ରାତି ପାହିଲେ ସ୍ନାନମଣ୍ଡପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି: କାହିଁକି ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ପାଳନ ହୁଏ ମହାପ୍ରଭୁଙ୍କ ସ୍ନାନଯାତ୍ରା ଜାଣନ୍ତୁ
ପୁରୀ : ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା । ସ୍ନାନମଣ୍ଡପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ କରି ହାତୀବେଶରେ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ତେବେ କାହିଁକି ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ପାଳନ ହୁଏ ଦେବସ୍ନାନ ପୂର୍ଣ୍ଣିମା ଆପଣ ଜାଣିଛନ୍ତି କି?
କାହିଁକିନା ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଠାକୁରଙ୍କ ଜନ୍ମଦିନ । ଏହି ଅବସରରେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଏହି ସ୍ନାନପୂର୍ଣ୍ଣିମା ଦିନ ସୁନା କୂଅରୁ ୧୦୮ କଳସ ଜଳ ଆଣି ଠାକୁରଙ୍କୁ ସ୍ନାନ କରାଇଥିଲେ । ଏହି ଶାସ୍ତ୍ରୀୟ ମତକୁ ଅନୁସରଣ କରି ଏହି ଦିନ ସ୍ନାନ ଯାତ୍ରା ପାଳନ କରାଯାଇଆସୁଛି । ତେବେ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଦେବସ୍ନାନ ନୀତି ଅନୁଷ୍ଠିତ ହୋଇଥାଏ । ଚତୁର୍ଦ୍ଧାମୂରତି ରତ୍ନବେଦି ଛାଡ଼ି ସ୍ନାନବେଦିକୁ ବିଜେ କରିଥାନ୍ତି । ଦେବସ୍ନାନ ନୀତିରେ ଚତୁର୍ଦ୍ଧାବିଗ୍ରହଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଏ ।

ପୌରାଣିକ କଥା ଅନୁଯାୟୀ, ଜ୍ୟୋଷ୍ଠ ପୂର୍ଣ୍ଣିମା ଦିନ ମହାପ୍ରଭୁ ଆବିର୍ଭାବ ହୋଇଥିଲେ । ଜାତି, ବର୍ଣ୍ଣ, ନିର୍ବଶେଷରେ ସମସ୍ତେ ମହାପ୍ରଭୁଙ୍କ ପ୍ରଥମ ସ୍ନାନଲୀଳା ଦର୍ଶନ କରିଥିଲେ । ଯାହାକୁ ପତିତପାବନ ଲୀଳା ମଧ୍ୟ କୁହାଯାଏ । ୧୦୮ ସୁନା କଳସରେ ଅଭିମନ୍ତ୍ରିତ ପବିତ୍ର ଜଳରେ ଶ୍ରୀଜିଉଙ୍କ ଆଦ୍ୟ ସ୍ନାନଲୀଳା ସମାପନ ହୋଇଥିଲା । ଏହି ପୌରାଣିକ କଥାକୁ ଅନୁସରଣ କରି ଆଜି ବି ଏହିଦିନରେ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଆସୁଛି ।
ତେବେ ଆପଣ ଜାଣନ୍ତି ମହାପ୍ରଭୁଙ୍କ ସ୍ନାନ ପାଇଁ ୧୦୮ ଗରା ସୁବାସିତ ଜଳ କେଉଁଠୁ ଆସିଥାଏ ? ଆସନ୍ତୁ ଜାଣିବା । ଶ୍ରୀମନ୍ଦିର ବେଢା ମଧ୍ୟରେ ଦେବୀ ଶୀତଳା ଓ ବାହନ ସିଂହଙ୍କ ମଧ୍ୟରେ ପ୍ରାଚୀନ ସୁନାକୂଅ ରହିଛି । ଏହାକୁ ଅନେକ ପ୍ରଣୀତ କୂଅ ବୋଲି କୁହନ୍ତି । ଏହି କୂଅର ରକ୍ଷକ ହେଉଛନ୍ତି ମା’ଶୀତଳା । ସିଂହଦ୍ୱାର ପ୍ରବେଶପଥର ଦକ୍ଷିଣ ପଟ ବେଢା ମଧ୍ୟରେ ବିରାଜିତ ପାତାଳ ସମ୍ଭୂତା ମା’ଶୀତଳାଙ୍କର କେବଳ ମସ୍ତକଟି ଦେଖାଯାଏ । କଳିଯୁଗ ଶେଷରେ ଦେବୀ ସଂପୂର୍ଣ୍ଣ ଆବିର୍ଭାବ ହେବେ ବୋଲି ଶୁଣିବାକୁ ମିଳେ ।
ଦେବ ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ସୁନା କୂଅରୁ ପବିତ୍ର ଜଳ ଅଣାଯାଏ । ବର୍ଷରେ ଥରେ ମାତ୍ର ସ୍ନାନପୂର୍ଣ୍ଣିମା ପୂର୍ବଦିନ ସୁନାକୂଅର ଅଭ୍ୟନ୍ତର ପରିଷ୍କାର କରାଯାଇ ଜଳ ଅଭିମନ୍ତ୍ରୀତ ହୋଇ ୧୦୮କଳସରେ ଜଳ ଅଣାଯାଏ । ଏହି ଜଳକୁ କେବଳ ସୁନାଗୋସେଇଁ , ମୁଦିରସ୍ତ ଓ ଗରାବଡୁ ସେବକମାନେ ହିଁ ଆଣିଥାନ୍ତି । ଜଳ ଆଣିସାରିବା ପରେ ପୁନର୍ବାର କୂଅକୁ ଘୋଡାଇ ଦିଆଯାଏ । ପୁରା ଏକ ବର୍ଷ ପର୍ଯ୍ୟନ୍ତ ଆଉ ସେ କୂଅର ଜଳ ବ୍ୟବହାର କରାଯାଏନାହିଁ ।
ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା ପାଇଁ କେତେବେଳେ କ’ଣ ରହିଛି ନୀତି ର୍ନିଘଣ୍ଟ ଆସନ୍ତୁ ଜାଣିବା । ମଙ୍ଗଳାର୍ପଣ ପ୍ରାତଃ- ୪ଟା ୩୦ । ଡୋରଲାଗି ଓ ପୁଷ୍ପାଞ୍ଜଳୀ ହୋଇ ପହଣ୍ଡି ଆରମ୍ଭ- ୫ ଟା ରୁ ୭ଟା । ମଙ୍ଗଳଆଳତି- ସକାଳ ୯ ଟା । ମଇଲମ- ୯ଟା ୧୫ । ତଡପ ଲାଗି- ୯ଟା ୨୫ । ଅଧର ପୋଛା – ୯ଟା ୪୫ । ଅବକାଶ- ୧୦ଟା ୨୦। ରୋଷହୋମ – ୧୦ଟା ୨୦ । ସୂର୍ଯ୍ୟ ପୂଜା – ୧୦ଟା ୩୦ । ଦ୍ଵାରପାଳ ପୂଜା – ୧୦ଟା ୫୫ । ବେଶ ଶେଷ- ୧୧ଟା ୧୦ । ଜଳ ବିଜେ, ପୂଜା, ସ୍ନାନ – ଦିବା ୧୨ଟା ୨୦ ରୁ ୧ଟା ୪୫ । ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ – ୨ଟା ୫୦। ଛେରା ପହଁରା – ୩ଟା ୩୦ । ହାତୀ ବେଶ – ୪ଟା ୩୦ । ମହନ୍ତଶାଢ଼ୀବନ୍ଧା- ୪ଟା ୩୦। ଘଣ୍ଟଛତା ସକାଳ ଧୂପ – ୫ଟା ୪୫ ରୁ ୭ଟା ୨୦। ଦକ୍ଷିଣିଘର ଭୋଗ- ସନ୍ଧ୍ୟା ୬ଟା ୩୦ । ସାହାଣମେଲା – ୭ଟା ୩୦ ରୁ ୧୦ ଟା ୩୦ । ହାତୀବେଶ ମଇଲମ- ରାତ୍ର ୧୧ଟା । ପୁଷ୍ପାଞ୍ଜଳୀ ଓ ଡୋରଲାଗି- ୧୧ଟା ୧୦ । ବାହୁଡା ପହଣ୍ଡି – ୧୧ଟା ୩୦ ରୁ ୨ ଟା । ସୁନା ଚିତା ଓ ରାହୁ ରେଖା ମଇଲମ – ୨ଟା ୩୦ ।
ଏହା ପରେ ଅତ୍ୟଧିକ ସ୍ନାନ କରିବା ପରେ ଅଣସର ଘରେ ମହାପ୍ରଭୁ ଜ୍ୱରରେ ପଡିବା ସହ ଦଇତାପତି ସେବାୟତଙ୍କ ଦ୍ବାରା ଆରମ୍ଭ ହେବ ଗୁପ୍ତଚିକିତ୍ସା ନୀତି । ତେବେ ମହାପ୍ରଭୁଙ୍କ ସ୍ନାନ ଯାତ୍ରାର ସମସ୍ତ ନୀତି କାନ୍ତି କିଭଳି ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ହୋଇ ପାରିବ ସେ ଦିଗରେ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱ ଦେଇଛି ।