ଦାରିଙ୍ଗବାଡି : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଅଧିକାଂଶ ଗ୍ରାମରେ ମୋବାଇଲ ଟାୱାର ସ୍ଥାପନ କରାଯାଇଛି। ମାତ୍ର ଏ ପର୍ଯ୍ୟନ୍ତ ଏକାଧିକ ଗ୍ରାମରେ ନେଟୱର୍କ ସେବା ମିଳିନାହିଁ। ଫଳରେ ସେବା ପାଇବାରୁ ଅଞ୍ଚଳବାସୀ ବଞ୍ଚିତ ହୋଇଛନ୍ତି। ଉକ୍ତ ବ୍ଲକ ଝିଞ୍ଜିରିଗୁଡା ପଞ୍ଚାୟତର କୁଟଲାରି ଗାଁରେ ଏପରି ସମସ୍ୟା ଦେଖିବାକୁ ମିଳିଛି। ଦୀର୍ଘ ଦିନ ହେଲା ଗାଁରେ ବିଏସ୍ଏନ୍ଏଲ୍ର ମୋବାଇଲ ଟାୱାର ପ୍ରତିଷ୍ଠା ହୋଇଛି। ଟାଓ୍ବାର ପ୍ରତିଷ୍ଠା ସମୟରେ ଲୋକଙ୍କ ପାଇଁ ମୋବାଇଲ ଫୋନରେ ଯୋଗାଯୋଗ ସୁବିଧା ହେବ, ଇଣ୍ଟରନେଟ ସୁବିଧା ମିଳିବ, ସରକାରଙ୍କ ବିଭିନ୍ନ ଯୋଜନା ଅନ୍ଲାଇନରେ କରିହେବ ଏବଂ ବ୍ୟାଙ୍କିଙ୍ଗ୍ ସେବା ସୁବିଧାରେ ହୋଇପାରିବ ବୋଲି ଅଞ୍ଚଳବାସୀ ଆଶା କରିଥିଲେ। ହେଲେ ଲୋକଙ୍କ ଆଶା ଆଶାରେ ହିଁ ରହିଯାଇଛି। ଏନେଇ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଶୀଘ୍ର ଟାଓ୍ବାର କାର୍ଯ୍ୟକ୍ଷମ କରି ମୋବାଇଲ ସେବା ନ ଦେଲେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଗ୍ରାମର ମିଥୁନ ନହମାଝି, ବିଜୟ ମଲିକ, ଦେବ ମଲିକ, ସଲମାନ ମଲିକ, ଦାଉଦ ମଲିକ ପ୍ରମୁଖ କହିଛନ୍ତି। ଟାଓ୍ବାର କାର୍ଯ୍ୟକ୍ଷମ ହେଲେ କୁଟଲାରୀ ଗ୍ରାମ ସମେତ ବାଘପଦା ଓ ପାଖାପାଖି ପ୍ରାୟ ୧୦ ଖଣ୍ଡ ଗ୍ରାମ ଉପକୃତ ହୋଇପାରିବେ।