ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଗୋଚ୍ଛାପଡ଼ାରେ ଅସହାୟର ସାହାରା ସାଜିଛି ଡୁମ୍ବାଳ ପରିଷଦ କନ୍ଧମାଳ। ଜଣେ ଅସହାୟ ଯୁବକଙ୍କ ବିବାହ କରି ସାଧାରଣ ଲୋକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଡୁମ୍ବାଳ ପରିଷଦ କନ୍ଧମାଳର ଗୋଚ୍ଛାପଡ଼ା କେନ୍ଦ୍ର ଡୁମ୍ବାଳ କୁଳ ସମାଜବାସୀ। ସୂଚନା ଅନୁସାରେ, ଡୁମ୍ବାଳ କୁଳର ଜଣେ ଯୁବକ ସଞ୍ଜୟ ମହାକୁଡ଼(୨୩)। ଦୀର୍ଘ ବର୍ଷ ହେବ ପିତା ବଶିଷ୍ଟ ମହାକୁଡ଼ଙ୍କ ବିୟୋଗ ପରେ ମାଆ ମଧ୍ୟ ଗତ ୪ ବର୍ଷରୁ ଊର୍ଦ୍ଧ୍ବ ହେବ ପକ୍ଷାଘାତ ରୋଗରେ ଶଯ୍ୟାଶାୟୀ। ପରିବାରରେ ୨ ଭାଇ ହେଲେ ମଧ୍ୟ ବଡ଼ ଭାଇ ବିବାହ କରି ଅନ୍ୟତ୍ର ରହୁଛନ୍ତି। ସଞ୍ଜୟ ନିଜେ କଷ୍ଟ କରି ଯାହା ରୋଜଗାର କରନ୍ତି ଦୁଇ ଓଳି ଦୁଇ ମୁଠା ପେଟକୁ ଭାତ ମିଳିବା କଷ୍ଟକର। ଯାହା ରୋଜଗାର ହୁଏ ତାହା ମାଆଙ୍କ ଚିକିତ୍ସାରେ ସରିଯାଏ। ତେବେ ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଅସହାୟ ସଞ୍ଜୟଙ୍କୁ ସହଯୋଗ କରିବାକୁ ଅଣ୍ଟା ଭିଡ଼ିଥିଲା ଡୁମ୍ବାଳ କୁଳ ସମାଜ ଗୋଚ୍ଛାପଡ଼ା କେନ୍ଦ୍ର। ଡୁମ୍ବାଳ କୁଳ ସମାଜର ଗୋଚ୍ଛାପଡ଼ା କେନ୍ଦ୍ର ସଭାପତି ବିଶ୍ବାମିତ୍ର ମହାକୁଡ଼, ସମ୍ପାଦକ ଜଳନ୍ଧର ମହାକୁଡ଼, ରାଜ୍ୟ ସଂଯୋଜକ କୃଷ୍ଣ ଚନ୍ଦ୍ର ମହାକୁଡ଼ ଏବଂ କିଛି ବରିଷ୍ଠ ସମାଜର କର୍ମକର୍ତ୍ତାଙ୍କୁ ନେଇଁ ବୈଠକ କରି ଆଲୋଚନା କରିବାପରେ ସଞ୍ଜୟଙ୍କ ପାଇଁ ଏକ ଝିଅ କାଶିନୀ ପଦର ପଞ୍ଚାୟତ ଜିରିସୀ ଗାଁରେ ଦେଖିଥିଲେ। ପରେ ଉଭୟ ପରିବାରଙ୍କ ସହ ଆଲୋଚନା ପରେ ଜିରିସୀ ଗାଁର ଲିଙ୍ଗରାଜ ଅମାତ ନିଜ ଝିଅକୁ ସଞ୍ଜୟଙ୍କୁ ବିବାହ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଆଲୋଚନା ମୁତାବକ ସୋମବାର ଗୋଚ୍ଛାପଡ଼ାରେ ପୂଜା ପାଉଥିବା ଡୁମ୍ବାଳ କୁଳର ଇଷ୍ଟଦେବୀ ମା’ ମାହେଶ୍ୱରୀଙ୍କ ମନ୍ଦିର ପ୍ରାଙ୍ଗଣରେ ଡୁମ୍ବାଳ କୁଳ ଗୋଚ୍ଛାପଡ଼ା କେନ୍ଦ୍ରର ୧୬୫ ଘରର ଶତାଧିକ କୁଳ ସମାଜବାସୀଙ୍କ ଉପସ୍ଥିତରେ ଯଥାବିଧି ପୁରୋହିତ ନାମେଶ୍ୱର ମିଶ୍ର ଓ ମନ୍ଦିର ପୂଜକ କର୍ଣ୍ଣ ମହାକୁଡ଼ଙ୍କ ଉପସ୍ଥିତିରେ ସଞ୍ଜୟ ମହାକୁଡ଼ଙ୍କ ସହ ରିଙ୍କି ଅମାତଙ୍କ ବିବାହ ସମ୍ପନ୍ନ ହୋଇଛି।
ବିବାହ କାର୍ଯ୍ୟକ୍ରମରେ ଡୁମ୍ବାଳ କୁଳ ସମାଜବାସୀଙ୍କ ସହ ବରିଷ୍ଠ ବୁଦ୍ଧିଜୀବୀ ଏବଂ ଅଞ୍ଚଳର କିଛି ଜନସାଧାରଣ ଉପସ୍ଥିତ ରହି ବର କନ୍ୟାଙ୍କୁ ଆଶୀର୍ବାଦ କରିଥିଲେ। ବିଧି ଅନୁସାରେ ବାଜା ବାଦ୍ୟ ମହୁରୀ ବାଜି ଧୁମ ଧାମରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହି ବିବାହ କାର୍ଯ୍ୟକ୍ରମରେ ଯଶୋବନ୍ତ ମହାକୁଡ଼, ରଘୁନାଥ ମହାକୁଡ଼, ସୁର ବନ୍ତ ମହାକୁଡ଼, ମାଧବ ପ୍ରଧାନ, ସ୍ବପ୍ନେଶ୍ବର ମହାକୁଡ଼, ସୌଦାମିନୀ ଦନ୍ତା, ଶାନ୍ତି ମହାକୁଡ଼ଙ୍କ ସହ ସମାଜର ବହୁ ବରିଷ୍ଠ କର୍ମକର୍ତ୍ତାଙ୍କ ସହଯୋଗରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ପୂର୍ବରୁ ଫିରିଙ୍ଗିଆ ବ୍ଲକର ଗୋଟିଏ ଡୁମ୍ବାଳ କୁଳର କେନ୍ଦ୍ର ଥିବାବେଳେ ବର୍ତ୍ତମାନ ଆଲୋଚନା ପରେ ଦୁଇଟି କେନ୍ଦ୍ର କରାଯାଇଛି ଓ ଗୋଚ୍ଛାପଡ଼ା କେନ୍ଦ୍ର ଗଠନ ପରେ ସହଯୋଗର ହାତ ବଢ଼ାଇ ଅସହାୟ ସଞ୍ଜୟଙ୍କ ବିବାହ କରାଯାଇଥିବା କହିଛନ୍ତି କେନ୍ଦ୍ର ସଭାପତି ବିଶ୍ବାମିତ୍ର ମହାକୁଡ଼। ତେବେ ଆଗାମୀ ଦିନରେ ଶିକ୍ଷା ସଂସ୍କାର ସହ ସମାଜର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେବାକୁ କହିଛନ୍ତି। ଅନ୍ୟପଟେ ଏହି ସହଯୋଗ ପରେ ଡୁମ୍ବାଳ କୁଳକୁ ପ୍ରଶଂସା କରାଯାଇଥିବାବେଳେ ଅନ୍ୟମାନଙ୍କ ପାଇଁ ଏହି କାର୍ଯ୍ୟ ଉଦାହରଣ ହେବ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ କହିଛନ୍ତି।
