ପୁଲିସ୍‌ ଆଖି ଆଗରେ ପତିପତ୍ନୀଙ୍କୁ ହାଣିଦେଲେ

ଦୀର୍ଘ ଦିନର ବିବାଦ ନେଲା ରକ୍ତାକ୍ତ ସଂଘର୍ଷର ରୂପ। ତାହା ପୁଣି ଥାନା ପରିସରରେ। ପୁଲିସ୍‌ ଆଖି ଆଗରେ ଗୋଟିଏ ଗୋଷ୍ଠିର ଲୋକ ଅଭିଯୋଗ ନେଇ ଥାନାକୁ ଆସିଥିବା ପତିପତ୍ନୀଙ୍କୁ  ହାଣି ଦେଇଥିଲେ। ପୁଲିସ୍‌ ବର୍ଦ୍ଦିରେ ବି ଲାଗିଛି ରକ୍ତର ଛିଟା।  ପତିପତ୍ନୀ ଏବେ ମେଡିକାଲରେ ଭର୍ତ୍ତି ହୋଇଥିବା  ବେଳେ ଏନେଇ କେହି ଅଭିଯୋଗ କରି ନ ଥିବାରୁ ପୁଲିସ୍‌ କାହାକୁ ଗିରଫ କରିପାରି ନାହିଁ।  ଏପରି ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଭିତରେ ପୁଲିସ୍‌ ସମ୍ମୁଖରେ ଘଟିଯାଇଥିବା ବେଳେ ଏବେବି ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି। ପୁଲିସ୍‌ ସୂଚନାନୁଯାୟୀ, ରେମୁଣା ମନ୍ଦାରପୁର ଓ ନିଆଁବାଗ ଗ୍ରାମର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲ। । ଗତ କାଲି ରାତି ପ୍ରାୟ ୧୧ଟା ପରେ ଗୋଟିଏ ଗୋଷ୍ଠୀର କିଛି ଲୋକ ଥାନାରେ ପହଞ୍ଚିଥିଲେ। ସେହି ସମୟରେ ବାଦଲ ଦାସ ନାମକ ଯୁବକ ନିଜ ବାପାମା’ ରଘୁ ଦାସ ଓ  ପ୍ରମିତା ଦାସଙ୍କ ସହ ଥାନାରେ ପହଞ୍ଚି ତାଙ୍କ ଘରକୁ କିଛି ଲୋକ ଭାଙ୍ଗି ଦେଉଥିବା ଅଭିଯୋଗ କରିଥିଲେ। ଉକ୍ତ ସମୟରେ ଅପରପକ୍ଷର  କିଛି ଲୋକ ସେମାନଙ୍କ ପିଛା କରି ଥାନାରେ ପହଞ୍ଚିଥିଲେ।  ଏହାପରେ ଉଭୟ ପକ୍ଷ ମଧ୍ୟରେ ସେଠାରେ  ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଗୋଟିଏ ପକ୍ଷକୁ ଅତର୍କିତ ଆକ୍ରମଣ ହେଉଥିବାରୁ ପୁଲିସ୍‌  ଭିଡ଼କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ମାତ୍ର  କିଛି ଉତ୍ତ୍ୟକ୍ତ ଲୋକ ଥାନା ଭଙ୍ଗାରୁଜା କରିବା ସହ ତେଲେଙ୍ଗା କଟୁରିରେ ଉଭୟ ରଘୁ ଦାସ ଓ ତାଙ୍କ ପତ୍ନୀ ପ୍ରତିମାଙ୍କୁ ଆକ୍ରମଣ କରିଥିଲେ।

Leave A Reply

Your email address will not be published.