ଦାରିଙ୍ଗବାଡ଼ି : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟରେ ଏକ କାର୍ ଗଛରେ ପିଟି ହୋଇଛି। ତେବେ ଉକ୍ତ କାର୍ରେ କିଏ ଥିଲା ଏବଂ କେଉଁଠିକୁ ଯାଉଥିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନଥିବା ପୋଲିସ ପକ୍ଷରୁ କୁହାଯାଇଛି। ପ୍ରକାଶ ଯେ, ଦାରିଙ୍ଗବାଡ଼ି ପଟରୁ ଯାଉଥିବା କାର୍ ନଂ (ଓଡି-୦୨ସିଇ- ୫୫୭୭)ଏକ ବିରାଟ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଓ ଉକ୍ତ କାର୍ ଭିତରେ କେହି ନଥିବା ସହ ରକ୍ତ ଭିଜା କାର୍ଟି ଥିବା ସ୍ଥାନୀୟ ଲୋକେ ଦାରିଙ୍ଗବାଡ଼ି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଦୁର୍ଘଟଣା ଘଟି ରକ୍ତ ଲାଗିଥିବା ଆଶଙ୍କା କରିଛି ଦୁର୍ଘଟଣା ପରେ ଆହତମାନେ କୌଣସି ଗାଡ଼ିରେ ବାଲିଗୁଡ଼ା କିମ୍ବା ଅନ୍ୟ କୁଆଡ଼େ ଯାଇଥାଇପାରନ୍ତି ବୋଲି ପୋଲିସ ଆଶଙ୍କା କରିଛି। ସେହିପରି ଦାରିଙ୍ଗବାଡ଼ିରେ ପ୍ରବଳ ବର୍ଷା ହୋଇଥିବାରୁ ଗାଡ଼ି ସ୍ଲିପ୍ କରି ଗଛରେ ପିଟି ହୋଇଥିବା ବି ଅନୁମାନ କରାଯାଉଛି। ଏଏସ୍ଆଇ ଅର୍ଜ୍ଜୁନ ଶବର ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଜବତ କରି ଥାନାକୁ ନେବା ବ୍ୟବସ୍ଥା କରିବା ସହ ଏହାର ତନାଘନା କରୁଛନ୍ତି। ଖବର ଲେଖାହେବା ସୁଦ୍ଧା କୌଣସି ସତ୍ୟତା ଜଣାପଡ଼ିନାହିଁ।
