ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ଏବେ ବି ମଣିଷ, ଶେଷକୃତ୍ୟ ନକରି ଗର୍ଭବତୀଙ୍କ ସହ କଲେ

ମହାକାଳପଡ଼ା: ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ମଣିଷ । କଲେନାହିଁ ମୃତ ଗର୍ଭବତୀଙ୍କ ଶେଷକୃତ୍ୟ । ପୁରୁଣା କାଳର କୁସଂସ୍କାରର ହେଲେ ବଶବର୍ତ୍ତୀ । ମୃତଦେହ ଚିରି ପେଟରୁ କାଢ଼ିଲେ ପିଲା । ଆଉ ମୃତଦେହକୁ ସେମିତି ରଖି ଦେଲେ । ଏମିତି ଘଟଣା ଶୁଣିଲେ ଆପଣଙ୍କ ଲୋମଟାଙ୍କୁରି ଉଠିବ ନିଶ୍ଚୟ । କାରଣ ଆଜିର ଆଧୁନିକ ଯୁଗରେ ଆନେକ କୁସଂସ୍କାର, ଅନ୍ଧବିଶ୍ବାସ ଥିବା ପରମ୍ପରା ଲୁଚି ଗଲାଣି ଦୁନିଆରୁ । ତଥାପି କିଛି ପ୍ରଥାରେ ବାନ୍ଧି ହୋଇ ରହିଛି ମଣିଷ । ଆଗ କାଳରେ ଆଈ ମା ପାଖରୁ ଶୁଣିଥିବା କାହାଣୀ ସତ ହୋଇଛି ଏକବିଂଶ ଶତାବ୍ଦୀରେ । ପୁରୁଖା ଲୋକଙ୍କ ଠୁ ଶୁଣିବାକୁ ମିଳେ ଯଦି କେହି ଗର୍ଭବତୀ ମହିଳା କୌଣସି କାରଣରୁ ମୃତ୍ୟୁବରଣ କରେ ତାର ପେଟଚିରି ମୃତ ପିଲାକୁ ଗାଁଠୁ ବହୁ ଦୂର ଜଙ୍ଗଲରେ ଡେରି ଦେଇ ଆସୁଥିଲେ । ନଚେତ ସେ ଚିରୁଗୁଣୀ ହୋଇ ବୁଲିବ ବୋଲି ଏକ ଅଜବ ବିଶ୍ୱାସ ରହିଥିଲା । ହେଲେ ଆଜି ବି ଏ ଘୃଣ୍ୟ ପ୍ରଥା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବିଜୟନଗର ଗାଁରେ । ଜଣେ ଗର୍ଭବତୀ ମହିଳାଙ୍କ ମୃତଦେହକୁ ସଂସ୍କାର ନକରି ଗଛମୂଳରେ ଡେରି ଦେଲେ ପରିବାର ଲୋକେ । ସୂଚନା ମୁତାବକ ବିଜୟନଗର ଗାଁର ସନ୍ତୋଷ କୁମାର ସାହୁଙ୍କର ପତ୍ନୀ ପଦ୍ମିନୀ ୪ ମାସର ଗର୍ଭବତୀ ଥିଲେ । ଅନେକ ଦିନ ହେବ ପଦ୍ମିନୀ ଡାଇବେଟିସ ରୋଗରେ ପୀଡ଼ିତ ଥିଲେ । ସୁଗାର ବଢିଯିବାରୁ ପରିବାର ଲୋକେ ପଦ୍ମିନୀଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ନିଆ ଯାଇଥିଲା । କିନ୍ତୁ ଶେଷରେ ମୃତ୍ୟୁବରଣ କରିଥିଲେ ପଦ୍ମିନୀ । ଚିକିତ୍ସାଧୀନ ଅବସ୍ଥାରେ ରବିବାର ରାତିରେ ପଦ୍ମିନୀଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ପରିବାର ଲୋକେ ମୃତଦେହ ଘରକୁ ନେଇ ଆସିଥିଲେ । କିନ୍ତୁ ଏହାର ସଂସ୍କାର କରିବା ବଦଳରେ ଅନ୍ଧବିଶ୍ୱାସର ଶିକାର ହୋଇ ପଦ୍ମିନୀଙ୍କ ମୃତଦେହକୁ ଗାଁ ମୁଣ୍ଡରେ ରଖି ଦେଲେ । ଏହା ପୂର୍ବରୁ ତାଙ୍କ ପେଟ ଚିରି ୪ ମାସର ମୃତ ପିଲା କାଢ଼ି ଦେଇଥିଲେ । ପରେ ନଦୀକୁଳରେ ଏକ ବାଉଁଶରେ ମହିଳାଙ୍କ ମୃତଦେହକୁ ଡେରି ଦେଇଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଗଲା । ଏପରି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେବାପରେ କିଛି ସମାଜସେବୀ ମୃତ ମହିଳାଙ୍କ ପରିବାର ଲୋକମାନଙ୍କୁ ବୁଝାସୁଝା କରିଥିଲେ । ଶେଷରେ ପରିବାର ଲୋକେ ମରଡରୀରକୁ ପୋତି ଦେଇଥିଲେ । ଆମ ସମାଜ ଯେତେ ଆଧୁନିକ ହେଲେ ମଧ୍ୟ କିଛି ଅନ୍ଧବିଶ୍ବାସ ଓ କୁସଂସ୍କାରକୁ ଲୋକେ ଛାଡ଼ି ପାରି ନାହାନ୍ତି । ସଚେତନତାର ଅଭାବ ହେଉ କିମ୍ବା ସାମାଜିକ ଚାପ, ସେମାନେ ଏଥିରୁ ଦୂରେଇ ପାରି ନାହାନ୍ତି । ତେବେ ଆଖପାଖ ଲୋକେ ଏବଂ ପ୍ରଶାସନ ତଥା ସାମାଜିକ ସଂଗଠନ ଠିକଣା ଭାବେ ସଚେତନ କଲେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିବ ନାହିଁ ।

057 code kasam
Leave A Reply

Your email address will not be published.