ପୁରୀ : ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ପୁଣିଥରେ ଆରମ୍ଭ ହେବ । ଭିତର ରତ୍ନଭଣ୍ଡାର କାର୍ଯ୍ୟ ଶେଷ ହୋଇଛି । ଏବେ ବାହାର ରତ୍ନଭଣ୍ଡାର କାର୍ଯ୍ୟ କିଛି ପରିମାଣରେ ବାକି ରହିଛି । ତେଣୁ ଆସନ୍ତା ୮ ଦିନ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଶୃଙ୍ଖଳିତ, ସୁନ୍ଦର, ବ୍ୟବସ୍ଥିତ ଭାବେ କିଭଳି ମରାମତି କାର୍ଯ୍ୟ କରାଯିବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଏଏସ୍ଆଇ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଛି ।
ବାହାର ରତ୍ନଭଣ୍ଡାରର ପ୍ରାୟ ୯୦ଟି ପଥର ବଦଳାଯିବାର ସମ୍ଭାବନା ରହିଛି। ତେଣୁ ଯେତେଶୀଘ୍ର ସମ୍ଭବ ମରାମତି କାର୍ଯ୍ୟ କରିବାକୁ ଏଏସ୍ଆଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି। ହାତରେ ସ୍ୱଳ୍ପ ଅବଧି ରହିଥିବାରୁ ବିଶେଷଜ୍ଞମାନଙ୍କୁ ନେଇ ପ୍ରତିଦିନ ଦୁଇଟି ସିଫ୍ଟରେ ମରାମତି କାମ ହେବ। ରଥଯାତ୍ରା ଭିତରେ କାମ ଶେଷ କରି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ ବୋଲି ଏଏସ୍ଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସେହିପରି ଜୁନ୍ 29 ତାରିଖ ଦିନ ଶ୍ରୀମନ୍ଦିରର ବାର୍ଷିକ ବୈଷୟିକ ନିରୀକ୍ଷଣ ମଧ୍ୟ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ବୈଷୟିକ କମିଟି ଅଧ୍ୟକ୍ଷ ପ୍ରଫେସର ଏସ୍. କେ. ଭଟ୍ଟାଚାର୍ଯଙ୍କ ନେତୃତ୍ଵରେ ଶ୍ରୀମନ୍ଦିର ପ୍ରଶାସନ, ASI ଏବଂ ପୂର୍ତ୍ତ ବିଭାଗର ମିଳିତ ଟମ୍ ଏହି ନିରୀକ୍ଷଣ କରିବେ ।