ରଥ ନିର୍ମାଣ ପାଇଁ ଚଳିତ ବର୍ଷ ମଧ୍ୟ ସୋରଡା ପଣ୍ଡା ଖୋଳ ଜଙ୍ଗଲରୁ ୭୩ ଖଣ୍ଡ କାଠ ପଠାଗଲା ଶ୍ରୀକ୍ଷେତ୍ର

ସୋରଡା: ପୁରୀ ରଥଯାତ୍ରା ପାଇଁ ପୁଣି ଚଳିତ ବର୍ଷ ସୋରଡା ଗାଜଳବାଡି ଜଙ୍ଗଲର ପଣ୍ଡାଖୋଳ ସଂରକ୍ଷଣ ଜଙ୍ଗଲରୁ ୭୩ ଖଣ୍ଡ କାଠ ଶନିବାର ପୁରୀ ଅଭିମୁଖେ ଯାଇଛି । ଦ୍ୱିତୀୟ ଥର ପାଇଁ ଏହି ସୌଭାଗ୍ୟ ଅର୍ଜନ କରିଛି ସୋରଡା ବନାଞ୍ଚଳ । ସୋରଡା ପଣ୍ଡାଖୋଳ ଜଙ୍ଗଲରେ ବହୁ ପରିମାଣରେ ଢାଉରା ଓ ଅସନା ବଡ ବଡ ଗଣ୍ଡି ରହିଛି । ଯାହାକି ପ୍ରଭୁ ଜଗନ୍ନାଥଙ୍କ ରଥ ନିର୍ମାଣରେ ଲାଗିବ । କଳାପାହାଡ ରାଜାଙ୍କ କବଳରୁ ମୁକ୍ତି ପାଇବା ପାଇଁ ବହୁ ବର୍ଷ ପୂର୍ବେ ଏହି ପଣ୍ଡାଖୋଳ ଜଙ୍ଗଲରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ମାତା ସୁଭଦ୍ରାଙ୍କୁ ଲୁଚାଇ ରଖିଥିଲେ ଦଇତାପତି ମାନେ । ବହୁ ବର୍ଷ ହେବ ଏହି ଜଙ୍ଗଲରେ ରହିଥିଲେ ଠାକୁର । ତେଣୁ ଏହି ଜଙ୍ଗଲର ନାମ ରହିଛି ପଣ୍ଡାଖୋଳ । ଶନିବାର ସେହି ଠାକୁରଙ୍କ ରଥ ନିର୍ମାଣ ପାଇଁ ଏଠାରୁ ୭୩ ଖଣ୍ଡ କାଠ ପଠାଯାଇଛି । ସେଥିରେ ରହିଛି ୨୦ ଫୁଟ ଲମ୍ବ ଓ ୧୨ ଫୁଟ ଲମ୍ବର କାଠ । ଯେତେବେଳ କାଠକୁ ଧରି ଯାତ୍ରା ଆରମ୍ଭ ହୋଇଥିଲା, ପ୍ରଥମେ ପାଟପୋଲ୍ଲୀ ନର୍ସରୀରେ ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା । ଦକ୍ଷିଣ ଡିଏଫଓ ବିନୋଦ ଆଚାର୍ଯ୍ୟ ପୂଜା ପାଠ କରି ରଥ କାଠକୁ ପୂଜା କରିଥିଲେ । ମନ୍ତ୍ର ପାଠ କରି ପୂଜା କରି ବନ୍ଦା ଯାଇଥିଲା । ବହୁ ମହିଳା ଓ ପୁରୁଷ ଭକ୍ତ କାଠକୁ ନୂତନ ବସ୍ତ୍ର, ଫୁଲ ଚନ୍ଦନ ଦେଇ ବନ୍ଦାପନା କରିଥିଲେ । ଶହ ଶହ ମହିଳା ନୂତନ ଲୁଗା ପ୍ରଦାନ କରିଥିଲେ । ଜୟ ଜଗନ୍ନାଥ ଧ୍ୱନି ଓ ହୁଳହୁଳିରେ ପରିବେଶ କମ୍ପି ଉଠିଥିଲା । ଖାଲି ଏତିକି ନୁହେଁ ଏହା ସହିତ ଢୋଲ ମହୁରି, ସହ ମୃଦଙ୍ଗର ତାଳେ ତାଳେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ସତେ ଯେପରି ଭକ୍ତ ମାନେ ପ୍ରଭୁ ଜଗନାଥଙ୍କୁ ପାଇଯାଇଛନ୍ତି । ଆମେ ପୁରୀ ରଥ ଯାତ୍ରାକୁ ନ ଗଲେ ମଧ୍ୟ ରଥ କାଠ ଛୁଇ ପୂଣ୍ୟ ଅର୍ଜନ କରିଛୁ । ତେଣୁ ପ୍ରତି ବର୍ଷ ଏପରି କାଠ ଏଠାରୁ ଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ଯାଉଥାଉ ବୋଲି ଭକ୍ତମାନେ କହିଛନ୍ତି । ଏହା ସହିତ ବନ ବିଭାଗ ଏସିଏଫ୍ ପ୍ରଦୀପ କୁମାର ବେହେରାଙ୍କ ସହ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ପ୍ରଭୁ ଜଗନ୍ନାଥଙ୍କ ସେବା କରିବାକୁ ହେଲେ ଭକ୍ତଙ୍କ ସୁଅ ଛୁଟେ । ଆଗକୁ ଆସୁଛି ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା । ତେଣୁ ତିନି ଠାକୁର ରଥରେ ବିଜେ କରି କୋଟି କୋଟି ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବଡଦାଣ୍ଡକୁ ଆସନ୍ତି । ଠାକୁର ଯେଉଁ ରରେ ବିଜେ କରିବେ ତାହା ପୁଣି ପ୍ରତିବର୍ଷ ନୂତନ ଭାବେ ପ୍ରସ୍ତୁତ ହୋଇଥାଏ । ତେଣୁ ବହୁ ଦିନରୁ ମହାରଣା ସେବକ ମାନେ ରଥ ନିର୍ମାଣ ଆରମ୍ଭ କରିଲେଣି । ଏହି ରଥ ନିର୍ମାଣ ପାଇଁ ଚଳିତ ବର୍ଷ ମଧ୍ୟ ସୋରଡା ପଣ୍ଡା ଖୋଳ ଜଙ୍ଗଲରୁ ବଡ ବଡ ଢାଉରା, ଅସନ କାଠ ଦୁଇଟି ଟ୍ରକରେ ଲୋର୍ଡ ହୋଇ ଶ୍ରୀକ୍ଷେତ୍ର ପଠାଯାଇଛି । ରଥ କାଠକୁ ବିଦାୟ ଦେବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.