ଦାରିଙ୍ଗବାଡି :ଏବେ ଚାରିଆଡେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରଚଣ୍ଡ ଖରା ଯୋଗୁ ଜରୁରୀ କାମ ନ ଥିଲେ କେହି ଘରୁ ପଦାକୁ ବାହାରୁନାହାନ୍ତି। ଏଭଳି ପରିସ୍ଥିତି ରେ ଦାରିଙ୍ଗବାଡି ପୋଷ୍ଟ ଅଫିସରେ ଦେଖିବାକୁ ମିଳିଛି ଅବ୍ୟବସ୍ଥା। ପ୍ରତିଦିନ ପୋଷ୍ଟ ଅଫିସକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଗ୍ରାହକମାନେ ପ୍ରଚଣ୍ଡ ଖରା ରେ ଖୋଲା ଆକାଶ ତଳେ ଘଣ୍ଟା ଘଣ୍ଟା ଖରାରେ ଠିଆ ହୋଇ ରହିବାକୁ ପଡୁଛି। ରାଜ୍ୟ ହେଉ କି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ବ୍ୟାଙ୍କ, ପୋଷ୍ଟ ଅଫିସରେ ଆକାଉଣ୍ଟ ଖୋଲି କାରବାର କରିବାକୁ ପଡୁଛି। ଏବେ ସୁଭଦ୍ରା ଯୋଜନାରେ ଟଙ୍କା ଉଠାଣ ଏବଂ ଆଧାର କାର୍ଡ ସଂଶୋଧନ, ନୂତନ ଆବେଦନ ସହ ଅପଡେଟ କରିବା ପାଇଁ ଲୋକମାନେ ପୋଷ୍ଟ ଅଫିସ ଉପରେ ନିର୍ଭର କରିବାକୁ ପଡୁଛି। ତେବେ ପୋଷ୍ଟ ଅଫିସ ପକ୍ଷରୁ ସେମାନଙ୍କ ପାଇଁ ବାହାରେ ଘଣ୍ଟା ଘଣ୍ଟା ଠିଆ ହୋଇରହିବାକୁ ପଡୁଥିଲେ ମଧ୍ୟ ଖରାରୁ ବଞ୍ଚିବା ପାଇଁ ଟେଣ୍ଟର ବ୍ୟବସ୍ଥା ନ ଥିବା ବେଳେ ପିଇବା ପାଣିର ବ୍ୟବସ୍ଥା ମଧ୍ୟ ନାହିଁ। ଫଳରେ ହଟହଟା ଭୋଗୁଛନ୍ତି ଉପଭୋକ୍ତା। ସେହିପରି ବାରମ୍ବାର ବିଦ୍ୟୁତ କାଟ ହେଉକି ନେଟୱାର୍କ ଫେଲ କାରଣରୁ ପୋଷ୍ଟ ଅଫିସ ଅଚଳ ହୋଇପଡୁଛି। ଫଳରେ ଯେଉଁ ସମୟ ସୀମା ମଧ୍ୟରେ ଉପଭୋକ୍ତାଙ୍କ କାର୍ଯ୍ୟ ସାରିବା କଥା ତାହା ଦିନ ତମାମ ସମୟ ଅତିବାହିତ ହେଉଛି। ଖରା ଗରମରେ ଆଉଟୁପାଉଟୁ ହେଉଛନ୍ତି ପୋଷ୍ଟ ଅଫିସ ଉପରେ ନିର୍ଭର କରୁଥିବା ଉପଭୋକ୍ତା ଓ ଜନ ସାଧାରଣ। ଏନେଇ ପୋଷ୍ଟ ଅଫିସର ପୋଷ୍ଟମାଷ୍ଟର ବସନ୍ତ ନାୟକଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ବାହାରେ ଗ୍ରାହକଙ୍କ ପାଇଁ ଟେଣ୍ଟ ପକାଇବା ପାଇଁ ଆମର କୌଣସି ଫଣ୍ଡ ନାହିଁ ଏବଂ ତାଙ୍କ ପାଣି ପମ୍ପ ପୋଡି ଯାଇଥିବାରୁ ଜଳ ଯୋଗାଣ କରିପାରିନାହିଁ।