ଭୁବନେଶ୍ୱର : ରଜ ପର୍ବ ପାଇଁ ଉତ୍ସବମୁଖର ଗାଁଠୁ ସହର । ଆଜି ରଜ ସଂକ୍ରାନ୍ତି । କୁନି କୁନି ପିଲାଙ୍କଠାରୁ ଆରମ୍ଭ କରି କୁଆଁରୀମାନେ ସକାଳୁ ସକାଳୁ ନୂଆ ପୋଷାକ ପିନ୍ଧି, ପାଦରେ ଅଳତା, ହାତରେ ମେହେନ୍ଦୀ, ମୁଣ୍ଡରେ କୁଙ୍କୁମ ଲଗାଇ ସଜବାଜ ହୋଇଛନ୍ତି । ପିଠା ଓ ରଜ ପାନ ଖାଇ ଗାଁ ବୁଲିବା ସହ ଦୋଳି ଖେଳିବାରେ ଲାଗିଛନ୍ତି । ଘରେ ଘରେ ପିଠାପଣାର ମହକ । ୩ଦିନ ଧରି ପାଳିତ ହୋଇଥାଏ ଏହି ରଜ ପର୍ବ ।
ତେବେ ପୋଡପିଠା, ଚକୁଳି, ଇଡଲି, ଛୁଞ୍ଚିପତ୍ର, ଆରାସିି, କାକରା ଭଳିକି ଭଳି ପିଠାପଣା ପ୍ରସ୍ତୁତ ହୋଇ ରହିଛି ସଭିଙ୍କ ଘରେ । ଜମିଛି ତାସ୍, ଲୁଡୁ ଏବଂ ଚେସ୍ ଖେଳର ଆସର। ପ୍ରସ୍ତୁତ ହୋଇ ରହିଛି ରଜ ପାନ । ଘରେ ଘରେ ଜମିଛି ବନ୍ଧୁବାନ୍ଧବଙ୍କ ଭିଡ଼ । ରଜ ଓଡ଼ିଶାର ଏକ ପାରମ୍ପରିକ କୃଷି ଭିତ୍ତିକ ପର୍ବ । ଏହା ଚାଷର ଆରମ୍ଭକୁ ସୂଚାଇଥାଏ ।

ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି ।