ହରଭଙ୍ଗା: ପୋଖରୀ ଭିତରୁ ଆସୁଛି ବିକଟାଳ ଶବ୍ଦ । ଘୁ ଘୁ ଗର୍ଜନରେ ପ୍ରକମ୍ପିତ ହେଉଛି ସାରା ଅଞ୍ଚଳ । ଭୟଙ୍କର ଗର୍ଜନରେ ଥରି ଉଠୁଛି ଛାତି । ଯାହାକୁ ନେଇ ଗାଁ ଲୋକେ ଭୟଭୀତ । ଘଣ୍ଟାଏ କି ଦୁଇ ଘଣ୍ଟାଏ ନୁହେଁ, ରାତି ୧୨ଟାରୁ ଚାଲିଛି ଏଭଳି ଭୟଙ୍କର ଗର୍ଜନ । ପୋଖରୀରେ ପାଣି ବି କମ୍ ରହିଛି କେବଳ ଅନାବନା ଗଛ ରହିଛି । ହେଲେ ପୋଖରୀ ଭିତରୁ ଶୁଭୁଛି ଏହି ବିକଟାଳ ସ୍ୱର । କିଏ କହୁଛି ଭୂତ କିଏ କହୁଛି ପ୍ରେତ, ଆଉ କିଏ କହୁଛି ବଡ ଅଘଟଣ ଆସିବା ପୂର୍ବର ଏ ହେଉଛି ସଂକେତ । ଏ ଅଜଣା ଶବ୍ଦ ଶୁଣି ଏବେ ସ୍ଥାନୀୟ ଲୋକେ ପୁରା ଭୟଭିତ । ଏପଟେ ରାତିରେ ତାଟି କବାଟ ପକାଇ ଶୋଇପଡିଥିଲେ । ହେଲେ ଏବେ ଦିନରେ ପୋଖରୀ ହୁଡ଼ାରେ ଠିଆ ହୋଇ ଅନୁସନ୍ଧାନ କରୁଛନ୍ତି । ତେବେ ରାତି ଅଧରୁ ବର୍ତମାନ ପର୍ଯ୍ୟନ୍ତ ଶବ୍ଦ ହେଉଥିବାରୁ ଲୋକଙ୍କ ମନରେ ଏକ ଆଶଙ୍କା ସୃଷ୍ଟି ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମହଲିକପଡା ପଞ୍ଚାୟତ ସଂକୁରି ଗ୍ରାମର ମହୋନ୍ ସାହି ନିକଟରେ ଥିବା ଏକ ଛୋଟ ପୋଖରୀରେ । ଶବ୍ଦକୁ ନେଇ ଲୋକଙ୍କ ମଧ୍ୟରେ ନାନା ପ୍ରଶ୍ନ ସୃଷ୍ଟି ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରୁ ହିଁ ପୋଖରୀ ମଧ୍ୟରୁ ଜୋରରେ ପବନ ହେଲା ଭଳି ଶବ୍ଦ ବାହାରୁଥିବାବେଳେ କିଭଳି, କାହିଁକି ଓ କଣ ପାଇଁ ଏଭଳି ଶବ୍ଦ ହେଉଛି ତାକୁ ନେଇ ନାନା କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି । ରହସ୍ୟମୟ ଏ ଶବ୍ଦ । କିଏ, କାହିଁକି, କେଉଁଠୁ ଏଭଳି ଶବ୍ଦ କରୁଛି ? ପୋଖରୀ ଭିତରୁ ଏମିତି ବିକଟାଳ ଶବ୍ଦ, କଣ ସତରେ ଏଠି ଭୂତ ରହୁଛି କି? ଏହି ଶବ୍ଦ ପଛର କାରଣ କଣ ହୋଇପାରେ? ଯାହାକୁ ନେଇ ଆରମ୍ଭ ହୋଇଛି ତନାଘନା ।