ଓଡ଼ିଆରେ ଅଭିଭାଷଣ ଆରମ୍ଭ କଲେ ଉପ-ରାଷ୍ଟ୍ରପତି

 ଶିକ୍ଷା ସଫଳ ଜୀବନର ପ୍ରଥମ ପାହାଚ । ଚରିତ୍ର ଗଠନରେ ସତ୍ ଶିକ୍ଷାର ପ୍ରମୁଖ ଭୂମିକା ରହିଛି । ଶିକ୍ଷା ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ଓ ସୁସଂଗଠିତ କରିଥାଏ । ଆଗାମୀ ଦିନରେ ଚାକିରି ପଛରେ ନ ଗୋଡ଼ାଇ ନିଯୁକ୍ତିଦାତା ହେବାକୁ ଆହ୍ୱାନ ଦେଇଛନ୍ତି ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଉତ୍କଳ ବିଶ୍ୱବିଦ୍ୟାଳୟର  ୫୦ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି । ସେ ନିଜ ଅଭିଭାଷଣ ଓଡ଼ିଆରେ ଆରମ୍ଭ କରିବା ସହ ଓଡ଼ିଶାର ଗୌରବମୟ ନୌବାଣିଜ୍ୟର ମଧ୍ୟ ସ୍ମୃତିଚାରଣ କରିଛନ୍ତି । ଏଥିସହିତ ଆଦିବାସୀଙ୍କ ଚାଳି ଚଳନ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି ଉପ-ରାଷ୍ଟ୍ରପତି । ସେ କହିଛନ୍ତି  ଆଦିବାସୀଙ୍କ ସରଳ ଜୀବନଯାପନ ପ୍ରଶଂସନୀୟ । ରାଜ୍ୟର ୨୩% ଜନସଂଖ୍ୟା ହେଉଛନ୍ତି ଆଦିବାସୀ  । ସେମାନଙ୍କ ଆଦିବାସୀ ସଂସ୍କୃତି ହିଁ ସେମାନଙ୍କୁ ମହାମାରୀରୁ ରକ୍ଷା କରିଛି ବୋଲି ସେ କହିଛନ୍ତି ।  ସେମାନଙ୍କ ସର୍ବାଙ୍ଗୀନ ବିକାଶ ହେବା ଆବଶ୍ୟକ । ଏହି ଅବସରରେ ସାଧୁତା, ସଚ୍ଚୋଟତା ବଜାୟ ରଖିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଉପ ରାଷ୍ଟ୍ରପତି ଭେଙ୍କେୟା । ଆଜିର ଏହି ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ ଓ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ଉପସ୍ଥିତ ଥିଲେ ।  ସମାବର୍ତ୍ତନ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଦେଶର ୫ ଜଣ ବ୍ୟକ୍ତିତ୍ବଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.