ଖତ ଖାଉଛି ଭ୍ରାମ୍ୟମାଣ ପ୍ରସବ ଯାନ: ଦୁର୍ଗମ ଅଞ୍ଚଳରେ ବଢୁଛି ଜନନୀ ଯନ୍ତ୍ରଣା

ଦାରିଙ୍ଗବାଡି- ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣା। ବଢୁଛି ଶିଶୁ ଓ ପ୍ରସୂତିଙ୍କ ମୃତ୍ୟୁ ହାର। ନୀରବି ଯାଇଛି ଜିଲା ପ୍ରଶାସନ। ଏଭଳି ଦୁଖଃଦ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳରେ। ପ୍ରକାଶ ଯେ, କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ଗର୍ଭବତୀଙ୍କ ସୁରକ୍ଷା ସହ ଶିଶୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆରମ୍ଭ କରାଯାଇଥିଲା ଭ୍ରାମ୍ୟମାଣ ପ୍ରସବ ଯାନ। ଏଥିରେ ଦୁର୍ଗମ ଅଞ୍ଚଳର ସମସ୍ତ ଗର୍ଭବତୀ ମା’ଙ୍କୁ ସୁରକ୍ଷିତ ଓ ଅନୁଷ୍ଠାନିକ ପ୍ରସବ ନିଶ୍ଚିତ କରିବା ପାଇଁ ଜିଲା ପ୍ରଶାସନର ଏକ ଅଭିନବ ପ୍ରୟାସ ରହିଥିଲା। ଏଥିପାଇଁ ଜିଲାରେ ପ୍ରଥମେ ଦୁଇଟି ପ୍ରସବ ଯାନକୁ ଜିଲାପ୍ରଶାସନ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ସହଭାଗିତାରେ ଦୁର୍ଗମ ଗ୍ରାମରେ ସେବା ଯୋଗାଇ ଆସୁଥିଲା। ଗତ ୧ ମାସରୁ ଉର୍ଦ୍ଧ ସମୟ ହେଲା ଏହି ସେବା ବନ୍ଦ କରିଦିଆ ଯାଇଥିବାବେଳେ ଏହି ଯାନରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଦରମା ପ୍ରଦାନ ମଧ୍ୟ ବନ୍ଦ ଯୋଗୁ ବ୍ରାହ୍ମଣୀଗାଁ ପ୍ରସବ ଯାନରେ କାର୍ଯ୍ୟରତ କର୍ମଚାରୀ ପ୍ରସବ ଯାନକୁ ଛାଡ଼ି ପରେ ଏହାର ସହାଭାଗୀତାରେ ଥିବା ସ୍ବେଛାସେବୀ ଅନୁଷ୍ଠାନ ଥାନାରେ ଯାନକୁ ରଖିଥିବା ଓ କର୍ମଚାରୀଙ୍କୁ ବକେୟା ଦରମା ନ ଦେବା ପର୍ଯ୍ୟନ୍ତ ଥାନାରେ ଜିଲ୍ଲା ପ୍ରଶାସନର ଏହି ପ୍ରସବ ଯାନଟି ବନ୍ଧା ପଡିଥିବା ଭଳି ଘଟଣା ଏବେ ଚର୍ଚ୍ଚା ଜୋର ଧରିଛି। ସେପଟେ ଦୁର୍ଗମ ଅଞ୍ଚଳର ଗର୍ଭବତୀଙ୍କ ସୁରକ୍ଷିତ ପ୍ରସବ ହେବା ନେଇ ଚିନ୍ତା ବଢିଛି। ଉକ୍ତ ବ୍ଲକ ଅଞ୍ଚଳରେ ଗର୍ଭବତୀ ଓ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ କେତେବେଳେ ଡାକ୍ତରଙ୍କ ଚିକିତ୍ସା ଅବହେଳା ତ ଆଉ ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେଉଥିବା ଅଭିଯୋଗ ହେବାର ନଜିର ରହିଛି। ଏବେ ପ୍ରସବ ଯାନକୁ ଜିଲା ପ୍ରଶାସନ ବନ୍ଦ କରି କାହାର ସ୍ବାର୍ଥ ପାଇଁ କାର୍ଯ୍ୟ କରୁଛି ସେନେଇ ଲୋକଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି।

Leave A Reply

Your email address will not be published.