କଟକ : କେନ୍ଦ୍ରୀୟ ଟିମର ତିନିଜଣିଆ ପ୍ରତିନିଧିଦଳ ଆଜି ଏସ ସି ବି ମେଡିକାଲ କଲେଜ ହସ୍ପିଟାଲର ଡ଼ାଇରିଆ ୱାର୍ଡ ପରିଦର୍ଶନ କରି ରୋଗୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ଗତ ୧୦ ତାରିଖଠାରୁ ଆଜି ପର୍ଯ୍ୟନ୍ତ ଡ଼ାଇରିଆ ୱାର୍ଡରେ ୧୪୬ ଜଣ ରୋଗୀ ଚିକିତ୍ସିତ ହୋଇ ୧୧୫ ଜଣ ଆରୋଗ୍ୟ ଲାଭ କରିଛନ୍ତି ।
ଏହି ସମୟରେ ମଧ୍ୟରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ୱାର୍ଡରେ ୨୭ ଜଣ ଡ଼ାଇରିଆ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି। ପ୍ରତିନିଧି ଦଳ ରୋଗୀ ମାନଙ୍କ ନିକଟକୁ ଯାଇ ସବିଶେଷ ତଥ୍ୟ ନେବା ସହ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ। ଡ଼ାଇରିଆ ଆକ୍ରାନ୍ତ ରୋଗୀମାନେ ଧୀରେ ଧୀରେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ଓ ସେମାନଙ୍କୁ ଉପଯୁକ୍ତ ଚିକତ୍ସା ସେବା ଯୋଗାଇ ଦିଆଯାଉଥିବା ଉପରେ କେନ୍ଦ୍ରୀୟ ଦଳ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ପ୍ରତିନିଧି ଦଳରେ ଡାକ୍ତର ନିଲମ ସୋମଲକର , ଡାକ୍ତର ପ୍ରମିତ ଘୋଷ, ମାଇକ୍ରୋଵୟୋଲୋଜିଷ୍ଟ ଡାକ୍ତର ସୃଜନା ମହାନ୍ତି ଏବଂ ଖାଦ୍ୟ ନିରାପତ୍ତା ଅଧିକାରୀ ଶ୍ରୀ ଶଶିକାନ୍ତ ଭୂୟାଁ ପ୍ରମୁଖ ସାମିଲ ଥିବାବେଳେ ଏସ ସି ବି ମେଡିକାଲ ଅଧିକ୍ଷକ ଡା. ଗୌତମ କୁମାର ଶତପଥି ସବିଶେଷ ବିବରଣୀ ପ୍ରଦାନ କରିଥିଲେ।