୁଲର ସଂପାଦକ ବିପ୍ର ଚରଣ ପାତ୍ର ଏପରି ଚୁକ୍ତିନାମା ଆସନ୍ତା ଦିନରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ଅଧ୍ଯକ୍ଷ ଧନଞ୍ଜୟ ସେଠୀ , ଶିକ୍ଷକ ସନ୍ତୋଷ କୁମାର ପଣ୍ଡା, ରୂପକ ମହାନ୍ତି ଏବଂ ଉପେନ୍ଦ୍ର ମହାପାତ୍ର ପରିଚାଳନା କରିଥିବା ବେଳେ ବେଦାନ୍ତୁ ର ଶିକ୍ଷାବିତ୍ କମଳ ପାତ୍ର, ଡ.ରାଜେଶ୍ ଘୋଷ୍, ବିବେକ୍ କୁମାର ଏବଂ ପବ୍ଳିକ୍ ସ୍କୁଲ୍ର ଯୁଗ୍ମ ସଂପାଦକ ରାଜେଶ୍ ପାତ୍ର ସମସ୍ତ ଅଭିଭାବକଙ୍କ ସହ ଆଲୋଚନା ମାଧ୍ୟମରେ ଭବିଷ୍ଯତ ଯୋଜନା ସଂପର୍କରେ ସୂଚନା ଦେଇଥିଲେ।
