ମନ୍ତ୍ରୀ ଗିରଫ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ: ସମୀର ମହାନ୍ତି

ଭୁବନେଶ୍ୱର/କଟକ,(ଓଡିଶା ସମାଚାର ନ୍ୟୁଜ): ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ମାହାଙ୍ଗା ଡବଲ ମର୍ଡର ଘଟଣାରେ ସଂପୃକ୍ତି ଥିବାରୁ ତାଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ବିଜେପି ପକ୍ଷରୁ ଶୁକ୍ରବାର ଡିଜିପି ଅଫିସ ଘେରାଉ କରାଯାଇଥିଲା । ପରେ ଡିଜିପିଙ୍କ ସହ ଏକ ପ୍ରତିନିଧି ଦଳ ଆଲୋଚନା କରିଥିଲେ । ହେଲେ ଡିଜିପିଙ୍କ ସହ ଆଲୋଚନାରେ ବିଜେପି ନେତୃବୃନ୍ଦ ସନ୍ତୁଷ୍ଟ ନଥିବାରୁ ମନ୍ତ୍ରୀ ଶ୍ରୀ ଜେନାଙ୍କ ଗିରଫଦାରୀ ଯାଏ ଆନ୍ଦୋଳନ ଜାରି ରହିବ ବୋଲି ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ।
ସଭାପତି ଶ୍ରୀ ମହାନ୍ତି କହିଛନ୍ତି, ବିଜେପି ନେତାଙ୍କୁ ଯେଉଁଭଳି ହତ୍ୟା କରାଗଲା, ତାହା ଅତ୍ୟନ୍ତ ଘୃଣ୍ୟ ଏବଂ ନିନ୍ଦନୀୟ । ରାଜ୍ୟରେ ପୋଲିସ ଲୋକଙ୍କୁ ସୁରକ୍ଷା ଦେବା କଥା କିନ୍ତୁ ଶାସକ ଦଳର ହାତବାରେସୀ ସାଜି ପୋଲିସ କାର୍ଯ୍ୟ କରୁଛି । ପୁରୀରେ ହାଜତ ମୃତ୍ୟୁ, ନୟାଗଡରେ ପରୀ ହତ୍ୟାକାଣ୍ଡ ଏବଂ ମାହାଙ୍ଗାରେ ବିଜେପି ନେତାଙ୍କୁ ବିଭତ୍ସ ଭାବେ ହତ୍ୟା କରିବା ଘଟଣା ଗୁଡିକରେ କିଛି ଚାଟୁକାରିତା ପୋଲିସ ଅଫିସରମାମାନଙ୍କ ପାଇଁ ଆଜି ପୂରା ପୋଲିସ ପ୍ରଶାସନ ବଦନାମ ହୋଇଛି । ମାହାଙ୍ଗା ହତ୍ୟାକାଣ୍ଡରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫଦାରୀ ନହେବା ଯାଏଁ ବିଜେପି ଆନ୍ଦୋଳନ ଜାରି ରଖିବ ବୋଲି ଶ୍ରୀମହାନ୍ତି ଚେତାବାନୀ ଦେଇଛନ୍ତି ।

gpkandhamal
Umasankar Adv


ମୋଦିଜୀଙ୍କ ଲୋକପ୍ରିୟତା ଦେଖି ଶାସକ ବିଜେଡି ଭୟଭୀତ ହୋଇପଡିଛି । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ବିଜେପି କାର୍ଯ୍ୟକର୍ତାମାନେ କେବେ ହିଂସା କରନ୍ତି ନାହିଁ । କିନ୍ତୁ ଯଦି ରାଜନୈତିକ ହିଂସା ପରାୟଣ ହୋଇ ସେମାନଙ୍କୁ ହତ୍ୟା କରାଯିବ କାର୍ଯ୍ୟକର୍ତାମାନେ ଏହାକୁ ବରଦାସ୍ତ କରିବେ ନାହିଁ । ଯେଉଁ ପୋଲିସ ଅଧିକାରୀମାନେ ଶାସକ ଦଳ ଇଙ୍ଗିତରେ କାମ କରୁଛନ୍ତିି ସେମାନେ ସର୍ତକ ହୋଇଯାନ୍ତୁ, କାରଣ ଆଗାମୀ ନିର୍ବାଚନରେ ରାଜ୍ୟରେ ବିଜେପି ସରକାର ଗଠନ କରିବ ଏବଂ ଦୁର୍ନୀତି ଓ ଭ୍ରଷ୍ଟାଚାର ଅଫିସରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ବୋଲି ରାଜ୍ୟ ବିଜେପି ସହପ୍ରଭାରୀ ବିଜୟ ପାଲ ସିଂ ତୋମର ଚେତାବନୀ ଦେଇଛନ୍ତିି ।ରାଜ୍ୟରେ ଆଇନ ଶୃଙ୍ଖଳା ସଂପୂର୍ଣ୍ଣଭାବେ ଭୁଷୁଡି ପଡିଛି ।୨୦୧୯ ଏନସିଆରବି ରିପୋର୍ଟ ଅନୁଯାୟୀ ଓଡିଶାରେ ୫.୭ ପ୍ରତିଶତ ଦଣ୍ଡହାର ରହିଛି । ମହିଳା ଅପରାଧରେ ଓଡିଶା ଦେଶର ଦ୍ୱିତୀୟ ସ୍ଥାନରେ ରହିଛି । ସାଇବର କ୍ରାଇମରେ ଓଡିଶା ପ୍ରଥମ ସ୍ଥାନରେ ରହିଛି । ବିଗତ ଦିନରେ ବିଜେପିର ୧୭ ଜଣ କାର୍ଯ୍ୟକର୍ତାଙ୍କୁ ଶାସକ ବିଜେଡିର ଗୁଣ୍ଡାମାନେ ହତ୍ୟା କରିଛନ୍ତିି । ୨୦୧୭ ପଂଚାୟତ ନିର୍ବାଚନରେ ବିଜେପିର ୧୪ ଜଣ କାର୍ଯ୍ୟକର୍ତାଙ୍କୁ ହତ୍ୟା କରାଯାଇଥିଲା । ସେହିପରି ୨୦୧୯ ସାଧାରଣ ନିର୍ବାଚନରେ ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ହତ୍ୟା କରାଯାଇଥିଲା । ଆଉ ଏବେ ମାହାଙ୍ଗାରେ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ହତ୍ୟା କରାଯାଇଛି । ଏ ସମସ୍ତ ହତ୍ୟାକାଣ୍ଡରେ ପୋଲିସର ତଦନ୍ତ କେତେବାଟ ଆଗେଇଛି ଏବଂ କେତେ ଜଣ ଅପରାଧୀଙ୍କୁ ପୋଲିସ ଗିରଫ କରିଛି ତାହା ସର୍ବସାଧାରଣରେ ପ୍ରକାଶ କରିବା ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଦାବି କରିଛନ୍ତିି ।
ଶାନ୍ତିପୂର୍ଣ୍ଣ ରାଜ୍ୟ ଓଡିଶାରେ ଏହିଭଳି ଘୃଣ୍ୟ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିରୋଧୀଙ୍କ କଣ୍ଠୋରୋଧ କରିବା ପାଇଁ ହତ୍ୟା ଭଳି ଘୃଣ୍ୟ କାର୍ଯ୍ୟକରିବାକୁ ମଧ୍ୟ ଶାସକ ବିଜେଡି ପଛାଉ ନାହିଁ । ନବୀନ ବାବୁଙ୍କ ନେତୃତ୍ୱରେ ପରିଚାଳିତ ରାଜ୍ୟସରକାର ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଠିକ୍ ଢଙ୍ଗରେ ପରିଚାଳନା କରିବାରେ ବିଫଳ ହେବା କାରଣର ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନ ଦିଆଯାଉ ବୋଲି କହି ମିଛଠାରେ ବାହା ବାହା ନେବାର ଅପଚେଷ୍ଟା କରୁଥିବା ମୁଖ୍ୟମନ୍ତ୍ରୀ ବର୍ତମାନ ହିଂସାକୁ ପ୍ରଶୟ ଦେବା ସହ ରାଜନୈତିକ ହତ୍ୟା ଭଳି ଘୃଣ୍ୟ କାର୍ଯ୍ୟକରିବାକୁ ମଧ୍ୟ ପ୍ରଶ୍ରୟ ଦେଉଛନ୍ତି ବୋଲି ବିଜେପି ନେତୃବୃନ୍ଦ କହିଥିଲେ ।
ଅଭିଯୁକ୍ତ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତୁରନ୍ତି ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ନଚେତ, ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର କରିବାକୁ ବିଜେପି ଦାବି କରିଛି । ମାହାଙ୍ଗା ଡବଲ ମର୍ଡର ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଆଗାମୀ ଦିନରେ ବିଜେପି ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଆହୁରି ତୀବ୍ର କରିବ । ଡିଜି ଅଫିସ ଘେରାଉ ପୂର୍ବରୁ ରାଜ୍ୟସର ସମସ୍ତ ଥାନା, ଜିଲ୍ଲାର ଏସପି ଅଫିସ ଘେରାଉ କରାଯାଇଥିଲା ।
ଆଜି କଟକଠାରେ ହଜାର ହଜାର ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତା ମାତା ମଠ ଠାରୁ ବିଶାଳ ଶୋଭାଯାତ୍ରାରେ ବାହାରି ଡିଜପିି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭରେ ପୂର୍ବତନ ମନ୍ତ୍ରୀ କେ.ଭି ସିଂହଦେଓ, ମନମୋହନ ସାମଲ ଓ ସୁରମା ପାଢୀ, ବିଧାୟକ ଜୟନ୍ତ ଷଡଙ୍ଗୀ ଓ ପ୍ରକାଶ ସୋରେନ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଓ ପ୍ରଭାତି ପରିଡା, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ, ଅମର ନାୟକ ଓ ପିଙ୍କି ପ୍ରଧାନ, ରାଜ୍ୟ ମୁଖପାତ୍ର ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସୀସ ଆଚାର୍ଯ୍ୟ, ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଭୁ ପ୍ରସାଦ ତରାଇ, କଟକ ଜିଲ୍ଲା ସଭାପତି ଲଲାତେନ୍ଦୁ ବଡୁ, ସଦର ଜିଲ୍ଲା ସଭାପତି ପ୍ରକାଶ ବେହେରା, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ବରିଷ୍ଠ ବିଜେପି ନେତା ନୟନ ମହାନ୍ତି, ଦିଲୀପ ମଲ୍ଲିକ, ବିଜୟ ଦଳବେହେରା, ଶୁଭ୍ରାଂଶୁ ପାଢୀ, ଅନୁ ଚୌଧୁରୀ, ବ୍ରଜେନ୍ଦ୍ର ରାୟ, ଛବି ମଲ୍ଲିକଙ୍କ ସମେତ ହଜାର ହଜାର କାର୍ଯ୍ୟକର୍ତା ସାମିଲ ଥିଲେ ।

Leave A Reply

Your email address will not be published.