ଫୁଲବାଣୀ: ନିୟମିତ ଯୋଗାଭ୍ୟାସ ଦ୍ୱାରା ମାନବଜାତି ସୁସ୍ଥ ରହିବ । ମାନସିକ, ଶାରୀରିକ ସ୍ତରରେ ଉର୍ନ୍ନତି ଘଟିବା ସହ ମନରେ ଶାନ୍ତି ଫେରିବ। ଆଉ ବିପଦ ପୂର୍ଣ୍ଣ ରୋଗବ୍ୟାଧିରୁ ଦୁରେଇ ରହିବ । ଶରୀରର ରୋଗପ୍ରତିଷେଧକ ଶକ୍ତି ବୃଦ୍ଧି ପାଇବ । ଏହାଦ୍ୱାରା ସାମାଜିକ ସ୍ତରରେ ଉର୍ନ୍ନତି ଆସିବ । ଏଭଳି ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ଫୁଲବାଣୀରେ ଆନ୍ତର୍ଜାତୀକ ଯୋଗ ଦିବସ ଉପଲକ୍ଷେ ଯୋଗ ସଙ୍ଗମ ଏବଂ ହରିତ୍ ଯୋଗ କାର୍ଯ୍ୟକ୍ରମ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ଏନ୍ ସି ସି, ଯୁବ ରେଡ୍ କ୍ରସ ଏବଂ ଜାତୀୟ ସେବା ଯୋଜନା ର ସହଯୋଗରେ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁବାସ ଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଆର୍ଟ ଅଫ୍ ଲିଭିଂର ଯୋଗ ଶିକ୍ଷକ ଶ୍ରୀ ଅବନୀ କୁମାର କହଁର ଆୟୁଷ ମନ୍ତ୍ରାଳୟଙ୍କ ଯୋଗ ବିଧି ଅନୁଯାୟୀ ଯୋଗ ଅଧିବେଶନ ପରିଚାଳନ କରିଥିଲେ। କାର୍ଯ୍ୟକ୍ରମରେ ଯୋଗ ସମ୍ପର୍କୀତ ମହତ୍ତ୍ୱ ଓ ଲାଭ ବିଷୟରେ ବ୍ୟାଖ୍ୟାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ବହୁଉତ୍ସାହ ସହ ଯୋଗ ଦେଇଥିଲେ। ଶେଷରେ ସମସ୍ତେ ଯୋଗକୁ ନିଜ ଦୈନନ୍ଦିନ ଜୀବନରେ ଯୋଡ଼ିବାକୁ ଶପଥ ଗ୍ରହଣ କରିଥିଲେ। ଆନ୍ତର୍ଜାତୀକ ଯୋଗ ଦିବସ ଉପଲକ୍ଷେ ଗତ ୨୦ ଜୁନ ୨୦୨୫ରେ ଅନଲାଇନ୍ ଜରିଆରେ ଏକ ପୋଷ୍ଟର ଡିଜାଇନ୍ ପ୍ରତିଯୋଗିତା, ପ୍ରଚାର ଅଭିଯାନର ଅଂଶ ରୂପେ ଆୟୋଜିତ ହୋଇଥିଲା। ଚଳିତ ବର୍ଷ ଯୋଗ ଦିବସ ଉପଲକ୍ଷେ ମହାବିଦ୍ୟାଳୟ ପରିସରରେ ହରିତ୍ ଯୋଗ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ପ୍ରଧାନ ତଥା ଉପସ୍ଥିତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ମାନଙ୍କ ସହ ମିଶି ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ। ଏନ୍ ସି ସି ଅଧିକାରୀ ମେଜର ସଞ୍ଜୀବ ବଳିଆରସିଂହ ଜାତୀୟ ସେବା ଯୋଜନାର ପ୍ରକଳ୍ପ ଅଧିକାରୀ ଶ୍ରୀ ବିପିନ୍ କୁମାର ବେହେରା, ଯୁବ ରେଡ୍ କ୍ରସ ସଂଯୋଜିକା ଡ. ଅଭିପ୍ସା ବଳ ଏବଂ ଉଦ୍ଭିଦ ବିଜ୍ଞାନର ବରିଷ୍ଠ ପ୍ରଫେସର୍ ଶ୍ରୀ ସୁକାନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ସୂଚାରୁ ରୁପେ ସଞ୍ଚାଳନ କରିଥିଲେ।