ଜଳେଶ୍ବର : ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖାର ଜଳସ୍ତର । ବନ୍ଯା ପାଣି ଘେରରେ ୩୦ରୁ ଅଧିକ ଗାଁ । ଏବେ ବାଲିଆପାଳ, ଜଳେଶ୍ବର ଓ ଭୋଗରାଇ ବ୍ଲକର ତଳିଆ ଅଞ୍ଚଳରେ ପାଣି ପଶିଛି। ନଦୀର ଉପର ମୁଣ୍ଡ ଝାଡ଼ଖଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ଗାଲୁଡିହି ବ୍ଯାରେଜ ୨ ଲକ୍ଷ ୪୨ ହଜାର କ୍ୟୁସେକ ପାଣି ଛାଡ଼ିଥିବାରୁ ବଢ଼ିଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର ।
ବିଭିନ୍ନ ସ୍ଥାନରେ ନଦୀ ବନ୍ଧ ଦୁର୍ବଳ ଥିବାରୁ ଭୟଭୀତ ଅଛନ୍ତି ନଦୀ କୂଳିଆ ଗାଁ ଲୋକେ । ଅନେକ ସ୍ଥାନରେ ରାସ୍ତା ଉପରେ ୩ ଫୁଟ ଉଚ୍ଚର ବନ୍ଯା ପାଣି ପ୍ରବାହିତ ହେଉଥିବାରୁ ଲୋକେ ଦେଶୀ ଡଙ୍ଗାରେ ଯାତାୟାତ କରୁଛନ୍ତି । ବାଲିଆପାଳ – ଜାମକୁଣ୍ତା ମୁଖ୍ଯ ରାସ୍ତାର ପଞ୍ଚୁରୁଖୀ ଠାରେ ଅତଡା ଖସି ଥିବାରୁ ପ୍ରଶାସନ ପକ୍ଷରୁ ବାଲି ବସ୍ତା ପକାଇ ମରାମତି କରାଯାଉଛି ।

ବାଲିଆପାଳ ବ୍ଲକର ଅସ୍ତି ,ବିଷ୍ଣୁପୁର, ଜାମକୁଣ୍ଡା,ମଧୁପୁରା, ବାଲିଆପାଳ ଆଦି ପଞ୍ଚାୟତର ୩୦ରୁ ଅଧିକ ଗାଁ ପାଣି ଘେରରେ ରହିଛି । ୫ ଟି ମୁଖ୍ୟ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଗାଁ ଗୁଡ଼ିକ ସହ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଜଳେଶ୍ଵର, ଭୋଗରାଇ, ବସ୍ତା ଓ ବାଲିଆପାଳ ବ୍ଲକରେ ବନ୍ୟା ଆଶଙ୍କା ରହିଛି । ବନ୍ଯା ସ୍ଥିତିକୁ ଦେଖି ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ବାଲେଶ୍ବର ଏଡିଏମ ସୁଧାକର ନାୟକ ବିଭିନ୍ନ ତଳିଆ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ଯାନ କରୁଛନ୍ତି ।