ନୂଆଦିଲ୍ଲୀ: ଟ୍ରାକ୍ଟର୍ ରାଲି ଆରମ୍ଭ ହେବାର ବହୁ ପୂର୍ବରୁ ଏବଂ ବହୁସଂଖ୍ୟକ ପୁଲିସ ଉପସ୍ଥିତି ସତ୍ତ୍ୱେ ଆଜି ସକାଳେ ଦିଲ୍ଲୀ-ହରିୟାଣାର ଟିକ୍ରି ସୀମାନ୍ତରେ ହଜାର ହଜାର କୃଷକ ବେରିକେଡ୍ ଭାଙ୍ଗିବା ସହ ଚାଲି ଚାଲି ଦିଲ୍ଲୀକୁ ପ୍ରବେଶ କରିବାରୁ ବଡ଼ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଛି। ସିଙ୍ଘୁ ସୀମାରେ ପୁଲିସ ପକ୍ଷରୁ ଲଗାଯାଇଥିବା ବାରିକେଡକୁ ଚାଷୀମାନେ ଭାଙ୍ଗି ଦେଇଛନ୍ତି।
ଗଣତନ୍ତ୍ର ଦିବସ ଉପଲକ୍ଷେ କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି କୃଷକମାନେ ଟ୍ରାକ୍ଟର ରାଲି ବାହାର କରି ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଦିଲ୍ଲୀ ସୀମାରେ ୬୦ ହଜାରରୁ ଅଧିକ ଟ୍ରାକ୍ଟର ଓ ଲକ୍ଷାଧିକ କୃଷକ ଉପସ୍ଥିତ ରହିଛନ୍ତି। ତେବେ ଏହା ପୂର୍ବରୁ କୃକଷମାନେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଦିଲ୍ଲୀ ଭିତରେ ଦାଖଲ ହେବା ପାଇଁ ଚାଷୀମାନେ ଚେଷ୍ଟା କରୁଥିବା ବେଳେ ସିଙ୍ଘୁ ଓ ଟିକ୍ରି ସୀମାରେ ପୋଲିସ ଲଗାଇଥିବା ବାରିକେଡ୍କୁ ଭାଙ୍ଗି ଦେଇଛନ୍ତି। ଫଳରେ କେଏମପି-କେଜିପି ରାସ୍ତାରେ ପ୍ରାୟ ୨୫ରୁ ୩୦ କିମି ଯାଏଁ ଟ୍ରାଫିକ ସମସ୍ୟା ଉପୁଜିଛି । ଶତାଧିକ ଗାଡିମଟର ଅଟକି ରହିଛି।
ସେପଟେ ଟ୍ରାକ୍ଟର ରାଲିକୁ ଦେଖି ଗାଜିଆବାଦ ପୁଲିସ ଟ୍ରାଫିକ ଆଡଭାଇଜରୀ ଜାରି କରିଛି। ଦିଲ୍ଲୀ, ଆନନ୍ଦ ବିବହାର ମାହାରାଜପୁର ସୀମାପୁରୀ, ସୂର୍ଯ୍ୟ ନଗର ଆଦି ସମସ୍ତ ଲିଙ୍କ ରୋଡକୁ ବନ୍ଦ କରାଯାଇଛି। ପୁରା ସୀମା ସିଲ କରାଯାଇଛି।