ନୂଆଦିଲ୍ଲୀ: ଏହାକୁ ଭଗବାନଙ୍କ ଆଶୀର୍ବାଦ ବା କୌଣସି ଚମତ୍କାର ବୋଲି କୁହାଯାଇପାରେ। ଯିଏ ଶୁଣୁଛି ସିଏ ବି ଚକିତ ହୋଇଯାଉଛି। ଅହମଦାବାଦରେ ଘଟିଥିବା ଲୋମଟାଙ୍କୁରା ବିମାନ ଦୁର୍ଘଟଣାରୁ ଜଣେ ଯାତ୍ରୀ ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚି ଯାଇଛନ୍ତି। ଉକ୍ତ ଯାତ୍ରୀଙ୍କ ନାଁ ବିଶ୍ବାସ କୁମାର ରମେଶ ଏବଂ ତାଙ୍କ ବୟସ ୪୦। ବିଶ୍ବାସ ବିମାନର ୧୧ଏ ସିଟ୍ରେ ବସିଥିଲେ। ତାଙ୍କୁ ତାଙ୍କ ସିଟ୍ରୁ ଉଦ୍ଧାର କରାଯାଇଛି। ବିଶ୍ବାସ ନିଜ ପରିବାର ସଦସ୍ୟଙ୍କୁ ଭେଟିବା ପାଇଁ ନିକଟରେ ଭାରତ ଆସିଥିଲେ। ଭାଇ ଅଜୟ କୁମାର ରମେଶ (୪୫)ଙ୍କ ସହ ସେ ଆଜି ବ୍ରିଟେନ୍ ଫେରୁଥିଲେ। ଏକପ୍ରକାର ପୁନର୍ଜୀବନ ପାଇଥିବା ବିଶ୍ବାସ ଏହି ଭୟଙ୍କର ଦୁର୍ଘଟଣାର ଏକମାତ୍ର ଜୀବିତ ପ୍ରତ୍ୟକ୍ଷଦର୍ଶୀ। ସେ କହିଛନ୍ତି, ବିମାନ ଉଡ଼ାଣ ଭରିବାର କିଛି ମିନିଟ୍ ମଧ୍ୟରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା ଏବଂ ଏହା ହୁତୁହୁତୁ ହୋଇ ଜଳିଥିଲା। ମୁଁ ଚେତା ଫେରିପାଇବା ପରେ ଚାରିଆଡ଼େ ଖାଲି ଦଗ୍ଧ ମରଶରୀର ଦେଖିଥିଲି। ମୁଁ ଅତିମାତ୍ରାରେ ଭୟଭୀତ ହୋଇଥିଲି ଏବଂ କିଛି ବୁଝିପାରୁ ନଥିଲି। ମୋ ଚାରିପାଖରେ ବିମାନର ବିଭିନ୍ନ ଭଗ୍ନାବଶେଷ ପଡ଼ିଥିଲା। ଏହି ସମୟରେ ମତେ କେହି ଜଣେ ଧରି ଆମ୍ବୁଲାନ୍ସରେ ହସ୍ପିଟାଲ୍ ଆଣିଥିଲେ। ବିଶ୍ବାସ ଗତ ୨୦ ବର୍ଷ ଧରି ଲଣ୍ଡନରେ ରହୁଛନ୍ତି। ତାଙ୍କ ପତ୍ନୀ ଏବଂ ପିଲା ମଧ୍ୟ ଲଣ୍ଡନରେ ରହନ୍ତି। ତାଙ୍କ ଭାଇ ବିଜୟ ବିମାନର ଅନ୍ୟ ଏକ ସିଟ୍ରେ ବସିଥିଲେ। ଏଯାଏଁ ତାଙ୍କୁ ଠାବ କରାଯାଇପାରିନାହିଁ।