ଭୁବନେଶ୍ୱର : ପ୍ରକାଶ ପାଇଛି କ୍ୟୁଏସ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଂ ୨୦୨୬ । ଏଥିରେ କିଟ୍ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶ୍ରେଷ୍ଠ ସ୍ଥାନରେ ରହିଛି । ଏହା ସହିତ ସମଗ୍ର ଭାରତରେ କିଟ୍ ବିଶ୍ୱବିଦ୍ୟାଳୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବେଳେ ଦକ୍ଷିଣ ଏସିଆରେ ୫୫ତମ ସ୍ଥାନ ହାସଲ କରିଛି । ସମଗ୍ର ଭାରତରେ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍ ୯ମ ସ୍ଥାନରେ ରହିଛି ।
କିଟ୍ ବିଶ୍ୱବିଦ୍ୟାଳୟ ପ୍ରଥମ ଥର ପାଇଁ କ୍ୟୁଏସ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଂରେ ଅଂଶଗ୍ରହଣ କରି ଓଡ଼ିଶାର ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ଭାରତରେ ସମ୍ମାନଜନକ ସ୍ଥାନରେ ରହିଛି । ଏହି ସଫଳତା କିଟ୍ର ଉଚ୍ଚଶିକ୍ଷାରେ ଉତ୍କର୍ଷତା ପ୍ରତି ଉତ୍ସର୍ଗକୁ ପ୍ରତିପାଦିତ କରୁଛି । କ୍ୟୁଏସ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଂ ୨୦୨୬ରେ ବିଶ୍ୱର ୧୫ ଶହରୁ ଅଧିକ ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ । ଏହି ରାଙ୍କିଂ ଶୈକ୍ଷିକ ପ୍ରତିଷ୍ଠା, ନିଯୁକ୍ତିଦାତାଙ୍କ ପ୍ରତିଷ୍ଠା, ଅଧ୍ୟାପକ-ଛାତ୍ର ଅନୁପାତ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଅଧ୍ୟାପକଙ୍କ ପ୍ରଶଂସା, ଅନ୍ତର୍ଜାତୀୟ ଫାକଲଟି, ଅନ୍ତର୍ଜାତୀୟ ଛାତ୍ର, ଅନ୍ତର୍ଜାତୀୟ ଛାତ୍ର ବିବିଧତା, ଅନ୍ତର୍ଜାତୀୟ ଗବେଷଣା ନେଟୱାର୍କ, ନିଯୁକ୍ତି ଫଳାଫଳ ଏବଂ ସ୍ଥାୟିତ୍ୱ ଆଦି ମାନଦଣ୍ଡକୁ ଭିତ୍ତିକରି ପ୍ରଦାନ କରାଯାଇଛି ।

ଏହି ସଫଳତାରେ ସନ୍ତୋଷ ବ୍ୟକ୍ତ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କହିଛନ୍ତି, କ୍ୟୁଏସ୍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଂ କିଟ୍ ର ଶୈକ୍ଷିକ ଉତ୍କର୍ଷତା କ୍ଷେତ୍ରରେ ନିରନ୍ତର ପ୍ରୟାସର ପ୍ରତିଫଳନ । କିଟ୍ ବିଶ୍ୱବିଦ୍ୟାଳୟ ମାତ୍ର ୨୧ ବର୍ଷର ବିଶ୍ୱବିଦ୍ୟାଳୟ ହୋଇଥିବା ବେଳେ ଏହା ଅନେକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ସହ ସମକକ୍ଷ ହୋଇପାରିଛି । ଏହି ସଫଳତା ପାଇଁ ଡ. ସାମନ୍ତ କିଟ୍ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କିଟ୍ ଓ କିସ୍ ର ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ସଫଳତା ପାଇଁ ପ୍ରତିଷ୍ଠାତା ଡ. ସାମନ୍ତଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଇଛନ୍ତି ।