ଖଣି ଖନନ ସର୍ଭେକୁ ନେଇ ତୀବ୍ର ଉତ୍ତେଜନା

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ ବିଜାଲି ଗ୍ରାମରେ ଖଣି ଖନନ ପାଇଁ ଦୀର୍ଘ ଦିନ ହେଲା ସର୍ଭେ କାର୍ଯ୍ୟ ଚାଲିଛି ଏହାକୁ ଅଞ୍ଚଳବାସୀ ବିରୋଧ କରିଆସୁଥିବା ବେଳେ ଜିଲାର ପ୍ରଶାସନିକ ଅଧିକାରୀମାନଙ୍କ ନିକଟରେ ଗ୍ରାମସଭାର ନିଷ୍ପତ୍ତି ଦାଖଲ କରିବା ସତ୍ତ୍ୱେ ପ୍ରଶାସନ ଗ୍ରାମବାସୀଙ୍କ ସହ କୌଣସି ଆଲୋଚନା ନ କରିବା ତଥା ପଦକ୍ଷେପ ନ ନେବାରୁ ଗ୍ରାଫାଇଟ ଖଣି ଖନନ ସର୍ଭେକୁ ବିରୋଧ କରି ଆଜି ବିଜାଲି ଗ୍ରାମର ଲୋକମାନେ ଉତ୍ତ୍ୟକ୍ତ ହୋଇ ଖଣି ସର୍ଭେକୁ ବିରୋଧ କରି ସର୍ଭେ କର୍ମଚାରୀ ଓ ଶ୍ରମିକମାନଙ୍କୁ ଗାଁରୁ ବିଦା କରିଦେଇଛନ୍ତି। ଆମର ଖଣି ଦରକାର ନାହିଁ, ଆମ ପାଇଁ ଜୀବନ ଓ ଜୀବିକା ମୂଲ୍ୟବାନ। ଏଠି ଖଣି ଖନନ ହେଲେ କେବଳ ବିଜାଲି ନୁହେଁ, ସାରା ହାତୀମୁଣ୍ଡା ପଞ୍ଚାୟତ ସମେତ ପଡ଼ୋଶୀ ତାଜୁଙ୍ଗୀ, ଗଦାପୁର ଓ ବହୁ ଅଞ୍ଚଳର ଲୋକେ ବିସ୍ଥାପିତ ହେବେ। ଆଦିବାସୀ ଲୋକମାନେ ସେମାନଙ୍କ ଭିଟାମାଟି ଓ ଜୀବନ- ଜୀବିକାରୁ ବିସ୍ଥାପିତ ହେଲେ, ଯେତେ କ୍ଷତିପୂରଣ ଦେଲେ ମଧ୍ୟ ସେମାନେ ବଞ୍ଚି ପାରିବେ ନାହିଁ। ତେଣୁ କୌଣସି ପରିସ୍ଥିତିରେ ଆମେ ଆମ ଗ୍ରାମରେ ଖଣି ଖନନ କରାଇ ଦେବୁନାହିଁ। ଭିଟାମାଟି ଓ ଜୀବନ-ଜୀବିକା ଧ୍ୱଂସ କରି ଖଣି ଖନନ ଯୋଜନା ଆମକୁ ମଞ୍ଜୁର ନାହିଁ ବୋଲି ଘୋଷଣା କରି ଆଜି ଉତ୍ୟକ୍ତ ଗ୍ରାମବାସୀ ମେଳି ହୋଇ ପ୍ରତିବାଦ କରିଥିଲେ ଓ ସର୍ଭେ ଦଳକୁ ଗାଁରୁ ଫେରିଯିବାକୁ ବାଧ୍ୟ କରିଥିଲେ। ପ୍ରକାଶ ଯୋଗ୍ୟ, ଗତ କିଛିଦିନ ଧରି ହାତୀମୁଣ୍ଡା ପଞ୍ଚାୟତର ବିଜାଲି ଗ୍ରାମରେ ବ୍ରହ୍ମପୁର ଜିଓଲଜିକାଲ ସର୍ଭେ କାର୍ଯ୍ୟାଳୟ ପକ୍ଷରୁ ସେ ଅଞ୍ଚଳରେ ଗ୍ରାଫାଇଟ୍‌ ଥିବାରୁ ସର୍ଭେ କାମ ଚାଲୁ ରହିଛି। କିନ୍ତୁ ସେ ସମ୍ପର୍କରେ ବିଜାଲି ଗ୍ରାମବାସୀଙ୍କ ସହ କୌଣସି ପରାମର୍ଶ କରାଯାଇନଥିବା ଅଭିଯୋଗ କରି ଗ୍ରାମବାସୀଙ୍କ ମଧ୍ୟରେ ଖଣି ଖନନ ହେଲେ ବିସ୍ଥାପିତ ହେବାର ଆଶଙ୍କା ସୃଷ୍ଟି ହୋଇଛି, ଯାହା ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।

Leave A Reply

Your email address will not be published.