ମୋହନ ସରକାରଙ୍କ ରାଜ୍ୟସ୍ତରୀୟ ବର୍ଷପୂର୍ତ୍ତି : କାଲି ପ୍ରଧାନମନ୍ତ୍ରୀ ଭେଟି ଦେବେ ବଡ଼ ଉପହାର

ମୋଦୀ ଗ୍ୟାରେଣ୍ଟିରେ ଓଡ଼ିଶା ରାଜ୍ୟ ରାଜନୀତିରେ ହୋଇଥିଲା ପଟ୍ଟ ପରିବର୍ତ୍ତନ । ଆସନ୍ତାକାଲି ମୋହନ ସରକାରଙ୍କ ରାଜ୍ୟସ୍ତରୀୟ ବର୍ଷପୂର୍ତ୍ତି ଉତ୍ସବ । ଏଥିରେ ଯୋଗ ଦେବାକୁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଭୁବନେଶ୍ୱର ଜନତା ମୈଦାନରୁ ରାଜ୍ୟବାସୀଙ୍କୁ ଭେଟି ଦେବେ ବଡ଼ ଉପହାର । ମୋଦୀଙ୍କ ଆଗମନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ପହଞ୍ଚି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ବର୍ଷପୂର୍ତ୍ତି ଉତ୍ସବରେ ଜନତା ମୈଦାନରୁ ପ୍ରାୟ ୧୯ ହଜାର କୋଟିର ଶତାଧିକ ପ୍ରକଳ୍ପ ରାଜ୍ୟବାସୀଙ୍କୁ ଭେଟିଦେବେ ମୋଦୀ । ଯୋଜନା ଅନୁସାରେ ମୋଦୀ ଦେବେ ଏକାଧିକ ଭେଟି । ଆୟୁଷ୍ମାନ ବୟୋବନ୍ଦନା କାର୍ଡ଼ ବଣ୍ଟନ, ଅନ୍ତୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ, ଭିଜନ୍ ଓଡ଼ିଶା- ୨୦୩୬ର ଉନ୍ମୋଚନ, ବିଭିନ୍ନ ବିଭାଗର ଶତାଧିକ ପ୍ରକଳ୍ପ ଲୋକାର୍ପଣ ଓ ଉଦ୍‌ଘାଟନ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ଅନ୍‌ଲାଇନ୍‌ ହୁଣ୍ଡି ବ୍ୟବସ୍ଥା କରିବା ସହ ଲକ୍ଷପତି ଦିଦିମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଥାବାର୍ତ୍ତା କାର୍ଯ୍ୟକ୍ରମ ରହିଛି ।  ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କାରକେଡ୍‌ ରିହର୍ସାଲ କରିଛି କମିସନରେଟ୍‌ ପୁଲିସ । ଭୁବନେଶ୍ୱର ବିମାନବନ୍ଦରରୁ ଜନତା ମୈଦାନ ଯାଏଁ କାରକେଡ୍‌ ଅଭ୍ୟାସ କରାଯାଇଛି । ଶୁକ୍ରବାର ଅପରାହ୍ନ ୩ଟା ୪୦ରେ ମୋଦୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଜନତା ମୈଦାନ ଯାଏଁ ରୋଡ୍‌ ସୋ’ କରିବେ ପ୍ରଧାନମନ୍ତ୍ରୀ । ଏହା ମଧ୍ୟରେ ୨୮ ଟି ସ୍ଥାନରେ ଓଡ଼ିଆ କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିବ । କ୍ଷମତାରେ ରହିବାର ଗୋଟିଏ ବର୍ଷ ମଧ୍ୟରେ କିଭଳି ଏକାଧିକ ଉପଲବ୍ଧି ହାସଲ କରିଛନ୍ତି ବିଜେପି ସରକାର ଏହାକୁ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବାକୁ ଯୋଜନା କରାଯାଇଛି । ହେଲେ ମୋହନଙ୍କୁ ମୋଦୀଙ୍କ ସାର୍ଟିଫିକେଟ୍ ଯେତିକି ଗୁରୁତ୍ୱପୂର୍ଣ୍ଣ ହେବ ଆଗାମୀ ବର୍ଷ ପାଇଁ ଲୋକଙ୍କ ଭରସା ଅତୁଟ ରଖିବା ରାଜ୍ୟ ୟୁନିଟ୍ ପାଇଁ ହେବ ସେତିକି ଆହ୍ୱାନପୂର୍ଣ୍ଣ ।

Leave A Reply

Your email address will not be published.