ଭୁବନେଶ୍ୱର : କ୍ଷମା ମାଗିଲେ ଯାତ୍ରା ହାସ୍ୟ ଅଭିନେତା ଦୟାନିଧି ଉପାଧ୍ୟାୟ । ଦୟାଙ୍କ ଉପରୁ ନିଲମ୍ବନ ଉଠିଲା। ଯାତ୍ରା କଳାକାର ଦୟା ଗତ ଖଣ୍ଡଗିରି ଯାତ୍ରା ମହାସମରରେ ଯାତ୍ରା ଗୁରୁମାନଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ଝଡ଼ ସୃଷ୍ଟି ହୋଇଥିଲା । ଏହି ବିବାଦ ଧୀରେ ଧୀରେ ବଢ଼ିବାରେ ଲାଗିଥିଲା । ଯାତ୍ରା ଅଭିନେତା ଦୟା ମଧ୍ୟରାତ୍ରିରେ ଅପେରା ମାଷ୍ଟର ସଂଘ ସଭାପତି ବିଜୟ ଦାସଙ୍କ ଭଦ୍ରକ ସ୍ଥିତ ବାସଭବନରେ ପହଞ୍ଚି ତାଙ୍କୁ ଭୁଲ ମାଗିଛନ୍ତି ।
କେବଳ ସେତିକି ନୁହେଁ ଯାତ୍ରାରେ ଯେତେ ଗୁରୁ ବା ଲେଖକ ଅଛନ୍ତି, ତାଙ୍କର ଯେତେବେଳେ କମିଟି ବସିବ ସେଠାକୁ ଯାଇ ତାଙ୍କ ପକ୍ଷ ରଖି ଭୁଲ ମାଗିବେ ବୋଲି କହିଛନ୍ତି ଦୟା । ଏଥିପାଇଁ ଦୟାଙ୍କ ଉପରୁ ବ୍ୟାନ ଉଠିଲା ବୋଲି ଅପେରା ମାଷ୍ଟର ସଂଘ ସଭାପତି ବିଜୟ ଦାସ କହିଛନ୍ତି । ଏହାସହିତ ଯାତ୍ରା କଳାକାର, ନିର୍ଦ୍ଦେଶକ ଓ ଲେଖକଙ୍କ ମଧ୍ୟରେ ସବୁବେଳେ ଭଲ ସମ୍ପର୍କ ଓ ସମ୍ମାନ ରହିବାର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।
