ପୁରୀ : ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ବିବାଦର ହେବ ତଦନ୍ତ। ଶ୍ରୀମନ୍ଦିର ପ୍ରଶାସନ ଅନ୍ତରୀଣ ତଦନ୍ତ କରିବ । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଦୀଘା ଜଗନ୍ନାଥ ମନ୍ଦିର ସ୍ଥାନକୁ ଜଗନ୍ନାଥ ଧାମ ନାଁରେ ନାମିତ କରିବାକୁ ନେଇ ବିବାଦ ଦେଖା ଦେଇଛି । ଶ୍ରୀମନ୍ଦିର ସେବାୟତ ଦୀଘା ମନ୍ଦିର ପ୍ରତିଷ୍ଠାରେ ଯୋଗଦେବା ନେଇ ବି ବିବାଦ ସୃଷ୍ଟି ହୋଇଛି । ନବକଳେବର ବେଳେ ବଳକା ଦାରୁରେ ଦୀଘା ଜଗନ୍ନାଥ ମନ୍ଦିର ବିଗ୍ରହ ତିଆରି ହେବା ବାବଦରେ ଚର୍ଚ୍ଚାର ମଧ୍ୟ ତଦନ୍ତ କରାଯିବ । ତଦନ୍ତ କରାଯାଇ ସତ୍ୟାସତ୍ୟ ଜନମାନସକୁ ଆଣିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଆଇନମନ୍ତ୍ରୀ କହିଛନ୍ତି । ଏପଟେ ମୁଖ୍ୟମନ୍ତ୍ରୀ ଏ ବାବଦରେ ଅବଗତ ଅଛନ୍ତି। ଯାହା ପଦକ୍ଷେପ ନେବା କଥା ନେବେ ବୋଲି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି । ସେହିପରି ବ୍ରହ୍ମ ସ୍ଥାପନ କଥାକୁ ନେଇ ମଧ୍ୟ ପୁରୀ ସେବାୟତମାନେ ତୀବ୍ର ବିରୋଧ କରିଛନ୍ତି। ଭାରତର ଚାରି ଧାମ ମଧ୍ୟରୁ ଅନ୍ୟତମ ତଥା ଶ୍ରେଷ୍ଠ ଧାମ ହେଉଛି ଶ୍ରୀକ୍ଷେତ୍ର ବା ଜଗନ୍ନାଥ ଧାମ । ଏଠାରେ ହିଁ ଦାରୁ ବ୍ରହ୍ମ ପୂଜା ପାଉଛନ୍ତି । କିନ୍ତୁ ଜଗନ୍ନାଥଧାମ ଓ ବ୍ରହ୍ମ ସ୍ଥାପନାକୁ ଅଗ୍ରହଣୀୟ ବୋଲି ସେବାୟତ ପ୍ରତିକ୍ରିୟା ରଖିଛନ୍ତି । ଦୀଘା ଜଗନ୍ନାଥ ମନ୍ଦିର ଏକ ଦର୍ଶନୀୟ ଓ ପର୍ଯ୍ୟଟନସ୍ଥଳୀ ହୋଇପାରେ । କିନ୍ତୁ କୌଣସି ପରିସ୍ଥିତିରେ ଏହାକୁ ଜଗନ୍ନାଥଧାମ କୁହାଯାଇପାରିବ ନାହିଁ । ଜଗନ୍ନାଥଧାମ ନାମକରଣ ଏକ ଚକ୍ରାନ୍ତ ବୋଲି ଅଭିଯୋଗ ହୋଇଛି । ଏଥିସହ ପ୍ରସ୍ତର ମୂର୍ତ୍ତି ସ୍ଥାପିତ ହୋଇପାରିବ ନାହିଁ ବୋଲି ବରିଷ୍ଠ ସେବାୟତ କହିଛନ୍ତି । ପ୍ରତ୍ୟେକ ଓଡିଆଙ୍କ ସହ ରାଜ୍ୟ ସରକାର, ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରେମୀ ଓ ଗବେଷକ ଏଥିରେ ହସ୍ତକ୍ଷେପ କରିବାକୁ ସେବାୟତ ଦୃଢ଼ ଦାବି କରିଛନ୍ତି ।