କେବେ ଆରମ୍ଭ ହେବ ସିର୍କି ଡ୍ୟାମ୍‌ର ପୁନରୁଦ୍ଧାର କାର୍ଯ୍ୟ?

ଘୁ.ଉଦୟଗିରି: ଜଳସେଚନ ଅଭାବରୁ ସ୍ଥାନୀୟ ଅଞ୍ଚଳରେ ଚାଷ ଜମି ପଡ଼ିଆ ପଡୁଛି। ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ଚାଷୀ କ୍ଷତି ସହୁଛି। ଚାଷ ପ୍ରତି ବିମୁଖ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଦେଖୁବାକୁ ମିଳୁଛି। ଚାଷୀଙ୍କ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ମାଳମାଳ ଯୋଜନା ପ୍ରସ୍ତୁତି କରୁଛନ୍ତି। ହେଲେ ଯୋଜନା ଯୋଜନାରେ ରହିଯାଉଛି।କାରଣ ସ୍ଥାନୀୟ ଅଞ୍ଚଳ ଏକ ପାହାଡ଼ ପର୍ବତ ଘେରା ଅଞ୍ଚଳ। ସ୍ଥାନୀୟ ଅଧିବାସୀମାନେ ମୁଖ୍ୟତଃ ଚାଷ ଉପରେ ନିର୍ଭର କରୁଥିବା ବେଳେ ପାହାଡ଼ିଆ ଢ଼ିପ ଏବଂ ଉଚ୍ଚ ସ୍ଥାନରେ ଚାଷଜମି ରହିଥିବା ଯୋଗୁଁ ଚାଷୀମାନେ ବର୍ଷା ଉପରେ ନିର୍ଭରଶୀଳ। ଜଳସେଚନ ନିମନ୍ତେ କୋଟିକୋଟି ଟଙ୍କା ବ୍ୟୟରେ ଡ୍ୟାମ୍‌ ନିର୍ମାଣ ହୋଇଛି। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଚାଷୀ ପାଖରେ ଜମିରେ ପାଣି ପହଂଚୁନି। ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମାଲିକାପୋଡ଼ି ପଞ୍ଚାୟତର ସିର୍କି ନିକଟରେ ଏକ ଡ୍ୟାମ୍‌ ନିର୍ମାଣ ହୋଇଛି, ଯାହାକି ହଜାର ହଜାର ଏକର ଜମିକୁ ଜଳସେଚିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଦୀର୍ଘ ୫୦ବର୍ଷ ତଳେ ନିର୍ମାଣ କରିଥିଲେ। ଚାଷୀ ଏହି ଡ୍ୟାମ୍‌ ଦ୍ୱାରା ଉପକୃତ ମଧ୍ୟ ହେଉଥିଲେ। ବର୍ଷରେ ଦୁଇ ଥର ଧାନ ଚାଷ କରୁଥିଲେ। ହେଲେ ଏବେ ଦୀର୍ଘ ୧୦ବର୍ଷରୁ ଊର୍ଦ୍ଧ୍ବ ହେଲା ଡ୍ୟାମ୍‌ ପୁନରୁଦ୍ଧାର ନ ହେବା ଯୋଗୁଁ ଚାଷ ଜମିକୁ ପାଣି ଯାଉନି। ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଅନ୍ୟପଟେ ରାଜସ୍ୱ ବିଭାଗ ଜଳସେଚିତ ଜମି ହିସାବରେ ରାଜସ୍ୱ ସଂଗ୍ରହ କରିବାରେ ବ୍ୟସ୍ତ। ଏହି ଡ୍ୟାମ୍‌ରୁ ଘୁ.ଉଦୟଗିରି ସହରବାସୀଙ୍କ ପାଇଁ ପାନୀୟ ଜଳ ଯୋଗାଣ ହେଉଛି। କିନ୍ତୁ ଡ୍ୟାମ୍‌ ଏବେ ଶୁଖିଲା ପଡ଼ିଛି। ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ପରେ ରାଜ୍ୟ ସରକାର ଅର୍ଥ ବ୍ୟୟ ବରାଦ କରିଛନ୍ତି ଏହାର ପୁନରୁଦ୍ଧାର ସହ ଗେଟ୍‌ ମରାମତି ପାଇଁ।କିନ୍ତୁ ପ୍ରଶ୍ନ ଉଠୁଛି କେବେ ଠାରୁ ଆରମ୍ଭ ହେବ  ସିର୍କି ଡ୍ୟାମ୍‌ର ପୁନରୁଦ୍ଧାର କାର୍ଯ୍ୟ। ଅଞ୍ଚଳବାସୀଙ୍କ ସମସ୍ୟା ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇ ରାଜ୍ୟ ସରକାର ୬ କୋଟି ୧୧ ଲକ୍ଷ ୩୮ ହଜାର ଟଙ୍କା ଏବଂ ଗେଟ୍ ର ମରାମତି ନିମନ୍ତେ ୪ ଲକ୍ଷ ୧୪ ହଜାର ଟଙ୍କା ଅନୁମୋଦନ କରିଛନ୍ତି ଏବଂ ଏପ୍ରିଲ ମାସ ରେ ଏହାର ଟେଣ୍ଡର ହୋଇ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ପତ୍ର ମାଧ୍ୟମରେ କନ୍ଧମାଳ କ୍ଷୁଦ୍ର ଜଳ ସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ତରଫରୁ ଅବଗତ କରିଥିଲେ କିନ୍ତୁ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ଆରମ୍ଭ ହୋଇନି। ସ୍ଥାନୀୟ ଉପଖଣ୍ଡ ବିଭାଗୀୟ କାର୍ଯ୍ୟାଳୟରେ ତାଲା ଝୁଲୁଛି। କେହି ଜଣେ ମଧ୍ୟ କର୍ମଚାରୀ କି ଅଧିକାରୀ ନାହାନ୍ତି। ବଲାଙ୍ଗୀର ଜିଲ୍ଲାର ଅଧିକ୍ଷଣ ଯନ୍ତ୍ରୀ ଏହି ଉପଖଣ୍ଡ ବିଭାଗୀୟ କାର୍ଯ୍ୟାଳୟର ଅତିରିକ୍ତ ଦାୟିତ୍ୱରେ ଥିବା ସୂଚନା ମିଳିଛି। ଆଶ୍ଚର୍ଯ୍ୟର କଥା ଅର୍ଥ ଅନୁମୋଦନ ହେଲା କାର୍ଯ୍ୟ କରିବା ନିମନ୍ତେ ଅଧିକାରୀ ନାହାନ୍ତି। ରାଜ୍ୟ ସରକାରଙ୍କ ପାଖରେ ଖବର ଅଛି କି ନାହିଁ ନିର୍ବାଚିତ ଲୋକ ପ୍ରତିନିଧି ମାନେ କରୁଛନ୍ତି କଣ? ନେତା ଏବଂ ପ୍ରଶାସନିକ ଅଧିକାରୀଙ୍କ ଚାଷୀଙ୍କ ପ୍ରତି କେତେ ଦରଦ ଏହି କାର୍ଯ୍ୟରୁ ସ୍ପଷ୍ଟ ବାରି ହୋଇପଡୁଛି। ଆଗକୁ ବର୍ଷା ଋତୁ ଆସିବା ପୂର୍ବରୁ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ଅଞ୍ଚଳବାସୀ ସରକାରଙ୍କୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.