ଧରାପଡ଼ିଗଲା ଚୋରା ପୀରତି, ରାତି ସାରା ଯୁବକକୁ ଅଟକ ରଖିବା ପରେ ବସିଲା ପଞ୍ଚାୟତ

କେନ୍ଦୁଝର : ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ଅକରୁଆ ଗାଁରେ । ……କଥାରେ କୁହନ୍ତି ପ୍ରେମ ହେଉଛି ଅନ୍ଧ । ଯେତେବେଳେ ପ୍ରେମ ହୁଏ ସେତେବେଳେ ମଣିଷ ସବୁ କିଛି ଭୁଲିଯାଏ । ପୁଅ, ଝିଅ, ବାପା, ମା’, ଘର, ପରିବାର ବି ପର ହୋଇଯାଏ । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆନନ୍ଦପୁର ଅଞ୍ଚଳରେ । ହଁ ଆଜ୍ଞା, ଇନଷ୍ଟାଗ୍ରାମରୁ ପ୍ରେମ କରିବା ମହଙ୍ଗା ପଡ଼ିଛି ଯୁବକଙ୍କ ପାଇଁ । ରାତିସାରା ଯୁବକକୁ ଅଟକ ରଖିବା ପରେ ବସିଲା ପଞ୍ଚାୟତ । ଖବର ପାଇ ପହଞ୍ଚିଲା ପୋଲିସ । ପଞ୍ଚାୟତରୁ ଯୁବକ ଓ ମହିଳାଙ୍କୁ ଉଠାଇ ନେବାକୁ ପୋଲିସ ଉଦ୍ୟମ କରିବାରୁ ଗାଁରେ ଉତ୍ତେଜନା ପ୍ରକାଶ ପାଇଲା । ଲୋକେ ଏତେ ରାଗି ଯାଇଥିଲେ ଯେ ପୋଲିସ ଗାଡିକୁ ଅଟକ ରଖିଲେ । ଘଟଣା ହେଉଛି, ସେହି ଗାଁର ଜଣେ ମହିଳା ସାତ ବର୍ଷ ପୂର୍ବେ ବିବାହ କରିଥିଲେ । ତାଙ୍କର ଗୋଟିଏ ୫ ବର୍ଷର ପୁଅ ମଧ୍ୟ ଅଛି । ଦୁଇ ବର୍ଷ ତଳେ ସୋସୋ ଥାନା ବିଦ୍ୟାଧରପୁର ଗାଁର ମାନସ ଦେହୁରୀ ନାମକ ଜଣେ ଯୁବକ ସହିତ ଇନଷ୍ଟାଗ୍ରାମରେ ସମ୍ପର୍କ ଗଢି ଉଠିଥିଲା ତାଙ୍କର। ଯାହା ପରେ ପ୍ରେମର ରୂପ ନେଲା । ମହିଳା ଜଣକ ଭୁଲି ଗଲେ କି ସେ ବିବାହିତା ଓ ତାଙ୍କର ସ୍ବାମୀ, ପିଲା ଆଉ ପରିବାର ଅଛି । ସେ ବିଭିନ୍ନ ବାହାନା କରି ବନ୍ଧୁଘର ବୁଲିଯିବା ଆଳରେ ଯୁବକ ପାଖକୁ ଯାଇ ଶାରୀରିକ ସମ୍ପର୍କ ରଖୁଥିବା ଅଭିଯୋଗ ହୋଇଛି । ଯୁବକ ଜଣକ ମଧ୍ୟ କିଛି କମ୍ କାରାନାମାକାରୀ ନଥିଲେ । ସେ ଏହାର ଫାଇଦା ଉଠାଇ ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିବାର ଭୟ ଦେଖାଇଲା ଆଉ ମହିଳାଙ୍କୁ ବିଭିନ୍ନ ସ୍ଥାନକୁ ଡକାଇ ଶାରୀରିକ ଶୋଷଣ କରି ଆସୁଥିଲା । ତେବେ ରବିବାର ଦିନ ମହିଳା ଜଣଙ୍କ କଟକ ଯାଇ ଯୁବକଙ୍କ ସହିତ ମିଶିବା ପରେ ରାତିରେ ତାରି ସହିତ ଘରକୁ ଫେରିଥିଲେ । ଘର ଭିତରେ ଉଭୟ କଥାବାର୍ତ୍ତା ହେଉଥିବା ସମୟରେ ପରିବାର ଲୋକେ ବାହାରପଟୁ କବାଟ ବନ୍ଦ କରି ଗାଁ ଲୋକଙ୍କୁ ଡାକି ଦେଲେ । ଯୁବକ ଓ ମହିଳା ଧରାପଡ଼ିବା ପରେ ରାତି ସାରା ଗାଁରେ ପଞ୍ଚାୟତ ବସିଥିଲା । ଗାଁ ଲୋକଙ୍କ କବଜାରେ ଥିବା ଯୁବକଙ୍କ ପରିବାର ଲୋକେ ପୋଲିସକୁ ଖବର ଦେଇ ତାଙ୍କ ପୁଅକୁ ଉଦ୍ଧାର କରିବାକୁ କହିଥିଲେ । ପୋଲିସ ପହଞ୍ଚି ପଞ୍ଚାୟତ ଭିତରେ ବସିଥିବା ମହିଳା ଓ ଯୁବକକୁ ଉଠାଇ ଆଣିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ଗାଁ ଲୋକେ ପୋଲିସ ଗାଡିକୁ ଛାଡି ନଥିଲେ । ରାତି ସାରା ଚାଲିଲା ବିବାଦ । ଶେଷରେ ରାତି ପାହିବା ପରେ ପୋଲିସ ବାଧ୍ୟ ହୋଇ ଫେରି ଯାଇଥିଲା । ମହିଳା ଜଣକ ସ୍ୱାମୀ ସହିତ ନରହି ପ୍ରେମିକ ପାଖରେ ରହିବେ ବୋଲି କହିବା ପରେ ଚୁକ୍ତିନାମା ଲେଖି ଗାଁ ଲୋକେ ଯୁବକ ଓ ମହିଳାଙ୍କୁ ଛାଡିଥିବା ଜଣା ଯାଇଛି ।

Leave A Reply

Your email address will not be published.