କନ୍ଧମାଳ : କନ୍ଧମାଳ ଜିଲ୍ଲା ଆମ୍ବ ଓ ପଣସ ପାଇଁ ବେଶ ପରିଚିତ। ପ୍ରକୃତିର ବରଦାନ ସଦୃଶ କନ୍ଧମାଳ ଜିଲ୍ଲାର ଜଙ୍ଗଲ ରାସ୍ତା କଡରେ ଶହଶହ ପଣସ ଗଛ। ଗଛରେ ଶହଶହ ପଣସ ଫଳି ପାଚି ନଷ୍ଟ ହୋଇ ତଳେ ପଡୁଥିବା ଦୃଶ୍ୟ ଦେଖିବାକୁ ମିଳୁଥିଲା।ହେଲେ ଏବେ ଆଉ ସେଇଭଳି ଦୃଶ୍ୟ ଦେଖିବାକୁ ମିଳୁନି। କାରଣ ପଣସରୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସୂତ କରି ବିକ୍ରି କରିବାର କଳା ଏବେ କନ୍ଧମାଳ ଜିଲ୍ଲାର ମହିଳା ମାନେ ଶିକ୍ଷା ଗ୍ରହଣ କରି ତାର ଉପଯୋଗ କରି ନିଜନିଜ ଆର୍ଥିକ ଅଭିବୃଦ୍ଧି କରିବାରେ ସକ୍ଷମ ହୋଇଛନ୍ତି।
ଦି ଗୁଡ଼ ସମରିଟାନ ନାମକ ଏକ ସଂସ୍ଥା କନ୍ଧମାଳ ଜିଲ୍ଲାର ମହିଳାମାନେ କିଭଳି ସ୍ୱାବଲମ୍ବୀ ହେବେ ତା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇ ସ୍ଥାନୀୟ ଅଞ୍ଚଳରେ ଆଦାୟ ହେଉଥିବା ଖାଦ୍ୟ ସାମଗ୍ରୀରୁ କିଭଳି ଲାଭବାନ ହୋଇପାରିବେ ତା ଉପରର ପ୍ରଶିକ୍ଷଣ ଦେଇ ସମସ୍ତ ସହାୟତା ଦେବା ସହ ତାର ବିକ୍ରି ସୁବିଧା ମଧ୍ୟ କରେଇ ମହିଳାଙ୍କୁ ସ୍ୱବାଲମ୍ବୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ପଣସରୁ ଚିପ୍ସ ପ୍ରସ୍ତୁତ କରିବା ହେଉ କି ପଣସ ମଞ୍ଜିରୁ ଅଟା ପ୍ରସ୍ତୁତ ହେଉ କି ସଲପ ରସରୁ ଗୁଡ଼ ପ୍ରସ୍ତୁତ ହେଉ କି ଜୈବିକ ପଦ୍ଧତିରେ ହଳଦୀ ଚାଷ କରି ହଳଦୀ ଗୁଣ୍ଡ ପ୍ରସ୍ତୁତ କରି ବିକ୍ରି କରିବା ସମସ୍ତ ଜ୍ଞାନ କୌଶଳ ପ୍ରଦାନ କରି ମହିଳାଙ୍କୁ ଆର୍ଥିକ କ୍ଷେତ୍ରରେ ଆଗକୁ ନେବାରେ ଏକ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇ ଛି ଏହି ସଂଗଠନ। ଆଜି ସ୍ଥାନୀୟ ସହରର ବୁଲୁସୁଗା ଠାରେ ଦି ଗୁଡ଼ ସମରିଟାନର ଖାଦ୍ୟ ପ୍ରସ୍ତୁତି କେନ୍ଦ୍ରରେ ପଣସ ଚିପ୍ସ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।
ଉକ୍ତ ପ୍ରଶିକ୍ଷଣ ଶିବିରରେ କ ନୂଆଗାଁ ବ୍ଲକର ଜନବିକାଶ ସ୍ବେଛାସେବୀ ସଂଗଠନର ସଂଯୋଜକ ଅରୁଣ କୁମାର ନାୟକଙ୍କ ତତ୍ୱାବଧାନରେ ଗୁଞ୍ଜି ଗାଁର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ୧୧ଜଣ ମହିଳା ଯୋଗ ଦେଇ ପଣସ ଚିପ୍ସ କିଭଳି ପ୍ରସ୍ତୁତ କରାଯାଉଛି ତା ଉପରେ ପ୍ରଶିକ୍ଷଣ ନେଇଥିଲେ।
ସଂସ୍ଥାର ପ୍ରୋଗ୍ରାମ କୋଡିନେଟର ଅମୂଲ୍ୟ କୁମାର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ଶିବରାମ ଦିଗାଲ, ସୁଗମ ନାୟକ ଏବଂ ଦୀପକ ନାୟକ ଉପସ୍ଥିତ ମହିଳାମାନଙ୍କୁ ପଣସ ଚିପ୍ସ ପ୍ରସ୍ତୁତ ପ୍ରଣାଳୀ ଉପରେ ପ୍ରଶିକ୍ଷଣ ଦେଇଥିଲେ। ପ୍ରଥମେ କିଭଳି ପଣସ କୁ କଟାଯିବ ତାପରେ ତାର କୋଳକୁ ଛଡେଇ ମେସିନ ରେ ପକେଇ ତାକୁ କାଟି ଚିପ୍ସର ଆକାର ଦିଆଯିବ। ତାପରେ ତେଲ କଡେଇରେ ପକେଇ ଛଣାଯିବ ତାପରେ ଚିପ୍ସରୁ ତେଲ ଛାଡିବା ପ୍ରକ୍ରିୟା କରି କିଛି ସମୟ ସୁଖେଇବା ପରେ ସେଥିରେ ଲୁଣ ପାଣି ମସଲା ଭୃସଙ୍ଗ ପତ୍ର ଛାଣି ପକେଇ ଥଣ୍ଡା କରି ପେକିଙ୍ଗ କରାଯାଇ ବିକ୍ରି କରାଯିବ।
ପଣସ ଚିପ୍ସ କିଲୋ ବର୍ତ୍ତମାନ ବଜାରରର ୨୫୦ରୁ ୩୦୦ଟଙ୍କାରେ ବିକ୍ରି କରାଯାଉଥିବା ବେଳେ ଦି ଗୁଡ଼ ସମରିଟାନ ସଂସ୍ଥା ପକ୍ଷରୁ ବାହାର ରାଜ୍ୟରେ ଏହାର ବିକ୍ରି ବ୍ୟବସ୍ଥା କରାଯାଉଥିବା ସୂଚନା ଦେଇଛନ୍ତି ପ୍ରୋଗ୍ରାମ କୋଡିନେଟର। ସ୍ଥାନୀୟ ବଜାର ଅପେକ୍ଷା ବାହାର ରାଜ୍ୟ ତଥା ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଭଳି ରାଜ୍ୟରେ ପଣସ ଚିପ୍ସର ଭଲ ଚାହିଦା ରହିଛି। ମହିଳାମାନେ ପଣସ ଚିପ୍ସ ପ୍ରସ୍ତୁତ କରି ବାହାର ରାଜ୍ୟକୁ ବି ପଠେଇ ପାରିବେ ସେଥି ନିମନ୍ତେ ସଂସ୍ଥା ବ୍ୟବସ୍ଥା ବି କରିଦେବ ବୋଲି ସୂଚନା ମିଳିଛି। ଏହିଭଳି ବହୁ ମହିଳାଙ୍କୁ ଏହି ସଂସ୍ଥା ପ୍ରଶିକ୍ଷଣ ଦେଇ ସ୍ୱାବଲ୍ବମ୍ବୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।