ଭଦ୍ରକ: ଧୈର୍ଯ୍ୟହରା ହୋଇ କାନ୍ଦୁଛି ମା’ । ତା ଛୁଆର ମରଶରୀର ପାଖେ ଜଗି ବସିଛି । ପୁଅର ମୃତଦେହ ଛାଡ଼ିବାକୁ ନାରାଜ ମା’ । ଆଖିରୁ ଧାର ଧାର ଲୁହ ବୋହି ଯାଉଛି । ସେପଟେ ହସ୍ପିଟାଲ ବାହାରେ ଅସହାୟ ହୋଇ ପୁଅକୁ ଝୁରୁଛି ବାପା । କୂଳ ନନ୍ଦନର ଅଚାନକ ମୃତ୍ୟୁକୁ କେମିତି ବା ବାପା ମା ସହିବେ ।
ସାପ କାମୁଡ଼ାରେ ଶିଶୁର ମୃତ୍ୟୁ ହେବା ପରେ ବାପା ମା’ଙ୍କ ଅବସ୍ଥା ଏମିତି । ଭଦ୍ରକ ଜିଲ୍ଲା ଆଗରପଡା ଥାନା ଅଧିନସ୍ଥ କାଦବାରଙ୍ଗ ପଞ୍ଚାୟତର ବନ୍ତଳା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହି ଗାଁର ପ୍ରଦୀପ ପ୍ରଧାନ ତାଙ୍କ ଶଶୁର ଘର ସେଣ୍ଡତିରାକୁ ଯାଇଥିଲେ । ତାଙ୍କ ଶଶୁରଙ୍କର ବାର୍ଷିକ କ୍ରିୟା ଥିଲା । ତେଣୁ କାମରେ ଯୋଗ ଦେବା ପାଇଁ ନିଜ ସ୍ତ୍ରୀ ଓ ପିଲାକୁ ନେଇ ଶ୍ବଶୁର ଘରକୁ ଯାଇଥିଲେ । ସେଠାରେ କ୍ରିୟା ସାରିବା ପରେ ସମସ୍ତ ପରିବାର ଲୋକମାନେ ଏକାଠି ବସିଥିଲେ । ଏହି ସମୟରେ ଏକ ବିଷାକ୍ତ ସାପ ଆସି ତାଙ୍କ ପୁଅକୁ ଚୋଟ ମାରିଥିଲା । ଶିଶୁକୁ କାମୁଡିବା ପରେ ସାପଟି ସାଙ୍ଗେ ସାଙ୍ଗେ ଏକ ଗାତ ଭିତରକୁ ପଶି ଯାଇଥିଲା । ଘର ଲୋକମାନେ ସାଙ୍ଗେ ସାଙ୍ଗେ ଶିଶୁକୁ ଧରି ଭଦ୍ରକ ମୁଖ୍ୟ ଚିକିସ୍ୟାଳୟକୁ ଆଣିଥିଲେ । ହେଲେ ଡାକ୍ତର ସେଠାରେ ଶିଶୁକୁ ମୃତ ଘୋଷଣା କରିଥିଲେ । ମୃତ ଶିଶୁ ୪ ବର୍ଷିୟ ସିନୁ ପ୍ରଧାନ ବୋଲି ଜଣାପଡ଼ିଛି । ପୁଅ ମୃତ୍ୟୁକୁ ନେଇ ପରିବାର ଲୋକମାନେ ଭାଙ୍ଗି ପଡିଥିବାବେଳେ ଗ୍ରାମବାସୀ ପରିବାରକୁ ସହାୟତା କରିବା ପାଇଁ ନିବେଦନ କରିଛନ୍ତି ।

ବର୍ଷା ଦିନ ହୋଇଥିବାରୁ ଏବେ ସାପମାନେ ଗାଁ ଗହଳି ଅଞ୍ଚଳରେ ବାହାରୁଛନ୍ତି । ଘର ଆଖପାଖ ସଫା ରଖିଲେ ହୁଏତ ସାପମାନେ ଘରେ ପଶିବେନି କି ଏମିତି ଅଘଟଣ ଘଟିବନି ।