କନ୍ଧମାଳ -କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ୫୯ ନଂ ରାଜପଥର ସିମନବାଡିର ସାରୁମାହା ସାହି ନିକଟରେ ବୁଧବାର ସଂନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିଛି। ବାଇକ ଆଗକୁ ମଇଁଷି ଚାଲି ଆସିବା ଫଳରେ ବାଇକରେ ଯାଉଥିବା ଚାଳକ ଓ ତାଙ୍କ ସ୍ତ୍ରୀ ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ହେଲେ ଉକ୍ତ ସାହିର ଚନ୍ଦ୍ରମଣୀ ନାୟକ ଏବଂ ସୁନେମି ନାୟକ। ସେମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଦାରିଙ୍ଗବାଡି ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିବା ଜଣାପଡିଛ।
ପ୍ରକାଶ ଯେ, ଦୁହେଁ ଏକ ବାଇକରେ ନିଜ କାମ ସାରି ବାଲିଗୁଡା ପଟୁ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ରାଜପଥ ଉପରେ ଗୋରୁ ପଲ ସହ ମଇଁଷି ରହିଥିଲେ। ରାତି ହୋଇଥିବାରୁ ଚନ୍ଦ୍ରମଣୀଙ୍କୁ ମଇଁଷି ଦୃଶ୍ୟମାନ ହୋଇ ନ ଥିଲା। ଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ସୂଚନା ଯୋଗ୍ୟ, ପ୍ରତିଦିନ ରାଜପଥ ଉପରେ ଗୋରୁ ପଲ ଏବଂ ମଇଁଷିଙ୍କ ଭିଡ଼ ରହୁଛି। ରାଜପଥ ଉପରେ ଶୋଇରହୁଛନ୍ତି ଫଳରେ ପ୍ରତିଦିନ ଏକାଧିକ ଦୁର୍ଘଟଣା ଘଟୁଛି। ଏହାର କୌଣସି ସମାଧାନ ହୋଇପାରୁ ନ ଥିବାରୁ ଚିନ୍ତା ବଢିଛି।